ପାରଳାଖେମୁଣ୍ଡି (ସୁଜିତ୍ ବିଷୋୟୀ):ଗଜପତିଜିଲ୍ଲା ଗଠନକୁ ପୁରିଛି ୩୩ ବର୍ଷ। ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ୩୩ ବର୍ଷ ପୂର୍ବେ ଅଭିଭକ୍ତ ଗଞ୍ଜାମ ଜିଲ୍ଲାରୁ ଭାଗ ହୋଇ ଗଠନ ହୋଇଥିଲା ନୂତନ ଜିଲ୍ଲା ଗଜପତି। ମହାରାଜାଙ୍କ ଅବଦାନକୁ ଚିର ସ୍ମରଣୀୟ କରିବାକୁ ଏକ ମାତ୍ର ଜିଲ୍ଲା ଭାବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଘୋଷଣା କରି ଜିଲ୍ଲାର ବିକାଶ ପାଇଁ ସ୍ଵପ୍ନ ଦେଖିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସବ୍ଭିଜନରୁ ଜିଲ୍ଲାର ମାନ୍ୟତା ପାଇ ଜିଲ୍ଲାସ୍ତରୀୟ କାର୍ଯ୍ଯଳୟ ସବୁ ଗଢି ଉଠିଥିଲା। ଫଳରେ ସୁଦୂର ୨୦୦ କିଲୋମିଟର ଅଭିଭକ୍ତ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଆଉ ଯିବାକୁ ପଡ଼ିଲାନି।
୧୯୯୨ରେ ଜିଲ୍ଲା ଗଠନ ସମୟରେ ଅଞ୍ଚଳର ସ୍ଥିତି ବହୁ ପଛରେ ରହି ଅନୁନ୍ନତ, ଉପାନ୍ତ ଅଞ୍ଚଳ ଭାବରେ ପରଗଣିତ ହେଉଥିଲା। ଏହି ପରି ଏକ ଅକ୍ଟୋବର ମାସରେ ୩୩ ବର୍ଷ ପୂର୍ବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ପାରଳା ରାଜପ୍ରାସାଦ ସମ୍ମୁଖରେ ୨୦ ହଜାରରୁ ଊର୍ଦ୍ଧ୍ବ ଜନ ସମାଗମ ଥିବା ସାଧାରଣ ସଭାରେ ସମ୍ଭୋଧନ କରି ଜିଲ୍ଲା ଓ ରାଜ ପରିବାର ପ୍ରତି ତାଙ୍କର ନିବିଡତା ପ୍ରକାଶ କରିବା ସହ ୧୩ ଗୋଟି ଜିଲ୍ଲା ପରେ ୧୪ତମ ଜିଲ୍ଲା ଭାବରେ ପ୍ରଥମେ ଗଜପତିକୁ ଘୋଷଣା କରିଥିଲେ। ଅଞ୍ଚଳକୁ ବିକଶିତ କରିବା ପାଇଁ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ଦେଇଥିଲେ।
ଆହୁରି ପଢ଼ନ୍ତୁ: ତିତିଲି: କାଳରାତ୍ରୀ ନେଇଥିଲା ୧୬ ଜୀବନ, ଉଜାଡ଼ି ଥିଲା ଅନେକ ପରିବାର
ଏହି ଅଞ୍ଚଳ ପାହାଡ଼ ଜଙ୍ଗଲ ଘେରା ମଧ୍ୟରେ ରହି ଯାତାୟତର ସୁବିଧା ନଥିଲା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ବିକାଶ ପହଞ୍ଚି ପାରିନଥିଲା। ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ନଥିଲା। ଲୋକଙ୍କ ଜୀବନ ଜୀବିକା ଦୃବିଷହ ହୋଇ ରହିଥିଲା। ଏହି ସବୁ ସମସ୍ୟାର ସମାଧାନର ଲକ୍ଷରଖି ସାତୋଟି ବ୍ଲକକୁ ନେଇ ଜିଲ୍ଲା ଗଠନ ସହ ପାରଳାଖେମୁଣ୍ଡି ସହରକୁ ସଦରମହକୁମା ଭାବେ ଘୋଷଣା କରିଥିଲେ। ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ଯଳୟ ସ୍ଥାପନ କରି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ ସରକାର। ଆଶା ଥିଲା କିଛି ବର୍ଷ ମଧ୍ୟରେ ଧୀରେଧୀରେ ସମସ୍ୟାର ସମାଧାନ ହେବ। ଜିଲ୍ଲାର ଚିତ୍ର ପରିବର୍ତନ ହେବ।
ଇତି ମଧ୍ୟରେ ଅନେକ ବର୍ଷ ବୀତିଛି। ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଅନେକ ଜିଲ୍ଲାପାଳ ବିକାଶର ଦ୍ବୟିତ୍ଵ ନେଇ ଆସିଛନ୍ତି। ସେତେବେଳର ସ୍ଥିତିକୁ ଦେଖିଲେ ଅନେକାଂଶରେ ବିକାଶ ମୂଳକ କାର୍ଯ୍ୟ ମଧ୍ୟ ହୋଇଛି। ଅନେକ ପରିବର୍ତନ ହୋଇଛି। ଗତ ୩୩ ବର୍ଷ ମଧ୍ୟରେ ୩୨ଜଣ ଜିଲ୍ଲାପାଳ ବଦଳିଛନ୍ତି। କିନ୍ତୁ ଯେଉଁ ପରିମାଣରେ ଜିଲ୍ଲାର ସାମୁହିକ ବିକାଶ ହେବାର କଥା ତାହା ଆଜିଯାଏଁ ହୋଇ ପାରିନାହିଁ। ଜିଲ୍ଲା ଗଠନ ପରେ ଆଇ ଏ ସ ସନ୍ତୋଷ ମିଶ୍ର ଗଜପତି ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ଭାବେ ଦାୟୀତ୍ବ ନେଇଥିଲେ। ଜିଲ୍ଲାର ସାମୁହିକ ବିକାଶ, ସମସ୍ତ ବ୍ଲକ ମୁଖ୍ୟାଳୟକୁ ସଂଯୋଗି କରଣ, ଶିକ୍ଷାର ଅଭିବୃଦ୍ଧି, ସ୍ୱାସ୍ଥ୍ୟ ସେବା ସହ ସମସ୍ତ ଜିଲ୍ଲା ବାସୀଙ୍କୁ ମୌଲିକ ସୁବିଧା ଯୋଗାଇଦେବା ସରକାରଙ୍କ ପାଇଁ ଏକ ବଡ ଚଲେଞ୍ଜ ହୋଇ ରହିଥିଲା।
ଏହି ସବୁ ମଧ୍ୟରେ ଜିଲ୍ଲାର ପ୍ରମୁଖ ସମସ୍ଯା ମଧ୍ୟରେ ନକ୍ସଲ ମୁକାବିଲା ସହ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇବା ମଧ୍ୟ ଏକ ବଡ ପ୍ରତିବନ୍ଧକ ଥିଲା। ପରବର୍ତୀ ସମୟରେ ଅନେକ ଜିଲ୍ଲାପାଳ ଦାୟୀତ୍ଵ ତୁଲାଇଥିବା ବେଳେ ବନ୍ୟା, ବାତ୍ୟା, ଦଙ୍ଗା ଭଳି ଅନେକ ଘାତ ପ୍ରତିଘାତର ସାମ୍ନା କରି ଆସିଛି ଜିଲ୍ଲା। ସେହି ସମୟ ଠାରୁ ଆଜି ଜିଲ୍ଲାର ଭୌଗୋଳିକ ଓ ସାମାଜିକ ସ୍ଥିତିରେ ଅନେକ ପରିବର୍ତନ ଘଟିଛି କିନ୍ତୁ ବିକାଶ ଶିଖର ଛୁଇଁ ପାରିନି। ଆଜୀବି କୃଷି ଉତ୍ପାଦନ, ପର୍ଯ୍ୟଟନ, ସ୍ଵାସ୍ଥ୍ୟ ସେବା, ନିଯୁକ୍ତି କ୍ଷେତ୍ରରେ ବହୁ ପଛରେ ପଡ଼ି ଯାଇଛି। ଏହା କୃଷି ପ୍ରାଧାନ୍ୟ ଜିଲ୍ଲା ହୋଇଥିବା ବେଳେ କୃଷି ଉତ୍ପାଦିତ ଦ୍ରବ୍ଯର ଉଚିତ ମୂଲ୍ୟ ପାଇ ପାରୁନାହାନ୍ତି ଚାଷୀ। କାରଣ ଜିଲ୍ଲାରେ ଏଯାବତ କୌଣସି ପ୍ରୋସେସିଂ ୟୁନିଟ ହୋଇପାରି ନାହିଁ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଭଳି କୌଣସି ଶିଳ୍ପ ପ୍ରତିଷ୍ଠା ନୋହୋଇ ପାରି ଶିଳ୍ପ ବିହୀନ ଜିଲ୍ଲା ତାଲିକାରେ ରହିଛି। ଏବେ ବି ସ୍ୱାସ୍ଥ୍ୟ ସେବା ନିମନ୍ତେ ପଡୋଶୀ ରାଜ୍ୟ ଉପରେ ନିର୍ଭର କରୁଛନ୍ତି ଯେହେତୁ ଜିଲ୍ଲାରେ ମେଡିକାଲ କଲେଜ କିମ୍ବା ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା ଭଳି କୌଣସି ସୁବିଧା ନାହିଁ। ଶିକ୍ଷାର ଅବିବୃଦ୍ଧି ପାଇଁ ଜିଲ୍ଲାରେ ସରକାରୀ ବିଶ୍ଵ ବିଦ୍ୟାଳୟ ସ୍ଥାପନ ହୋଇପାରିଲା ନାହିଁ।
ଆହୁରି ପଢ଼ନ୍ତୁ: Governor Odisha: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ରାଜ୍ୟପାଳ
ଏବେବି ଅନେକ ଗାଁ ଏମିତି ଅଛି ଯେଉଁଠି ସାଧାରଣ ମୌଳିକ ସୁବିଧା ପହଞ୍ଚି ପାରିନି। ବିଗତ ୩୩ ବର୍ଷ ମଧ୍ୟରେ ୩୨ ଜିଲ୍ଲାପାଳ ବଦଳିଛନ୍ତି, ଅନେକ ସରକାର ଓ ଅନେକ ବିଧାୟକ ଯାଇଛନ୍ତି କିନ୍ତୁ ଆନ୍ତରିକତା ଅବହେଳାରୁ କେଉଁଠି ନା କେଉଁଠି ପ୍ରଶାସନର ଓ ରାଜନୈତିକ ଇଛା ଶକ୍ତି ନଥାଇ ବିକାଶ ଦିଗରେ ଜିଲ୍ଲା ଅଗ୍ରଗତି ହୋଇପାରି ନଥିବା ମତ ପ୍ରକାସ କରିଛନ୍ତି ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର। ଅପର ପକ୍ଷରେ ଜିଲ୍ଲାର ଅନେକ ପରିବର୍ତନ ଘଟିଛି କିନ୍ତୁ ଅନ୍ୟ ଜିଲ୍ଲା ତୁଳନାରେ ବିକାଶ ହୋଇ ପାରିନଥିବା କହିଛନ୍ତି ବରିଷ୍ଠ ସାମ୍ବାଦିକ ଦ୍ଵିଜେନ୍ଦ୍ର ନାଥ ପାଢୀ।