ବୁଲା କୁକୁରଙ୍କ ପାଇଁ ପ୍ରେମ: ଟୁନୁ ଗୌଡ଼ଙ୍କର ୩୦ ବର୍ଷର କାହାଣୀ

ବୁଲା କୁକୁରଙ୍କ ପାଇଁ ପ୍ରେମ: ଟୁନୁ ଗୌଡ଼ଙ୍କର ୩୦ ବର୍ଷର କାହାଣୀ

ପାରଳାଖେମୁଣ୍ତି: ପଶୁପକ୍ଷୀଙ୍କ ପାଇଁ ସେହ୍ନ ଓ ଆଦରର ଅନେକ କାହାଣୀ ରହିଥିବା ବେଳେ ପାରଳାଖେମୁଣ୍ତିର  ୪୮ ବର୍ଷିୟ ଟୁନୁ ଗୌଡ଼ (ଡଗମ୍ୟାନ)ଙ୍କର ବୁଲା କୁକୁରଙ୍କ ପାଇଁ ଆଦର ବେଶ୍ ଚର୍ଚ୍ଚିତ। ଅବିବାହିତ ଏବ˚ ସୀମିତ ରୋଜଗାର ସତ୍ତ୍ବେ  ଏହି ବ୍ୟକ୍ତିଙ୍କର ଲାଳନପାଳନ ପାଉଛନ୍ତି ୭୦ ରୁ ଅଧିକ ବୁଲା କୁକୁର।

ପାରଳା ପୌରପାଳିକାର ରାଜଦାଣ୍ତର  ଆନ୍ଧ୍ରାବ୍ୟାଙ୍କ ନିକଟସ୍ଥ ଏକ ଘରେ ଟୁନୁ ଗୌଡ ଏକେଲା ରହୁଥିବା ବେଳେ ତାଙ୍କର ସବୁ ସମୟର ବନ୍ଧୁ ହେଉଛନ୍ତି କୁକୁରମାନେ।  ଗୋଟିଏ ପଟେ ସହରରେ ବୁଲା କୁକୁରଙ୍କ ଉପଦ୍ରବ ପାଇଁ ଜନସାଧାରଣଙ୍କ ମନରେ ଘୃଣାଭାବ ରହୁଥିବା ବେଳେ ଟୁନୁ ଗୌଡ଼ ବିଗତ ୩ ଦଶନ୍ଧି ଧରି ଏହି ଅସହାୟ ପଶୁମାନଙ୍କର ସାହାଭରସା। ପୂର୍ବରୁ ବେସରକାରୀ ଗାଡ଼ିଚାଳକ ଭାବେ କାମ କରୁଥିବା  ଟୁନୁ ଗତ କିଛି ବର୍ଷ ହେଲା ସହର ମଧ୍ୟରେ ଛୋଟ ମୋଟ କାମ କରି ଜୀବିକା ଅର୍ଜନ କରୁଛନ୍ତି।

ନିଜ ପାଇଁ ସ୍ବଳ୍ପ କିଛି ଖର୍ଚ୍ଚ କରି ବଳକା ସବୁ ଆଦାୟ କୁକୁରମାନଙ୍କ ସେବାରେ ଚାଲିଯାଉଛି। ଆନ୍ଧ୍ରାବ୍ୟାଙ୍କ ପଛପଟେ ନିଜ ବାସଭବନ ନିକଟରେ ଏକ ସ୍ବତନ୍ତ୍ର ରୁମ ବନାଇଛନ୍ତି କୁକୁରମାନଙ୍କ ନିମନ୍ତେ ଟୁନୁ। କୁକୁରମାନଙ୍କ ପାଇଁ ଘରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏୟାର‌୍‌କଣ୍ତିନେସର‌୍‌)ଓ ପଙ୍ଖା, ଟିଭି, ସ˚ଗୀତ ସାମଗ୍ରୀ ଇତ୍ୟାଦି ଲଗାଇଛନ୍ତି।

ତାଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି କୁକୁରମାନଙ୍କୁ ସେ ପଶୁ ନୁହେଁ ବରଂ ବନ୍ଧୁ ବୋଲି ଭାବୁଛନ୍ତି। ଉକ୍ତ କାରଣ ଯୋଗୁଁ ତାଙ୍କ ଘରର କବାଟ ସବୁ ସମୟରେ ଖୋଲା  ଓ ଘରୁ ପ୍ରବେଶ କରିବା ମାତ୍ରେ କୁକୁରମାନଙ୍କ  ନିମନ୍ତେ  ପ୍ରସ୍ତୁତ କକ୍ଷରେ ୫ ରୁ ୧୦ କୁକୁର ବିଶ୍ରାମ ନେଉଥିବା ଦେଖିବାକୁ ମିଳିବ।

publive-image

ବର୍ତ୍ତମାନ ସମୟରେ କରୋନା କଟକଣା ବେଳେ ଜନସାଧାରଣ ଏବ˚ ସରକାର ପଶୁମାନଙ୍କୁ ଖାଦ୍ୟ ଦେବା ପାଇଁ ଉତ୍ସାହ ପ୍ରକାଶ କରୁଥିବା ବେଳେ ଟୁନୁ ଏହି କାର୍ଯ୍ୟକ୍ରମ ୧୯୯୩  ମସିହାରୁ କରି ଆସୁଛନ୍ତି । ସେ କହିଛନ୍ତି ସେହି ସମୟରେ ମାତ୍ର ୨ ରୁ ୩ ଟଙ୍କା ଦେଲେ ଗୌରୀଶଙ୍କର ହୋଟେଲରୁ କୁକୁରମାନଙ୍କ ପାଇଁ ଭାତ ଓ ଆମିଷ ପ୍ୟାକେଟ ମିଳୁଥିଲା। ବର୍ତ୍ତମାନ ଏହି ଦର ୭୦ ଟଙ୍କାକୁ ପହଞ୍ଚିଲାଣି ଓ ଏହା ସତ୍ତ୍ବେ ସେ ଦୈନିକ ୭୦ଟି କୁକୁରମାନଙ୍କ ପାଇଁ  ୨ ଓଳି ଖାଇବାକୁ ଦେଉଛନ୍ତି । ଟୁନୁଙ୍କର କୁକୁରମାନଙ୍କ ନିକଟରେ ପ୍ରଭାବ ଏପରି କି ସେ ନିଜ ଦୁଇ ଚକିଆ ଗାଡିରେ ଭ୍ରମଣ ଆରମ୍ଭ କରିବା ମାତ୍ରେ ସହରର ସବୁ ସାହିରେ କୁକୁରମାନେ  ଭୁକିଭୁକି ତାଙ୍କୁ ସ୍ବାଗତ କରନ୍ତି । ପ୍ରତିଦିନ ସକାଳୁ ନିଜ ଗାଡ଼ିର ପଛରେ ଏବ˚ ଆଗରେ ଗୋଟିଏ ଗୋଟିଏ କୁକୁରକୁ ବସାଇ ହାତରେ ବିସ୍କୁଟ ପ୍ୟାକେଟ ରନ୍ଧା ଆମିଷ ଖାଦ୍ୟ ଧରି ସହର ଭ୍ରମଣ କରିବା ତାଙ୍କର ଦୈନିକ କାର୍ଯ୍ୟ। ଯେଉଁଠି ସେ ଭୋକିଲା କୁକୁରଙ୍କୁ ଦେଖିବେ ମୁଠାଏ ବିସ୍କୁଟ କିମ୍ବା ରନ୍ଧାଖାଦ୍ୟ ସେଠାରେ ଦାନ କରିବେ। କୁକୁର ମାନଙ୍କର ସ୍ନେହ ଓ ଆଦର ଯୋଗୁଁ ବିବାହ ବିଷୟରେ ସେ ଆଉ ଚିନ୍ତା କରିପାରିଲେ ନାହିଁ, ବୋଲି କହିଛନ୍ତି।

ରାତି ହେବା ପରେ ନିଜ ଶୋଇବା କକ୍ଷକୁ ପ୍ରବେଶ କରି ଟେଲିଭିଜନ ଦେଖିବା ଆରମ୍ଭ କରିବା ମାତ୍ରେ କୁକୁର ମାନେ  ଏହି କକ୍ଷକୁ ଚାଲି ଆସନ୍ତି ।  କୁକୁରମାନଙ୍କ ଲାଗି ହିନ୍ଦୀ, ତେଲୁଗୁ ଓ ଓଡିଆ ଗୀତ ନିୟମିତ ବାଜେ ଏବ˚ ଆଶ୍ଚର୍ଯ୍ୟର ବିଷୟ ଯେ ଏପରି ଗୀତ ଆରମ୍ଭ ହେବା ମାତ୍ରେ ଗୃହ ମଧ୍ୟରେ ଥିବା ସମସ୍ତ କୁକୁର ଚୁପଚାପ ବସିପଡ଼ନ୍ତି। କୁକୁରମାନଙ୍କର ଲାଳନପାଳନ ପାଇଁ ସେ କାହା ଆଗରେ ହାତ ପତାଇ ନାହାନ୍ତି, କିନ୍ତୁ ଅନେକ ଥର କିଛି ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବାପାଇଁ ସ୍ବେଚ୍ଛାକୃତ ଭାବେ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଟୁନୁ ଗୌଡ଼ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe