ବୈପାରୀଗୁଡ଼ାରେ ୯୯କିଲୋ ଗଞ୍ଜେଇ ଜବତ ମାମଲା: ୫ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

Advertisment
ଲମତାପୁଟ ଅଞ୍ଚଳରୁ ୩୦ ଲକ୍ଷର ଗଞ୍ଜେଇ ଜବତ

Sambad

ଜୟପୁର: ବହୁଚର୍ଚ୍ଚିତ ୨୦୧୭ ମସିହାର ବୈପାରୀଗୁଡ଼ାରେ ଗଞ୍ଜେଇ ଜବତ ମାମଲାର ଶୁଣାଣୀ ଆଜି ଜିଲ୍ଲା ଦୌରାଜଜ୍ ତଥା ସେସନସ୍ ଜଜ୍ ସୌମ୍ୟନ୍ଦ୍ର କୁମାର ରାଜଗୁରୁ କରିଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତଙ୍କୁ ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗତ କିଛି ବର୍ଷ ହେବ ଗଞ୍ଜେଇ ଚାଲାଣର ପ୍ରମୁଖ କରିଡ଼ର କୋରାପୁଟ ଜିଲ୍ଲା ପାଲଟିଛି। ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଥାନାରେ ମାମଲା ବି ରୁଜୁ ହେଉଛି। ତେବେ ଉପଯୁକ୍ତ ତଦନ୍ତ ଓ ସାକ୍ଷ୍ୟ ପ୍ରମାଣ ନଥିବାରୁ ଗଂଜେଇ ମାମଲାର ଅଭିଯୁକ୍ତ ଖଲାସ ହେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ଭିନ୍ନ ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ଗତ ୨୦୧୭ମସିହା ଜାନୁଆରୀ ୨୮ତାରିଖ ଭୋର ୩ଟା ବେଳେ ବୈପାରୀଗୁଡ଼ା ପୁଲିସ ପାଟ୍ରୋଲିଂ କରୁଥିଲେ।

ଏହି ସମୟରେ ମାଲକାନଗିରି ପଟରୁ ବୈପାରୀଗୁଡ଼ା ଆଡ଼କୁ ଆସୁଥିବା ମହିନ୍ଦ୍ରା ମ୍ୟାକ୍ସ ପିକଅପ ଭ୍ୟାନକୁ ପୁଲିସ ଅଟକାଇଥିଲା। ଏହି ଗାଡ଼ି ମଧ୍ୟରୁ ପୁଲିସକୁ ଗଂଜେଇ ମିଳିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହା ଓଜନ କରିବାରୁ ୯୯କିଲୋ ୪୦୦ଗ୍ରାମ ଗଂଜେଇ ମିଳିଥିଲା। ପୁଲିସ ଗାଡ଼ିକୁ ଅଟକାଇବା ସମୟରେ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ସେଠାରେ ପୁଲିସ ଅଭିଯୁକ୍ତ ବୈପାରୀଗୁଡାର ମନୋଜ କୁମାର ମିଶ୍ର, ରମେଶ ପୁଜାରୀ, ନୀଳକଣ୍ଠ ଛେଣ୍ଡିଆ, ଚନ୍ଦ୍ରଶେଖର ଜାନୀଙ୍କୁ ଧରିବା ସହ ଗିରଫ କରି କୋର୍ଟକୁ ଚାଲାଣ କରିଥିଲେ।

ପରବର୍ତ୍ତୀ ସମୟରେ ଚମ୍ପଟ ମାରିଥିବା ଅଭିଯୁକ୍ତ ଲକ୍ଷ୍ମଣ ନାଗେଶ୍ବରୀ ପୁଲିସ ହାତରେ ଧରାପଡ଼ିଥିଲେ। ଏହି ମାମଲାରେ ଆଜି ଜିଲ୍ଲା ଦୌରାଜଜ୍ ସୌମ୍ୟନ୍ଦ୍ର କୁମାର ରାଜଗୁରୁ ଶୁଣାଣୀ କରି ଉପଯୁକ୍ତ ତଦନ୍ତ ଓ ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ୫ଜଣ ଯାକ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ନାନାଜୀ ଆଚାରୀ ଓ ସହଯୋଗୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe