ସମ୍ବଲପୁରରେ ଧରାପଡ଼ିଲା ଚୋର ଗ୍ୟାଙ୍ଗ

ସମ୍ବଲପୁରରେ ଧରାପଡ଼ିଲା ଚୋର ଗ୍ୟାଙ୍ଗ

ସମ୍ବଲପୁର: ବରେଇପାଲି ଥାନା ଡେଙ୍ଗସରଙ୍ଗି ବାଲାଜୀ କଲୋନିରେ ସିରିଜ୍‌ ଚୋରି ହୋଇଥିଲା। କେହି ନଥିବା ବେଳେ ଦୁର୍ବୃତ୍ତମାନେ ମେ’ ୨୭ ତାରିଖ ବିଳମ୍ବିତ ରାତିରେ ୨ଟି ଘରୁ ସୁନା ଅଳଙ୍କାର ସହ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଥିଲେ। ଏହି ମାମଲାରେ ବରେଇପାଲି ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ପୁଲିସ ଚୋର ଗ୍ୟାଙ୍ଗ୍‌ର ୬ ଜଣଙ୍କୁ ଧରିବା ସହ ବିଭିନ୍ନ ଚୋରି ସାମଗ୍ରୀ ଜବତ କରିଛି। ଗିରଫ ହୋଇଥିବା ୬ ଅଭିଯୁକ୍ତ ହେଲେ ବରଗଡ଼ ଗୋଲପଡ଼ାର ମହେଶ ଶର୍ମା ଓରଫ ଗୁଡୁ(୩୪), ଘନଶ୍ୟାମ ଘାସି ଓରଫ ଉଣ୍ଡୁ(୨୨), ସୁନୀଲ ବରିହା(୧୯) ଓ ସୋନୁ ସାଗର(୨୫), ସୁନା କିଣିଥିବା ବରଗଡ଼ ସୂତାମିଲ ଛକର ପଙ୍କଜ ସଠୁଆ(୨୩) ଏବଂ କ୍ଷେତରାଜପୁରର ମନ୍ଥନ ହରିପାଲ(୨୪)। ସେମାନଙ୍କ ପାଖରୁ ପୁଲିସ ତରଳା ଯାଇଥିବା ୪୦ ଗ୍ରାମ ସୁନା, ନଗଦ ୨୧ ହଜାର ଟଙ୍କା, ଦୁଇଟି ଲାପଟପ୍‌, ୨୨ଟି ମୋବାଇଲ ଫୋନ, ଦୁଇଟି ଏଲ୍‌ଇଡି ଟିଭି, ୨ଟି ଚାଉଳ ପ୍ୟାକେଟ୍‌, ୨ଟି ନମ୍ବର ନଥିବା କାର୍‌, ଲୁହା ରଡ୍‌, ଖଣ୍ଡା, ହକି ଷ୍ଟିକ୍‌ ଆଦି ଜବତ କରିଛି।

publive-image

ସୂଚନାଯୋଗ୍ୟ, ବରଇପାଲି ଥାନା ଅଧୀନ ବାଲାଜୀ କଲୋନିର ଡି-୮ ନମ୍ବର ଘରୁ ୪୨ ଗ୍ରାମ୍‌ ସୁନା ଅଳଙ୍କାର, ୨ଟି ଲାପଟପ୍‌, ଗୋଟିଏ ଏଲ୍‌ଇଡି ଟିଭି, ସାଉଣ୍ଡବକ୍ସ ଆଦି ଚୋରି ହୋଇଥିଲା। ସେଭଳି ଡି-୩୨ ନମ୍ବର ଘରୁ ୩୦,୦୦୦ ଟଙ୍କା, ୩ ହଳ କାନଫୁଲ ଏବଂ ୨ଟି ମୁଦି ଚୋରି ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ସମ୍ବଲପୁର ଏସ୍‌ପି ମୁକେଶ ଭାମୁଙ୍କ ନିର୍ଦ୍ଦେଶକ୍ରମେ ଅଇଁଠାପାଲି ଥାନାଧିକାରୀ ସନୟ ନାୟଙ୍କ, ସଦର ଥାନାଧିକାରୀ ସୁବ୍ରତ ପାଣିଗ୍ରାହୀ, ବରେଇପାଲି ଥାନାଧିକାରୀ ଧୀରେନ ସ୍ବାଇଁ ଓ ଧନୁପାଲି ଥାନାଧିକାରୀ ରଞ୍ଜନ ବିଶ୍ବାଳଙ୍କ ତତ୍ତ୍ବାବଧାନରେ ଏକ ସ୍ବୂତନ୍ତ୍ର ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ଏହି ଟିମ୍‌ ଅଭିଯୁକ୍ତଙ୍କୁ ଗିରଫ କରି ଚୋରି ସାମଗ୍ରୀ ଜବତ କରିଥିଲେ। ଏହି ଗ୍ୟାଙ୍ଗ୍‌ ବୁର୍ଲା ଥାନା ଅଞ୍ଚଳରେ ମଧ୍ୟ ୨ଟି ଚୋରିରେ ସାମିଲ ଥିଲେ। ସେହି ଚୋରି ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe