୩୦୦ ବୋତଲ କଫ ସିରପ୍‌ ଓ ୨ କିଲୋ ଗଞ୍ଜେଇ ଜବତ

୩୦୦ ବୋତଲ କଫ ସିରପ୍‌ ଓ ୨ କିଲୋ ଗଞ୍ଜେଇ ଜବତ

Sambad

ଖୋର୍ଦ୍ଧା: ନିର୍ବାଚନ ସମୟରେ ଅବକାରୀ ଓ ପୁଲିସର ବେଆଇନ ନିଶା କାରବାର ଉପରେ ଘନଘନ ଚଢ଼ଉ ଚାଲିଛି। ତେବେ ବେଆଇନ ନିଶା ବେପାରୀ ନୂଆ ନୂଆ ଉପାୟ ବାହାର କରି ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେଉଛନ୍ତି। ଆଜି ଖୋର୍ଦ୍ଧା ଉପକଣ୍ଠ ପୁବୁସାହିରେ ଏଭଳି ଚଢ଼ଉ ସମୟରେ ଏକ ରୋଚକ ତଥ୍ୟ ଜଣାପଡ଼ିଛି। ଜଣେ ନିଶାବେପାରୀଙ୍କ ଘରେ ଥିବା ପାଳଗଦାରୁ ଶତାଧିକ ବେଆଇନ କଫ୍ ସିରପ ଓ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି। ସୂଚନାନୁସାରେ, ପୁବୁ ସାହିର ଗଣେଶ ପାତ୍ର (୩୧)ଙ୍କ ଏକ ଚାହା ଦୋକାନ ରହିଛି। ଅନେକ ଦିନ ଧରି ଏହି ଦୋକାନରୁ ସେ ବେଆଇନ କଫ ସିରପ ଓ ଗଂଜେଇ ବିକ୍ରି କରୁଥିଲେ। ସୂଚନା ପାଇ ଆଜି ସକାଳ ପ୍ରାୟ ୮ଟା ବେଳେ ଅବକାରୀ ବିଭାଗର ଏକ ଟିମ୍ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଗଣେଶଙ୍କ ଘର ପରିସରରେ ଥିବା ପାଳଗଦାରୁ ୩୦୦ ବୋତଲ କଫ ସିରପ ଓ ୨ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା।

ଏହି ଘଟଣାରେ ଅବକାରୀ ବିଭାଗ ୫୪/୨୦୨୨ରେ ଏକ ମାମଲା ରୁଜୁ କରିବା ସହ ଗଣେଶକୁ କୋର୍ଟ ଚାଲାଣ କରିଛି। ଅବକାରୀ ଅଧିକ୍ଷକ ଝସକେତନ ବରିହା କହିଛନ୍ତି ଯେ ଏଭଳି ବେଆଇନ ବ୍ୟବସାୟ କରୁଥିବା ନେଇ ସୂଚନା ପହଞ୍ଚିବା ପରେ ଗଣେଶର କାରବାର ଉପରେ ନଜର ରଖାଯାଇଥିଲା। ସେ କନ୍ଧମାଳରୁ ଗ‌ଞ୍ଜେଇ ଆଣିବା ସହ ଅନ୍ୟ ଅଞ୍ଚଳକୁ ମଧ୍ୟ ଯୋଗାଉଥିଲା। ଭୁବନେଶ୍ୱର ଓ ଅନ୍ୟସ୍ଥାନରୁ ନିଷିଦ୍ଧ କଫ୍ ସିରପ ଆଣି ଘରେ ମହଜୁଦ କରି ରଖିବା ସହ ନିଶାଡ଼ିଙ୍କୁ ବିକ୍ରି କରୁଥିଲା। ଆଜିର ଏହି ଚଢ଼ଉରେ, ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ସସ୍ମିତା ସାହୁ, ଓଆଇସି ଖୋର୍ଦ୍ଧା ବି ମନୋଜ କୁମାର, ଓଆଇସି ବେଗୁନିଆ ବିରଞ୍ଚି ନାରାୟଣ ମହାନ୍ତି ଓ ଅନ୍ୟ ଅବକାରୀ କର୍ମଚାରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe