କବିସୂର୍ଯ୍ୟନଗର,: ପାରିବାରିକ କଳହ ହେଲା କାଳ। ଆଉ ୩ ମାସର ନିଷ୍ପାପ ଶିଶୁକୁ ତଣ୍ଟି ଚିପି ମାରିଦେଲା ମା’। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଇଲାକାରେ ଏଭଳି ଏକ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ସହ ଝଗଡ଼ାରୁ ମାନସିକ ଭାରସାମ୍ୟ ହରାଇ ନାରାୟଣପୁରଶାସନ ଅଞ୍ଚଳରେ ରଶ୍ମିତା ଶତପଥୀ ନାମକ ଜଣେ ମହିଳା ନିଜର ୩ମାସର ଶିଶୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ସ୍ବାମୀ ସୁଶାନ୍ତ କୁମାର ଶତପଥୀ ଥାନାରେ ଏତଲା ଦେବା ପରେ କେସ ନମ୍ବର ୧ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତ ଶିଶୁ ସୂର୍ଯ୍ୟନାରାୟଣ ଶତପଥୀର ବେକରେ ନାଲି ରଂଗର ଦାଗ ଦେଖିବାକୁ ମିଳିଥିବା ବେଳେ ଗୋଡ଼ ନୀଳ ପଡ଼ିଛି। ଫଳରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ସୁଶାନ୍ତ ଓ ରଶ୍ମିତାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ରଶ୍ମିତାଙ୍କୁ ସ୍ବାମୀ ସୁଶାନ୍ତ ମାଡ଼ ବି ମାରିଥିଲେ। ଫଳରେ ୪ ବର୍ଷର ବଡ଼ପୁଅ ଓ ୩ ମାସର ପୁଅକୁ ଧରି ହଠାତ୍ କୁଆଡ଼େ ଯାଇ ରାତି ୯ଟାରେ ଘରକୁ ଫେରିଥିଲେ। ଭୋର ପ୍ରାୟ ୪ଟାରେ ପୁଅ ସୂର୍ଯ୍ୟନାରାୟଣକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସାହିବାସିନ୍ଦା ସହ ମିଶି ସୁଶାନ୍ତ ପୁଅକୁ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ପରେ ଥାନା ଏସଆଇ ଅର୍ଜୁନ କଅଁର ଓ ଏଏସଆଇ ରବିନ୍ଦ୍ରନାଥ ଗୌଡ଼ ପହଞ୍ଚି ସୁଶାନ୍ତଙ୍କଠୁ ତଥ୍ୟ ସଂଗ୍ରହ କରିଥିଲେ। ପୁଅକୁ ରଶ୍ମିତା ହିଁ ତଣ୍ଟି ଚିପି ହତ୍ୟା କରିଥିବା ସୁଶାନ୍ତ ଅଭିଯୋଗ କରି ଏତଲା ଦାୟର କରିଛନ୍ତି। ତେବେ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।
ପାରିବାରିକ କଳହ ହେଲା କାଳ: ୩ ମାସର ନିଷ୍ପାପ ପୁଅକୁ ମାରିଦେଲା ମା’
Advertisment
Follow Us