ଭଂଜନଗର : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗଡ଼ ମେଡିକାଲ ଛକରେ ଗତକାଲି ଅପରାହ୍ନରେ ଗାଙ୍ଗପୁରର ଯୁବ ବିଜେଡି ନେତା ତଥା ଠିକାଦାର ସନ୍ନ୍ୟାସୀ ବିଷୋୟୀଙ୍କୁ ନିର୍ମମ ହତ୍ୟା ମାମଲାର ତଦନ୍ତକୁ ତ୍ୱରାନ୍ଵିତ କରିଛି ପୁଲିସ। ଆସିକା ଏସ୍ଡିପିଓ ସୁବାସ ଚନ୍ଦ୍ର ପଣ୍ଡା ଓ ଏଏସ୍ପି ପି.କେ.ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ପୁଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହ ଅପରାଧୀମାନେ କିଭଳି ଓ କେଉଁ ପଟୁ ଆସିଲେ ସେ ସଂକ୍ରାନ୍ତରେ ବହୁ ତଥ୍ୟ ସଂଗ୍ରହ କରିଛନ୍ତି। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ଏହି ଘଟଣାର ମାଷ୍ଟରମାଇଣ୍ଡ ସହିତ ଅନ୍ୟ ୪ ଅପରାଧୀଙ୍କୁ ଚିହ୍ନଟ କରାଯାଇଥିବା ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାୟ କହିଛନ୍ତି। ଦିନକ ଭିତରେ ଘଟଣାର ସମସ୍ତ ଚିତ୍ର ସ୍ପଷ୍ଟ ହେବ। ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ କୌଣସି ଅଭିଯୁକ୍ତଙ୍କ ନାମ ସେ ପ୍ରକାଶ କରିନାହାନ୍ତି। ସନ୍ନ୍ୟାସୀଙ୍କ ବଡ଼ଭାଇ ରବିଙ୍କ ବିବାହ ଓ ଭୋଜି ସରିଥିବା ବେଳେ ଆସନ୍ତାକାଲି ସନ୍ନ୍ୟାସୀଙ୍କ ପୁରୀରେ ବାହାଘର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିିଥିବା ବେଳେ ବନ୍ଧୁ ପରିଜନଙ୍କ ଭିଡ଼ ମଧ୍ୟ ଜମିଥିଲା। ହେଲେ ବିଧିର ବିଧାନ ଅଲଗା ଥିଲା। ନିମିଷକ ମଧ୍ୟରେ ଖୁସିର ମାହୋଲ୍ ଶୋକାକୁଳ ପରିବେଶ ଆଣି ଦେଇଥିଲା। ସୂଚନାଥାଉକି, ଗତକାଲି ଅପରାହ୍ନ ସାଢ଼େ ୨ଟା ବେଳେ ସନ୍ନ୍ୟାସୀ ବାଇକରେ ଘରକୁ ଫେରୁଥିବା ବେଳେ ମେଡିକାଲ ଛକ ନିକଟରେ ଚାରିଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଆସି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚାଳନା କରିବା ସହ ବୋମା ପକାଇଥିଲେ। ଏହା ପରେ ଧାରୁଆ ଅସ୍ତ୍ରରେ ହାଣି ଫେରାର୍ ହୋଇ ଯାଇଥିଲେ।
ବିଜେଡି ନେତା ହତ୍ୟା ଘଟଣା: ୫ ହତ୍ୟାକାରୀ ଚିହ୍ନଟ
Advertisment
Follow Us