ଆନ୍ଧ୍ରବ୍ୟାଙ୍କ କ୍ୟାସିଅରଙ୍କୁ ହତ୍ୟା : ନାବାଳିକା ପ୍ରେମ ସମ୍ପର୍କରୁ ପଥର ଛେଚି ମାରିଲେ

ଆନ୍ଧ୍ରବ୍ୟାଙ୍କ କ୍ୟାସିଅରଙ୍କୁ ହତ୍ୟା : ନାବାଳିକା ପ୍ରେମ ସମ୍ପର୍କରୁ ପଥର ଛେଚି ମାରିଲେ

ଭଞ୍ଜନଗର/ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଆନ୍ଧ୍ର ବ୍ୟାଙ୍କ ମୁଣ୍ତମରାଇ ଶାଖା କ୍ୟ‌ାସିଅରଙ୍କୁ ନିର୍ମମ ଭାବେ ହତ୍ୟା ହୋଇଛି। ସ୍ଥାନୀୟ ସୋମନାଥ ବିଜ୍ଞାନ ମହାବିଦ୍ୟାଳୟ ନିକଟସ୍ଥ ମାଟି କୂଆଁରୀ ନିକଟରୁ ପୁଲିସ୍‌ ତାଙ୍କର ମୃତଦେହ ଉଦ୍ଧାର କରିଛି। ମୃତକ କ୍ୟାସିଅର ଜଣକ ହେଲେ ଛତ୍ରପୁର ଅଞ୍ଚଳର ବିନୟ କୁମାର ବେହେରା (୩୬)। ବିନୟ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିବା ଘଟଣାକୁ ନେଇ ଏହି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ଛତ୍ରପୁର ଅଞ୍ଚଳର ବିନୟ ଗତ ୩ ବର୍ଷ ହେଲା ଆନ୍ଧ୍ର ବ୍ୟାଙ୍କ ମୁଣ୍ତମରାଇ ଶାଖାରେ କ୍ୟ‌ାସିଅର ଭାବେ କାର୍ଯ୍ୟ କରିଆସୁଥିଲେ। ମୁଣ୍ତମରାଇର ଦେଓପାଟଣା ସାହିରେ ଏକ ଭଡ଼ାଘରେ ରହି ବ୍ୟାଙ୍କକୁ ଯିବାଆସିବା କରୁଥିଲେ। ଗତ କିଛିଦିନ ପୂର୍ବରୁ ସେହି ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏ ସମ୍ପର୍କରେ ପରିବାର ଲୋକ ବି ସୁରାକ୍‌ ପାଇ ସାରିଥିଲେ।

ଗତକାଲି ସକାଳ ୭ଟାରେ ଛାତ୍ରୀ ଜଣକ କ୍ୟ‌ାସିଅର ବିନୟଙ୍କ ଭଡ଼ାଘରକୁ ଯାଇଥିଲେ। ସେଠାରେ ପାଖାପାଖି ଦେଢ଼ ଘଣ୍ଟା ରହିଥିଲେ। ଝିଅକୁ ବହୁ ଖୋଜାଖୋଜି କରି ନପାଇବାରୁ ପରିବାରଲୋକେ ସନ୍ଦେହ କରିଥିଲେ। ଝିଅ ଘରକୁ ଫେରିବା ପରେ ଘଟଣା ସମ୍ବନ୍ଧରେ ଜାଣିବାକୁ ପାଇଥିଲେ।

ଗତକାଲି ବିନୟ ବ୍ୟାଙ୍କରୁ ଫେରିବା ବେଳେ ଛାତ୍ରୀଙ୍କ ସମ୍ପର୍କୀୟ କଥାବାର୍ତା ପାଇଁ ସ୍ଥାନୀୟ ସୋମନାଥ ବିଜ୍ଞାନ ମହାବିଦ୍ୟାଳୟ ନିକଟସ୍ଥ ମାଟି କୁଆଁରି ନିକଟକୁ ଡାକିଥିଲେ। ଅନ୍ଧକାର ଭିତରେ ସେଠାରେ ବିନୟଙ୍କ ମୁଣ୍ତକୁ ପଥର କିମ୍ବା କୌଣସି ଶକ୍ତ ପଦାର୍ଥରେ ଛେଚି ହତ୍ୟା କରିଥିଲେ।

ପରିବାରବର୍ଗଙ୍କ ଅଭିଯୋଗ କ୍ରମେ କେସ୍‌ ନଂ ୧୪/୧୯ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରେମଜନିତ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ହତ୍ୟା ସନ୍ଦେହ କରାଯାଉଥିବା ବେଳେ ଏକରୁ ଅଧିକ ଲୋକେ ଏଥିରେ ସମ୍ପୃକ୍ତି ଥିବା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe