ପାରଳାଖେମୁଣ୍ଡି/କାଶୀନଗର: ସାମୁଦ୍ରିକ ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗଜପତି ଜିଲ୍ଲାରେ ଆଜି ସନ୍ଧ୍ୟା ୮ଟା ସୁଦ୍ଧା ୬୯୦୭ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ୧୭୦ ଜଣ ଗର୍ଭବତୀ ମା’ଗୃହକୁ ସ୍ଥାନାନ୍ତର ହୋଇଛନ୍ତି। ବାତ୍ୟା ପ୍ରଭାବ ଯୋଗୁଁ କାଶୀନଗର ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରରେ ଶିଆଳି ପଂଚାୟତର ଜୀବନ ଦାସ ଗୁଡ଼ାର ଆଶ୍ରିତ ପ୍ରସୂତି ମହିଳା ଜୟନ୍ତୀ ସଉରା ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ଡାକ୍ତରଖାନା ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

କାଶୀନଗର ଅଞ୍ଚଳରେ ଆଜି ସକାଳୁ ଠାରୁ ରହିରହି ଝିପିଝିପି ବର୍ଷା ଜାରି ରହିଛି। ସରକାରଙ୍କ ଦ୍ବାରା କରାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଅସ୍ଥାନୀୟ ଆଶ୍ରୟ ସ୍ଥଳୀକୁ ଲୋକମାନେ ଯାଉଛନ୍ତି। ମାଟି ଓ ଚାଳରେ ନିର୍ମିତ କଚ୍ଚା ଘରେ ବାସ କରୁଥିବା ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝି, ସ୍ଥାନୀୟ ତହସିଲଦାର ସୁଧୀର କୁମାର ନନ୍ଦ ଓ ବିଡ଼ିଓ ଡ଼ମ୍ବୁରୁଧର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ ପ୍ରକ୍ରିୟା ଜାରି ରହିଛି। କାଶୀନଗର ବ୍ଲକ ସବୁ ପଞ୍ଚାୟତରୁ ପ୍ରାୟ ୪୦୦ ଜଣ ପୁରୁଷ, ମହିଳା, ଶିଶୁ, ଭିନ୍ନକ୍ଷମଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥନାନ୍ତରିତ କରାଯାଇଛି। କାଶୀନଗର ବ୍ଲକରେ ପଂଚାୟତଗୁଡ଼ିକରେ ଥିବା ବିଭିନ୍ନ ଆଶ୍ରୟ ସ୍ଥଳୀଗୁଡ଼ିକରେ ମୁକ୍ତ ରନ୍ଧନ ଖାଦ୍ୟ ପରିବେଷଣ ହେଉଛି।

ଆହୁରି ପଢ଼ନ୍ତୁ: Cyc‌lone Montha LIVE UPDATES: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା; ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ମୋନ୍ଥା ମୁକାବିଲା ପାଇଁ ମହାପ୍ରସ୍ତୁତି...

ବାତ୍ୟା ପାଇଁ ପ୍ରସ୍ତୁତି, ବ୍ୟବସ୍ଥା

ବାତ୍ୟା ‘ମୋନ୍ଥା’କୁ ମୁକାବିଲା କରିବା ପାଇଁ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ପରିଷଦରେ କିଛି ୱାର୍ଡ ବଂଶଧାରା ନଦୀତଟରେ ରହିଥିବାରୁ ସେହି ୱାର୍ଡ ଗୁଡିକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ନିକଟରେ ରହୁଥିବା ପରିବାର ମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ ଜାରି ରହିଛି।ପରିଷଦର ୧୩ଗୋଟି ୱାର୍ଡ ମଧ୍ୟରେ ୧୧୩ଟି କଚ୍ଚା ଘର ମଧ୍ୟରେ ୨୬୬ ଲୋକ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୪୮ ଜଣ ଭିନ୍ନକ୍ଷମ, ୨୪ଜଣ ବରିଷ୍ଠ ନାଗରିକ, ୨୪ ଜଣ ପ୍ରସୂତି ମହିଳା ଓ ୨୯ ଜଣ ପାଞ୍ଚ ବର୍ଷ ବୟସରୁ କମ ଶିଶୁ ଅଛନ୍ତି। ବାତ୍ୟାକୁ ମୁକାବିଲା କରିବା ପାଇଁ ପରିଷଦ ମଧ୍ୟରେ ୩୦୦ ଲୋକଙ୍କ ରହିବା ନିମନ୍ତେ ଦୁଇଟି ଆଶ୍ରୟ ସ୍ଥଳ, ଗୋଟିଏ ହେଲା ବିଜୁ କଲ୍ୟାଣ ମଣ୍ଡପ ଓ ଆଉ ଗୋଟେ ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚିନ୍ହଟ କରାଯାଇଛି। ଆଶ୍ରୟସ୍ଥଳରେ ଜେନେରରେଟର ବ୍ୟବସ୍ତା ସହ ପାନୀୟ ଜଳ, ଶୁଖିଲା ଖାଦ୍ୟ ଯେପରି ଚୁଡା, ବିସ୍କୁଟ, ଗୁଡ଼ ଓ ରନ୍ଧା ଖାଦ୍ୟ ମିଶନ ଶକ୍ତି ମହିଳାମାନେ ଯୋଗେଇଦେବେ, ମହମବତୀ ଏପରି ଅନୁସଙ୍ଗିକ ବ୍ୟବହୃତ ଜିନିଷ ସବୁ ମହଜୁଦ ରଖାଯାଇଛି ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ସାହୁ ସୂଚନା ଦେବା ସହ ବାତ୍ୟା ମୁକାବିଲା କରିବା ପାଇଁ ସ୍ଥାନୀୟ ଅଧ୍ୟକ୍ଷା ଏମ ସୁଧାରାଣୀ, ଉପାଧ୍ୟାକ୍ଷ ରଘୁରାମ ସାହୁ ଓ ୧୩ ଜଣ କାଉନସିଲଙ୍କ ସହ ଯୋଗାଯୋଗ କରି ଯେପରି କେହି ଜଣେ କେହି ହେଲେ ମୃତାହତ ନ ହେବେ (ଜିରୋ କାଜୁୟାଲିଟି) ସେଥିପାଇଁ ସଜାଗ ରହିବା ସହ କାର୍ଯ୍ୟ ନିର୍ବାହୀ ଅଧିକାରୀ ଘରଘର ନିଜେ ବୁଲି ସଚେତନ କରିବା ସହ ଡାକ ବାଜି ଯନ୍ତ୍ର ମାଧ୍ୟମରେ ମଧ୍ୟ ୱାର୍ଡବାସୀଙ୍କୁ ବାତ୍ୟା ନିମନ୍ତେ ସଚେତନ କରାଯଉଛି ବୋଲି ସୂଚନା ଦେଇଥିଲେ। ବାତ୍ୟା ପରବର୍ତୀ ସମୟରେ ବିଜୁଳି କାଟ୍‌କୁ ସମ୍ମୁଖୀନ ନହେବା ପାଇଁ ୨୦୦ ଲିଟର ଡିଜେଲ ମହଜୁଦ ରଖାଯାଇଛି ଓ ବାତ୍ୟା ପ୍ରଭାବରେ ରାସ୍ତାଘାଟରୁ ଗଛ ସବୁ ହଟେଇବା ନିମନ୍ତେ ଜେସିବିର ବ୍ୟବସ୍ତା ମଧ୍ୟ ହୋଇଛି।

ଆହୁରି ପଢ଼ନ୍ତୁ: Impact of cyclone montha: ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ରଖି ୨ ଜଳଭଣ୍ଡାରର ୬ ଗେଟ୍ ଖୋଲିଲା