ଘାଟିରୁ ଟିପର୍‌ ଓଲଟି ୯ ମୃତ

ବିଧାୟକ ସୂରିଆ ରାଓ ଆହତଙ୍କୁ, ନିଜ ଗାଡ଼ିରେ ଡାକ୍ତରଖାନା ନେଲେ

ଘାଟିରୁ ଟିପର୍‌ ଓଲଟି ୯ ମୃତ

ପାରଳାଖେମୁଣ୍ଡି/ଗୁମ୍ମା: ଆଜି ସକାଳେ ଗଜପତି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ସକାଳ ସାଢ଼େ ନଅଟା ବେଳେ କାଶୀନଗର-ଗୁମ୍ମା ସୀମାନ୍ତରେ ଥିବା ପାର୍ତ୍ତଡ଼ା ଘାଟିର ଲୁହାଝର ନାଳ ନିକଟରେ ଏକ ଟିପର ଭାରସାମ୍ୟ ହରାଇ ୭୦ ଫୁଟ ତଳକୁ ଖସିଯିବା ଫଳରେ ୫ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଅନ୍ୟ ୪ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗୁରୁତର ଆହତ ୬ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନୁକୁଣ୍ଡା ଗ୍ରାମରୁ ଏହି ଇଟା ବୋଝେଇ ଟିପର(ମିନି ଟ୍ରକ) ବାହାରିଥିଲା। ସେଥିରେ ୧୫ ଜଣ ଲୋକ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲେ । ଟିପରଟି ଘାଟି ଚଢ଼ୁଥିବା ବେଳେ ହଠାତ୍‌ ଏହା ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । ସେହି ରାସ୍ତା ଦେଇ ଯାଉଥିବା ଦୁଇ ଜଣ ଶିକ୍ଷକ ଲୋକଙ୍କ ଚିତ୍କାର ଶୁଣି ଘାଟି ତଳକୁ ଚାହିଁଥିଲେ। ଖଣ୍ଡବିଖଣ୍ଡିତ ଗାଡ଼ି ସହ ମୃତାହତ ଲୋକଙ୍କ ଅବସ୍ଥା ଦେଖି ତାଙ୍କର ଲୋମ ଟାଙ୍କୁରି ଉଠିଥିଲା। ଦୁହେଁ ତୁରନ୍ତ ମୋବାଇଲ ଜରିଆରେ ବିଭିନ୍ନ ସ୍ଥାନକୁ ଖବର ଦେବା ସହ ନିକଟରେ ଥିବା ଗ୍ରାମବାସୀଙ୍କୁ ମଧ୍ୟ ସୂଚିତ କରିଥିଲେ । ଖବର ପାଇ ପାରଳା ବିଧାୟକ କେ.ସୂରିଆ ରାଓ ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ । ନିଜର ବ୍ୟକ୍ତିଗତ ଗାଡ଼ିି ଏବଂ ଆମ୍ବୁଲାନ୍ସ ଯୋଗେ ୯ ଜଣ ଆହତଙ୍କୁ ପାରଳା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ୯ ଜଣ ଶ୍ରମିକ ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆହତ ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe