ଦଶପଲ୍ଲା: ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ ପାଲଟିଛି କନ୍ଧମାଳ ଜିଲ୍ଲା। କନ୍ଧମାଳରୁ ଦୈନିକ ରାଜ୍ୟ ଓ ବାହାରକୁ ବେଧଡକ ଭାବେ ହେଉଛି ଗଞ୍ଜେଇ ଚୋରାଚାଲାଣ। କଲେଜ ପଢୁଆ ଛାତ୍ର, ଛାତ୍ରୀଙ୍କଠାରୁ ଆରମ୍ଭ କରି ମହିଳାମାନେ ଏହି ଚାଲାଣରେ ସଂପୃକ୍ତ ରହୁଥିବା ବେଳେ ପୁଲିସ ଏବଂ ଅବକାରୀ ବିଭାଗଠାରୁ ଲୁଚିବା ପାଇଁ ନାମିଦାମି ଗାଡି ଯୋଗେ ଏସବୁ ଗଞ୍ଜେଇ ଚାଲାଣ ହେଉଛି। ଗତ ୨ଦିନ ତଳେ ବାଣିଗୋଛା ପୁଲିସ ଏବଂ ଅବକାରୀ ବିଭାଗ ବିହାରର ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୯ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଗତକାଲି ସଂଧ୍ୟାରେ ଦଶପଲ୍ଲା ପୁଲିସକୁ ମିଳିଛି ଆଉ ଏକ ସଫଳତା। ମାଫିଆମାନେ (ଓଆର୍ ୦୨ ଏଏ ୧୧୫୫) କାର ଯୋଗେ ଗଞ୍ଜେଇ ଚାଲାଣ ସମୟରେ ଦଶପଲ୍ଲା–ଗଣିଆ ୪୮ ନମ୍ବର ରାଜ୍ୟ ରାଜପଥର ଯୋଗିବନ୍ଧ ନିକଟରୁ ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରାଯାଇଛି।
କାରରୁ ୨୪ କିଗ୍ରା ୫ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ସଦର ଥାନା ଅଧୀନସ୍ଥ ସାନଗାଡୁ ଗ୍ରାମର ସୁଶିଲ୍ ଦିଗାଲ୍(୪୨), ଚକାପାଦ ଥାନା ଅଧୀନସ୍ଥ ରଙ୍ଗମାଟିଆ ଗ୍ରାମର ସଂଜୀବ ଓରଫ୍ ସଂଜିତ୍ ଦିଗାଲ(୨୧), ଟିକାବାଲି ଥାନା ଅଧୀନସ୍ଥ କଟାଡି ଗ୍ରାମର ବିପ୍ଲବ ଦିଗାଲ୍(୨୧) ଏବଂ ସୁକଦେବ ପ୍ରଧାନ(୨୧)। ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଯାଞ୍ଚ ବେଳେ ଏହା ଜଣାପଡିଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ କହିଛନ୍ତି। ତାଙ୍କଠାରୁ ୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଅଭିଯୁକ୍ତ ମାନେ ଏସବୁ ଗଞ୍ଜେଇକୁ ଭୁବନେଶ୍ବର ଚାଲାଣ କରୁଥିବାବେଳେ ପେଶାଦାର ବ୍ୟବସାୟୀ ହୋଇଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।
Follow Us