ନକଲି ସୁନା ବନ୍ଧକ ରଖି ଋଣ ହଡ଼ପ ମାମଲା: ଶାଖା ପରିଚାଳକ ନିଲମ୍ବିତ

Advertisment
ଅକ୍ଷୟ ତୃତୀୟାରେ କରୋନା କୋପ: ୧୦୦ କୋଟି ଟଙ୍କାର ସୁନାଗହଣା କାରବାର ଠପ୍

Representational Image

ବ୍ରହ୍ମପୁର: ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ବିସିସି ବ୍ୟାଙ୍କ) ପାରଳାଖେମୁଣ୍ଡି ମହିଳା ଶାଖାରେ ନକଲି ସୁନା ବନ୍ଧକ ରଖି ଲକ୍ଷାଧିକ ଟଙ୍କାର ଋଣ ହଡ଼ପ ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉକ୍ତ ଶାଖାର ପ୍ରାକ୍ତନ ପରିଚାଳକ ତଥା ବର୍ତ୍ତମାନ ବିସିସି ବ୍ୟାଙ୍କ କାଶୀନଗର ଶାଖା ପରିଚାଳକ ଆର.ଭୁଜଙ୍ଗ ରାଓଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ତାଙ୍କୁ ହେଡ଼୍‌କ୍ବାର୍ଟର୍ସ ପାରଳାଖେମୁଣ୍ଡିକୁ ଆଟାଚ୍‌ କରାଯାଇଛି। ବିନା ଅନୁମତିରେ ହେଡ୍‌କ୍ବାର୍ଟର୍ସ ନ ଛାଡ଼ିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାପାଳ ତଥା ବିସିସି ବ୍ୟାଙ୍କ ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାଙ୍କ ସମ୍ପାଦକ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ବିସିସି ବ୍ୟାଙ୍କ ପାରଳାଖେମୁଣ୍ଡି ମହିଳା ଶାଖାରେ ନକଲି ସୁନା ବନ୍ଧକ ରଖି ସାଢ଼େ ୧୧ ଲକ୍ଷ ଟଙ୍କା ଋଣ ହଡ଼ପ ହୋଇଥିଲା। ବିସିସି ବ୍ୟାଙ୍କ ଅଧିକୃତ ସୁନାରୀ ହୋଇ ମଧ୍ୟ କେ.ଗ‌ୋପୀ ନିଜ ନାମରେ ହିଁ ବେନିୟମ ଭାବେ ୪ଟି ସୁନା ଋଣ ଉଠାଇଥିଲେ। ସେ ସମୟରେ ଭୁଜଙ୍ଗ ରାଓ ବିସିସି ବ୍ୟାଙ୍କ ପାରଳାଖେମୁଣ୍ଡି ମହିଳା ଶାଖାର ପରିଚାଳକ ଥିଲେ। ଋଣ ଓ ସୁଧ ଭାର ବଢ଼ି ଚାଲିଥିଲେ ସୁଦ୍ଧା ଗୋପୀ ଏହା ପରିଶୋଧ କରି ନ ଥିଲେ। ନିୟମ ଅନୁସାରେ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣଗ୍ରହୀତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେଇ ନଥିଲେ କି ବନ୍ଧକ ସୁନା ନିଲାମ ଲାଗି ପଦକ୍ଷେପ ନେଇ ନ ଥିଲେ। ମୂଳସୁଧ ମିଶି ଋଣ ପରିମାଣ ୧୧ଲକ୍ଷ ୫୩ହଜାର ୬୬୧ଟଙ୍କାରେ ପହଞ୍ଚିଥିଲା। ଏହାକୁ ନେଇ ସନ୍ଦେହ ଉପୁଜିବା ସହ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପହଞ୍ଚିଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତ ୧୦ ତାରିଖରେ ଡିଆରସିଏସ୍‌ ମହିଳା ଶାଖାରେ ଚଢ଼ଉ କରି ବନ୍ଧକ ସୁନା ଯାଞ୍ଚ୍‌ କରିଥିଲେ। ଯାଞ୍ଚ୍‌ ବେଳେ ସମସ୍ତ ସୁନା ନକଲି ବୋଲି ଜଣା ପଡ଼ିଥିଲା। ବର୍ତ୍ତମାନ ବ୍ୟାଙ୍କ ମହିଳା ଶାଖା ପରିଚାଳକ ବିନୋଦ କୁମାର ନନ୍ଦଙ୍କ ଅଭିଯୋଗ କ୍ରମେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏତଲା ଦେଇଥିଲେ। ଦଫା ୪୦୯, ୪୬୮, ୪୬୭, ୪୭୧, ୪୨୦ ଓ ୧୨୦-ବି ଅନୁସାରେ ମାମଲା ରୁଜୁ କରି ପୁଲିସ ଗତ ୧୨ତାରିଖରେ ସୁନାରୀ କେ.ଗ‌ୋପୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ପୁଲିସ ପ୍ରାକ୍ତନ ଶାଖା ପରିଚାଳକଭୁଜଙ୍ଗ ରାଓଙ୍କୁ ଜାଣିଶୁଣି ଗିରଫ କରି ନ ଥିଲା। ଆଉ ଏହି ଘଟଣା ପର ଠାରୁ ସେ ଫେରାର ରହିଛନ୍ତି। ଏହା ପରେ ବ୍ୟାଙ୍କ ପ୍ରଶାସକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe