ନକଲି ସୁନା ଦେଇ ବ୍ୟାଙ୍କରୁ ଟଙ୍କା ହଡ଼ପ ମାମଲା: ୭ ଅଭିଯୁକ୍ତଙ୍କୁ ଗିରଫ କଲା ପାରଳା ପୁଲିସ

Advertisment
ନକଲି ସୁନା ଦେଇ ବ୍ୟାଙ୍କରୁ ଟଙ୍କା ହଡ଼ପ ମାମଲା: ୭ ଅଭିଯୁକ୍ତଙ୍କୁ ଗିରଫ କଲା ପାରଳା ପୁଲିସ

ପାରଳାଖେମୁଣ୍ଡି: ସ୍ଥାନୀୟ ବ୍ୟଙ୍କ ଅଫ ଇଣ୍ଡିଆରେ ନକଲି ସୁନା ଦେଇ ଋଣ ନେବା ମାମଲାରେ ଆଜି ପାରଳାଖେମୁଣ୍ଡି ଆଦର୍ଶ ଥାନା ୧୨୭/୫/୫/୨୩ ତାରିଖରେ ବ୍ୟାଙ୍କର ସୁନାରୀଙ୍କ ସହ ୭ଜଣଙ୍କୁ ଗିରଫ କରିଛନ୍ତି। ବ୍ୟାଙ୍କ ଅଫ ଇଣ୍ଡିଆ ପାରଳାଖେମୁଣ୍ଡି ଶାଖା ପରିଚାଳକ ମନୋଜ କୁମାର ପାଲାକାଙ୍କ ଅଭିଯୋଗ ଏବଂ ଏତଲା କ୍ରମେ ପାରଳା ପୁଲିସ ଏହି ଗିରଫ କରିଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀ କରି ଥାନା ଅଧିକାରୀ ବାବୁଲି ନାୟକ ସବିଶେଷ ତଥ୍ୟ ଦେଇଥିଲେ।

ପୁଲିସ ଦେଇଥିବା ତଥ୍ୟ ଅନୁସାରେ ବ୍ୟଙ୍କର ସୁନାରୀ ଗାନାଭାରାଫୁ. ବ୍ରାହ୍ମମ ଏହି ଘୋଟଲାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ନକଲି ସୁନା ଦେଇ ଅସଲି ଟଙ୍କା ବ୍ୟାଙ୍କରୁ ଉଠାଇଥିବା ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ମାଟିଆ ସାହିର ଶାସନ ପୁରୀ ପ୍ରଭାକର ରାଓ, ଗୁରାଣ୍ଡି ଥାନା ଅଧିନସ୍ଥ ବଡ କତ୍ତୁର ଗ୍ରାମର ପେଦାନ୍ନା ଜଗଦେବ,  ନଡ଼ିଆ ତୋଟା ସାହିର ପ୍ରଦ୍ୟୁମ୍ନ ପ୍ରଧାନ, କରଣ ସାହିର ମାଧବ ବାରିକ, ବଡ଼ ବ୍ରହ୍ମଣ ସାହିର ଶିଙ୍କୁ ଆଞ୍ଜି ରାଓ ଏବଂ ପୂର୍ବତନ ୟୁଜିବି ବ୍ୟାଙ୍କର ବରିଷ୍ଠ କର୍ମଚାରୀ ସ୍ବର୍ଗତ ଏସ. ଶ୍ରୀରାମ ମୂର୍ତ୍ତିଙ୍କ ପୁଅ ଦୁର୍ଗା କଲ୍ୟାଣ କ୍ରିଷ୍ଣ। । ବ୍ୟାଙ୍କର ସୁନାରୀ ଭାବେ ନିଯୁକ୍ତି ପାଇଥିବା ବାଟଗୌଡ଼ ସାହି ବାସିନ୍ଦା ଗାନା ଭାରପୁ ବ୍ରାହ୍ମମ ଅତ୍ୟନ୍ତ ଚତୁରତାର ସହ ନକଲି ସୁନା ଦେଇ ଗ୍ରାହକଙ୍କୁ ବ୍ୟାଙ୍କରୁ ଋଣ ଉଠାଇବା ଯୋଜନା ଗତ କିଛି ମାସ ହେଲା ପରିଚାଳନା କରୁଥିଲେ। ଅର୍ଥ ସଙ୍କଟ କିମ୍ବା ଅର୍ଥ ଅଭାବରେ ଥିବା ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କୁ ଚିହ୍ନଟ କରି ବ୍ୟାଙ୍କ ଅଫ ଇଣ୍ଡିଆର ନକଲି ସୁନା ଆଣି ଋଣ ଉଠାଇବାରେ ସହଯୋଗ କରୁଥିଲା ଏବଂ ଶେଷରେ ଧରାପଡିଛନ୍ତି।

ଉକ୍ତ ବ୍ୟାଙ୍କରେ ୩୬୨ଜଣ ବିଭିନ୍ନ ସମୟରେ ଋଣ ନେଇଥିବା ବେଳେ ୧୧ଜଣ ବ୍ୟକ୍ତି ନକଲି ସୁନା ଦେଇ ଋଣ ନେଇଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସରେ ବ୍ୟାଙ୍କର ନିୟମିତ ଅଡିଟ ବେଳେ ନକଲି ସୁନା ବ୍ୟାଙ୍କରେ ପହଞ୍ଚିଥିବା ବିଷୟରେ ଅଡିଟରମାନଙ୍କ ନଜରକୁ ଆସିଥିଲା। ଏହି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ମୁଖ୍ୟ ଶାଖାକୁ ନିବେଦନ କରାଯିବା ପରେ ଅନ୍ୟ ବ୍ୟାଙ୍କର କର୍ମଚାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା ଅନୁସନ୍ଧାନ ବେଳେ ନକଲି ସୁନାକୁ ଗ୍ରହଣ କରିଥିବା ବିଷୟରେ ବ୍ରାହ୍ମମ ସ୍ବୀକାର କରିଥିଲେ ଏବଂ ଋଣ ଟଙ୍କା ପଇଠ କରିଦେବେ ବୋଲି ଚଳିତ ମାସ ଫେବ୍ରୁଆରି ମାସରେ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ସମ୍ପୂର୍ଣ୍ଣ ଟଙ୍କା ପଇଠ ପାଇଁ ବ୍ରାହ୍ମମଙ୍କୁ ବ୍ୟାଙ୍କ କିଛି ସପ୍ତାହ ସମୟ ମଧ୍ୟ ଦେଇଥିଲା, କିନ୍ତୁ ସେ ଏହି ଟଙ୍କା ଫେରାଇ ପାରିଲେ ନାହିଁ। ଆଜି ପାରଳା ପୁଲିସ ଏହି ୭ଜଣ ବ୍ୟକ୍ତିଙ୍କୁ ଗିରଫ କରି ସେକ୍ସନ ୪୧୯/୪୨୦/୪୦୬/୪୦୯/୩୪ଆଇପିସିରେ କୋର୍ଟ ଚାଲାଣ କରିଛନ୍ତି। ଏହି ଘଟଣାଟି ଲୋକାଲଚନକୁ ଆସିବା ପରେ  ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରକାଶ ଥାଉକି ଏହି ଘଟଣାରେ ମୋଟ ୪୦ ଲକ୍ଷ ଟଙ୍କା ଋଣ ନେଇଥିବା ବେଳେ ଆହୁରି ୨୭ଲକ୍ଷ ଟଙ୍କା ବକେୟା ରଖିଛନ୍ତି ଅଭିଯୁକ୍ତମାନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe