Photo by : Maharashtra Today
ଦିଗପହଣ୍ଡି : ଯୌତୁକ ଯୁଇରେ ପୁଣି ଜଳି ଯାଇଛନ୍ତି ଜଣେ ନବବଧୂ। ଏ ଘଟଣାରେ ଧନ, ଜମି କି ଟଙ୍କା ପାଇଁ ନୁହେଁ, ଯୌତୁକରେ ଗାଈଟିଏ ଦେଇ ନଥିଲେ ବୋଲି ସ୍ୱାମୀ କିରାସିନି ଢ଼ାଳି ପତ୍ନୀଙ୍କୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ସିଦ୍ଧେଶ୍ୱର ଗ୍ରାମରେ। ପ୍ରକାଶ ଯେ, ଗତ ବର୍ଷକ ତଳେ ବନ୍ଥପଲି ଗ୍ରାମର ବୁଡୁ ନାୟକଙ୍କ ଭଉଣୀ ରଂଜୁ ନାୟକ ସିଦ୍ଧେଶ୍ୱର ଗ୍ରାମର ବାବୁଲା ନାୟକଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଯୌତୁକରେ ଗାଈ ଦାବି କରି ବାବୁଲା ପତ୍ନୀ ରଂଜୁଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ। ଗତ ୨୫ ତାରିଖ ଦିନ କଳହ ଚରମ ସୀମାରେ ପହଞ୍ଚିଥିଲା। କିରାସିନି ଢାଳି ରଂଜୁଙ୍କ ଦେହରେ ନିଆଁ ଲଗାଇ ଦିଆ ଯାଇଥିଲା। ରଂଜୁଙ୍କ ଚିତ୍କାର ଶୁଣି ସାହିବାସିନ୍ଦା ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ରଂଜୁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଗତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଯାଇଥିବା ବାବୁଲା ପୁଲିସ ଆଗରେ ସଫେଇ ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଥିବା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଜଣାଇଛନ୍ତି।
Follow Us