ଗଞ୍ଜେଇ ଅମଳ ସମୟ, ମାଫିଆଙ୍କ ଭିଡ ଜମୁଛି ପୁଲିସର ନିଦ ହଜିଯାଇଛି

Advertisment
ଗଞ୍ଜେଇ ଅମଳ ସମୟ, ମାଫିଆଙ୍କ ଭିଡ ଜମୁଛି ପୁଲିସର ନିଦ ହଜିଯାଇଛି

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଦୁର୍ଗମ ଅଞ୍ଚଳରେ ପ୍ରଚୁର ଗ‌‌ଞ୍ଜେଇ ଚାଷ ହେଉଥିବାରୁ ମାଫିଆଙ୍କ ଭିଡ ଏବେ ଦେଖିବାକୁ ମିଳୁଛି। ଜିଲ୍ଲାକୁ ପ୍ରତିଦିନ ନୂଆ ନୂଆ ଅତିଥିମାନେ ଆସୁଥିବା ଦେଖିବାକୁ ମିଳିଛି। ଗତବର୍ଷ ଗଞ୍ଜେଇ ଚାଷ ପାଇଁ ଏମାନେ ପୁଞ୍ଜି ବିନିଯୋଗ କରିଥିଲେ। ଆଉ ଏହାର ଅସୁଲି ତଥା ମାଲ ନେବାର ସମୟ ଆସିଥିବାରୁ ଦୁର୍ଗମ ଅଞ୍ଚଳରେ ଏବେ ଅନେକ ନୂଆ ମୁହଁ ଦେଖିବାକୁ ମିଳୁଛି। ଏମାନଙ୍କ ଅସଲ ପରିଚୟ ହେଉଛି ଗଞ୍ଜେଇ ମାଫିଆ। ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ ଚିତ୍ରକୋଣ୍ଡା, କୋରକୋଣ୍ଡା, ମାଲକାନଗିରି ବ୍ଲକର କିଛି ଅଞ୍ଚଳରେ ପ୍ରଚୁର ଗ‌‌ଞ୍ଜେଇ ଚାଷ କରାଯାଏ। ଏହାକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ମାଫିଆ ମାନେ ପ୍ର‌ୋତ୍ସାହନ ଯୋଗାଇ ଆସୁଛନ୍ତି।ବର୍ତ୍ତମାନ ଅମଳ ସମୟ ଆସୁଥିବାରୁ ମାଫିଆ ମାନଙ୍କ ଭିଡ ମାଲକାନଗିରିରେ ଜମିବାରେ ଲାଗିଛି। ଏଥିରେ ବେଶୀ ସଂଖ୍ୟାରେ ଯୁବକ ସାମିଲ ହୋଇଛନ୍ତି। ଜିଲ୍ଲାରେ କୋଟି କୋଟି ଟଙ୍କାର କାରବାର ହେଉଥିବାରୁ ସମସ୍ତେ ଏଥିରେ ମାତିଛନ୍ତି। ଚିତ୍ରକୋଣ୍ଡା ବ୍ଲକର ବିଛିନ୍ନାଞ୍ଚଳରେ ରହିଥିବା ପ୍ରାୟ ୧୨ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ବେଶୀ ଗ‌‌ଞ୍ଜେଇ ଚାଷ କରାଯାଉଥିବା ଦେଖିବାକୁ ମିଳିଛି।

ଏହି ଚାଷ ଦ୍ବାରା ନକ୍ସଲଲ ସଙ୍ଗଠନରେ ପାଣ୍ଠି ଯୋଗାଡ ହେଉଥିବାରୁ ଏଥିପ୍ରତି ନକ୍ସଲଙ୍କ ଆର୍ଶିବାଦ ରହୁଛି। ଏହି ଅଞ୍ଚଳରୁ କୋଟି କୋଟି ଟଙ୍କାର ଗ‌‌ଞ୍ଜେଇ ପଡୋଶୀ ଛତିଶଗଡ, ଆନ୍ଧ୍ର, ତେଲେଙ୍ଗାନା ଏବଂ ଅନ୍ୟ ରାଜ୍ୟ ଗୁଡିକକୁ ଚାଲାଣ କରାଯାଉଛି। ମାଫିଆ ମାନେ ଚିତ୍ରକୋଣ୍ଡାରେ ଡେରା ପକାଇ ସବୁକିଛି କାରବାର କରୁଛନ୍ତି। ବିଛିନ୍ନାଞ୍ଚଳର ରାଲଗେଡା, ପେପରମେଟଲା, ପଣସପୁଟ, ଯଡାମ୍ବ, ବଡପଦର, କୁରମାନୁର, ପାପଲୁର ଭଳି ଦୁର୍ଗମ ଅଞ୍ଚଳରେ ରହୁଥିବା ଜଙ୍ଗଲ ଜମିରେ ଏହି ଚାଷ ବେଧଡକ କରାଯାଉଛି।ମାଓବାଦୀଙ୍କ ଦବଦବା ରହୁଥିବାରୁ ଏହି ଅଞ୍ଚଳରେ ଏହିଚାଷକୁ ବିଶେଷ ଗୁରୁତ୍ବ ଦିଆଯାଉଥିଲା। ଏହି ଖବର ପୁଲିସ ଏବଂ ଅବକାରୀ ବିଭାଗ ନିକଟରେ ରହିଥିଲେ ମଧ୍ୟ ଏହି ଅଞ୍ଚଳ ବିପଦପୂର୍ଣ୍ଣ ରହିଥିବାରୁ ଏଠାକେ କେହି ଆସିବାକୁ ଭୟ କରୁଥିଲେ। ଏଠାରେ ଚଢଉ କରିବାକୁ ହେଲେ ବହୁ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ। ତେଣୁ ପୁଲିସ ଏବଂ ଅବକାରୀ ବିଭାଗ ଯାହା ଅମଳ ହୁଏ ସେଥିରୁ ମାତ୍ର ୧୦ ପ୍ରତିଶତ ହିଁ ନଷ୍ଟ କରିବା ଏବଂ ଚାଲାଣ ରୋକିବାରେ ସଫଳ ହେଉଥିବା ଜଣାପଡିଛି। ଏହି ଅଞ୍ଚଳ ଗୁଡିକରେ ଅନେକ ଧାନ ଚାଷ ଛାଡି ଗ‌‌ଞ୍ଜେଇ ଚାଷକୁ ନିଜର ପାରମ୍ପରିକ ଚାଷ ବୋଲି ବାଛି ନେଇଥିଲେ। ମାଫିଆ ମାନେ ପୂର୍ବରୁ ଚାଷୀଙ୍କୁ ବିହନ, ସାର ଇତ୍ୟାଦି ଯୋଗାଇ ଦେଇଥାନ୍ତି।

publive-image Sambad

ଅମଳ ସମୟରେ ଆସି ସମସ୍ତେ ଗଞ୍ଜେଇକୁ କିଣି ନିଅନ୍ତି। ସ୍ଥାନୀୟ ଲୋକେ ଗ‌ଞ୍ଜେଇଇକୁ ଅମଳ କରିବା ପରେ ଶୁଖାଇ ତାକୁ ପ୍ୟାକିଂ କାମ କରିଥାନ୍ତି। ବହୁ ଚାଷୀ ମାଫିଆଙ୍କ ଠାରୁ ଟଙ୍କା ନପାଇ ଏବେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ମାଫିଆ ମାନେ ବିକ୍ରି ହେବା ପରେ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇ ଆଉ ଆସନ୍ତି ନାହିଁ।ଚାଷୀ ସବୁ କିଛି କରିବା ପରେ ମଧ୍ୟ ଉଚିତ ପ୍ରାପ୍ୟ ନପାଇ ହତାଶ ହୁଏ। ଏବେ କିନ୍ତୁ ପୁଲିସ ଏହାକୁ ରୋକ ଲଗାଇବାକୁ ଜୋରସୋର ଉଦ୍ୟମ ଆରମ୍ଭ କରିଛି। ଲଗାତାର ଜିଲ୍ଲାର ସମସ୍ତ ପୁଲିସ ଥାନା ପକ୍ଷରୁ ଗଞ୍ଜେଇ ଚାଲାଣକୁ ରୋକ ଲଗାଇବାକୁ ଏକ ମୁଖ୍ୟ ଲକ୍ଷ୍ୟ କରିଛି। ଜିଲ୍ଲା ସାରା ପୁଲିସର ଯାଞ୍ଚ ଛାଉଣି ରହିଛି। ପ୍ରଥମତଃ ନକ୍ସଲ ଗତିବିଧିକୁ ନେଇ ଏହି ଯାଞ୍ଚ ଚାଲୁଥିବା ଏବେ କିନ୍ତୁ ନକ୍ସଲ କମିବା ପରେ ଗଞ୍ଜେଇକୁ ପୁଲିସ ପ୍ରାଧାନ୍ୟ ଦେଇଛି। ଜିଲ୍ଲାରୁ ଗଞ୍ଜେଇକୁ ସମୂଳେ ଧ୍ବଂସ କରିବାକୁ ପଣ କରିଛି। ତେଣୁ ଗଞ୍ଜେଇ ଚାଷକୁ ବନ୍ଦ କରିବା ସହ ଜିଲ୍ଲାକୁ ଆସୁଥିବା ମାଫିଆ ମାନଙ୍କୁ କାବି କରି ଜେଲ ପଠାଇବାକୁ ସମସ୍ତ ବ୍ଲୁପ୍ରିଣ୍ଟ କରିଛି। ମାଫିଆ ମାନେ ଡାଳେ ଡାଳେ ଗଲେ ପୁଲିସ ପତରେ ପତରେ ଯାଉଛନ୍ତି। ତେଣୁ ପୁଲିସର ମାତ୍ରାଧିକ ଚଢଉ ଏବେ ତାଙ୍କ ପାଇଁ ବୁମେରାଂ ହୋଇଥିବା ଦେଖିବାକୁ ମିଳିଛି। ତେବେ ପୁଲିସ ଗଞ୍ଜେଇ ରୋକିବାରେ କେତେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe