ବିଜେଡି ନେତା ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ଆଉ ଜଣେ ଅଭିଯୁକ୍ତ ଗିରଫ, ଗିରଫ ସଂଖ୍ୟା ୧୯ ହେଲା

Advertisment
ବିଜେଡି ନେତା ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ଆଉ ଜଣେ ଅଭିଯୁକ୍ତ ଗିରଫ, ଗିରଫ ସଂଖ୍ୟା ୧୯ ହେଲା

ଛତ୍ରପୁର : ବିଜେଡି ନେତା ତଥା ଛତ୍ରପୁର ଏନ୍ଏସିର କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ଆଜି ଆଉ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ପୋଲସରା ଥାନା ଅନ୍ତର୍ଗତ ପାଣ୍ତିରିପଡ଼ା ଗ୍ରାମର ଲକି ତଥା ମାଷ୍ଟର ଓରଫ୍ ସୁବ୍ରତ ପଟ୍ଟନାୟକ(୧୯)। ସୁବ୍ରତ ଦୀର୍ଘ ୧୮ ମାସ ହେଲା ଫେରାର ଥିଲା। ଶେଷରେ, ପୁଲିସ୍‌ ତାକୁ ଗିରଫ କରିବାରେ ସମର୍ଥ ହୋଇଛି। ଏଥିସହିତ, ଏହି ଘଟଣାରେ ସମୁଦାୟ ଗିରଫଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି।

ଗତ ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଛତ୍ରପୁର ଏନ୍ଏସି ୱାର୍ଡ ୬ର ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ଓରଫ ବଚ୍ଚନ୍‌ଙ୍କୁ ତାଙ୍କ ବାସଭବନ ସମ୍ମୁଖରେ କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ସିସିଟିଭିରେ ଏହି ଘଟଣାର ଦୃଶ୍ୟ କଏଦ ହୋଇଥିଲା, ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହାକୁ ନେଇ ମଧ୍ୟ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିଥିଲା।

ଲକ୍ଷ୍ମୀଦତ୍ତଙ୍କ ଭାଇ ଦେବୀଦତ୍ତଙ୍କ ଅଭିଯୋଗକୁ ଭିତ୍ତି କରି ଛତ୍ରପୁର ଥାନାରେ କେସ ନମ୍ବର ୧୩୧ ଅନୁସାରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହାପରେ ଭାଜପା ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ଏବଂ ଲକ୍ଷ୍ମୀପୁର ପଞ୍ଚାୟତର ସମିତି ସଭ୍ୟ ଏନ୍.ଦୁର୍ଯୋଧନ ରେଡ୍ଡିଙ୍କ ସମେତ ଅନ୍ୟ କେତେଜଣଙ୍କୁ ଗିରଫ କରାଯାଇଥିଲା। କୃଷ୍ଣଚନ୍ଦ୍ରଙ୍କ ବୟାନଙ୍କୁ ଭିତ୍ତି କରି ପୁଲିସ ଭାଜପାର ମୁଖପାତ୍ର ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କୁ ନୋଟିସ ଜାରି କରି ୨୦୧୭ ନଭେମ୍ବର ୧ ତାରିଖରେ ଛତ୍ରପୁର ଥାନାରେ ପ୍ରାୟ ୫ ଘଣ୍ଟା ମାରାଥନ ଜେରା କରିଥିଲା। ଦୀର୍ଘ ଦିନର ନିରବତା ପରେ ପୁଣି ପୁଲିସ ଗତ କିଛିଦିନ ତଳେ ଶ୍ରୀ ମହାପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କୁ ସମନ ଜାରି କରିଛି। ଫେବ୍ରୁଆରି ୭ ତାରିଖରେ ଗୋଲକ ଏବଂ ୯ ତାରିଖରେ ଭୃଗୁ ଛତ୍ରପୁର ଥାନାରେ ହାଜର ହେବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି।

ଏହି ଘଟଣା ଉପରେ ସମସ୍ତଙ୍କ ନଜର ରହିଥିଲାବେଳେ ଗତକାଲି ଛତ୍ରପୁର ନିକଟ ପୁତିଗୋପାଳପୁରଠାରେ ଏକ ଘରେ ସୁବ୍ରତ ଲୁଚିଥିବା ଖବର ପୁଲିସ୍‌ର ହସ୍ତଗତ ହୋଇଥିଲା। ପୁଲିସ ସେଠାରେ ଚଢଉ କରି ସୁବ୍ରତକୁ କାବୁ କରି ନେଇଥିଲା। ଆଜି ତାକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସୁବ୍ରତକୁ ମିଶାଇ ଏପର୍ଯ୍ୟନ୍ତ ୧୯ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଆହୁରି ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe