ବିଜେପି ବୁଥ୍‌ କମିଟି ଗଠନ ବୈଠକ ରଣକ୍ଷେତ୍ର:ଦୁଇ ଗୋଷ୍ଠୀ ମୁହାଁମୁହିଁ, ଧସ୍ତାଧସ୍ତି

Advertisment
ବିଜେପି ବୁଥ୍‌ କମିଟି ଗଠନ ବୈଠକ ରଣକ୍ଷେତ୍ର:ଦୁଇ ଗୋଷ୍ଠୀ ମୁହାଁମୁହିଁ, ଧସ୍ତାଧସ୍ତି

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ବିଜେପିର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ଆଜି ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ସମ୍ମିଳନୀ କକ୍ଷରେ ବୁଥ୍‌ସ୍ତରୀୟ କମିଟି ଗଠନ ବୈଠକ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ଧସ୍ତାଧସ୍ତି ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ବିଜେପି ନେତା ଉତ୍ତମ ପାଣିଗ୍ରାହୀ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ କରୁଥିବା ବେଳେ ଆଉ ଏକ ସ୍ଥାନୀୟ ଗୋଷ୍ଠୀ ଏହାକୁ ବିରୋଧ କରି ଆସୁଛନ୍ତି।
ଆଜି ବୁଥ୍‌ସ୍ତରୀୟ କମିଟି ଗଠନ ପାଇଁ ବିଜେପି ଗଂଜାମ ଜିଲ୍ଲା ସଭାପତି କାହ୍ନଚରଣ ପତିଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଥିବା ବେଳେ ଉତ୍ତମଙ୍କ ଗୋଷ୍ଠୀର ସମର୍ଥକ ମାନେ ହଠାତ୍‌ ଧସେଇ ପଶିଥିଲେ। ଆଉ ଦିଗପହଣ୍ଡିରେ କେତୋଟି ବିଜେପି ଅଛି ବୋଲି ଜିଲ୍ଲା ସଭାପତିଙ୍କୁ ପ୍ରଶ୍ନ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏହା ପରେ ବୈଠକରେ ଉପସ୍ଥିତ ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢୀ ଏଥିରେ ହସ୍ତକ୍ଷେପ କରି ଦୁଇ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେ। ଶୃଙ୍ଖଳା ରକ୍ଷା ପାଇଁ କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଏହା ପରେ ବୈଠକରେ ଦଳର ସାଂଗଠନିକସ୍ଥିତିକୁ ସୁଦୃଢ କରିବା ନେଇ ଆଲୋଚନା ହୋଇଥିଲା। ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କୁ ଟକ୍କର ଦେବାକୁ ହେଲେ ସଂଗଠନକୁ ଦୃଢ କରିବା ସହ ପ୍ରତି ପଞ୍ଚାୟତରେ ବୁଥ୍‌ ଗଠନ କରିବା ଆବଶ୍ୟକ ବୋଲି ଜିଲ୍ଲା ସଭାପତି ଶ୍ରୀ ପତି କହିଥିଲେ। ବର୍ତମାନ ୨୩୦ଟି ବୁଥ୍‌ ମଧ୍ୟରୁ ୯୮ଟି ବୁଥ୍‌ରେ ବୁଥ୍‌ କମିଟି ଗଠନ ହୋଇ ପାରି ନଥିବା ସେ ସୂଚନା ଦେଇଛନ୍ତି। ଏଦିଗରେ ଗୁରୁତ୍ୱ ଦେବାକୁ ସେ ଆହ୍ଵାନ୍‌ ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ଉପସଭାପତି ଶୁଭେନ୍ଦୁ ପାଢୀ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ବନଜା ପଣ୍ଡା, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ପରିଷଦ ସଭ୍ୟ ମନୋଜ ପଣ୍ଡା, ନଗର ସଭାପତି ଭବାନୀ ଶଙ୍କର ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ ବାପି ପ୍ରଧାନ, ସନ୍ତୋଷ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଏଲ.ମୋହନ ଦାସ, ମହନ୍ତ ଚିନ୍ମୟାନନ୍ଦ, ଗଣେଶ ପାଠୀ, ରଘୁନାଥ ସାମନ୍ତରାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ବିଜେପି ଉପସଭାପତି ପରେଶ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe