ପଂଜାବ ଯାଉଥିଲା ଟ୍ରକ; ୧୦୦୧ କିଲୋ ଗଂଜେଇ ଓ ୯୩ ପ୍ୟାକେଟ୍ ଅଦା ଜବତ

Advertisment
ପଂଜାବ ଯାଉଥିଲା ଟ୍ରକ; ୧୦୦୧ କିଲୋ ଗଂଜେଇ ଓ ୯୩ ପ୍ୟାକେଟ୍ ଅଦା ଜବତ

Sambad

ଜୟପୁର: କୋରାପୁଟରୁ ପଂଜାବ ଯାଉଥିଲା ଗଂଜେଇ। କିନ୍ତୁ ଜୟପୁର ସଦରଥାନା ଅଂଚଳରେ ପୁଲିସ ହାବୁଡ଼ରେ ଗତକାଲି ସାଢ଼େ ୩ଟା ବେଳେ ପଡ଼ିଗଲା। ଟ୍ରକ ମଧ୍ୟରେ ଥିବା ଗଂଜେଇକୁ ଜବତ କରିବା ସହ ଚାଳାଣ କରୁଥିବା ଜଣେ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ହରିଆନା ଚଣ୍ଡିଗଡ଼ ଜିଲ୍ଲାର ମନିମଝାର ଥାନା ଅର୍ନ୍ତଗତ ବାହାରମଲ ଗାଁର କରମ ସିଂଙ୍କ ୩୧ବର୍ଷୀୟ ପୁଅ ଅମରିନ୍ଦର ସିଂହ। ଜବତ ହୋଇଥିବା ଟ୍ରକ (ପିବି-୬୫-ଭି-୪୪୫୬)ର ଅଭିଯୁକ୍ତ ନିଜେ ମାଲିକ ତଥା ଚାଳକ।

ଏହି ମାମଲାରେ ସଂମ୍ପୃକ୍ତ ଅନ୍ୟ ୩ ଅଭିଯୁକ୍ତର ଚିହ୍ନଟ ହୋଇ ସାରିଥିବା ବେଳେ ବହୁ ଶୀଘ୍ର ଉକ୍ତ ଅଭିଯୁକ୍ତଙ୍କୁ ବି ଧରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଶେଖ ବେହେରା ଓ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର। ଚୋରା ଚାଲାଣର ଚରାଭୁଇଁ ପାଲଟିଛି କୋରାପୁଟ ଜିଲ୍ଲା। ଏଠାରୁ ଚାଳାଣକାରୀ ମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଚାଳାଣ କରୁଛନ୍ତି। କେତେବେଳେ ପନିପରିବା, ଅଦା, ଅକ୍ସିଜେନ ସିଲଣ୍ଡର, କଣ୍ଟେନର ଆଦିରେ ବାକ୍ସ ତିଆରି କରି ଚାଳାଣ କରୁଛନ୍ତି। ଏଭଳି ଗୋଟିଏ ଟ୍ରକରେ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ଅଂଚଳରୁ ପଂଜାବକୁ ଅଦା ମଧ୍ୟରେ ଗଂଜେଇ ଚାଳାଣ ହେଉଥିବା ସୂଚନା ପାଇଥିଲେ ଜୟପୁର ସଦରଥାନା ଅଧିକାରୀ।

publive-image Sambad

ସେ ନିଜେ ଏହାର ନେତୃତ୍ବ ନେଇ ସବଇନିସପେକ୍ଟର ଏନକେ ଟପ୍ପୋ ସଦଳବଳ ସହ ଜୟପୁର ଘାଟି ନିକଟରେ ଛପି ରହିଥିଲେ। ଟ୍ରକଟିକୁ ଯାଂଚ କରିବାରେ ବସ୍ତା ଗୁଡ଼ିକରେ ଅଦା ରହିଥିଲା। ତେବେ ଅଦା ବସ୍ତା ମଧ୍ୟରେ ଗଂଜେଇ ପ୍ୟାକ କରି ଏହାକୁ ଲୁଛାଇ ନିଆ ଯାଉଥିବା ଦେଖିବାକୁ ମିଳିଥିଲା। ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବୁ ଗଂଜେଇକୁ ବାହାର କରିଥିଲେ। ଏହା ଓଜନ କରିବାରେ ୧୦୦୧କିଲୋ ହୋଇଥିଲା। ଏହା ସହ ୯୩ବସ୍ତା ଅଦା ବି ଜବତ ହୋଇଥିଲା। ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ଏକ କୋଟି ହେବ ବୋଲି ଏସଡିପିଓ ଓ ସଦରଥାନା ଅଧିକାରୀ କହିଛନ୍ତି। ଅଭିଯୁକ୍ତ ଅମରିନ୍ଦରଙ୍କୁ କୋର୍ଟକୁ ଚାଳାଣ କରାଯାଇଥିଲା। ସେଭଳି ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଛି। ଏମାନଙ୍କୁ ଅତି ଶୀଘ୍ର ଧରା ଯିବ ବୋଲି ପୁଲିସ ଅଧିକାରୀ ମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe