ଛତ୍ରପୁର: ଗଞ୍ଜାମଜିଲ୍ଲା ଛତ୍ରପୁର ପୌରପାଳିକା ଗଠନକୁ ନେଇ ରଞ୍ଜହଂସ ଲାଗିରହିଛି। ଗୋଟିଏ ପଟେ ଛତ୍ରପୁର ପୌରପାଳିକାରେ ଆର୍ଯ୍ୟପଲ୍ଲୀ, କଣମଣା, ପୋଡପାଦର, ଅଗସ୍ତିନୂଆଗାଁ ଓ ଚିକଲଖଣ୍ଡି ଆଦି ୫ଟି ପଂଚାୟତକୁ ମିଶ୍ରଣ କରିବା ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକୁ ପଂଚାୟତବାସୀ ଘୋର ବିରୋଧ କରୁଥିବା ବେଳେ ଆଉ କେତେକ ପଂଚାୟତବାସୀ ଏହି ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି। ଛତ୍ରପୁର ପୌରପାଳିକାରେ ପଂଚାୟତଗୁଡିକ ମିଶ୍ରଣକୁ ବିରୋଧ କରି ଆଜିକୁ ମିଶାଇ ୩ ଥର ଶହଶହ ପଂଚାୟତବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି।
ଆଜି ଛତ୍ରପୁର ପୌରପାଳିକାରେ ୫ଟି ପଂଚାୟତ ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ପଂଚାୟତବାସୀ। ଏଦିଗରେ ଜିଲ୍ଲା ପ୍ରଶାସନ ତଥା ସରକାର ୭ ଦିନ ମଧ୍ୟରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଗୋପାଳପୁର ପୋର୍ଟ, ଆଇଆରଇଏଲ୍ କମ୍ପାନି ବନ୍ଦ କରାଯିବା ସହ ଡୁବୁଲି ଛକ ରାସ୍ତାଘାଟ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତଗୁଡିକରେ ବିନା ପଲ୍ଲୀସଭା କିମ୍ବା ପୌରପାଳିକାରେ ଗ୍ରାମ ଗୁଡିକ ମିଶ୍ରଣ ହେଉଥିବା ନେଇ କୌଣସି ସୂଚନା ନ ଦେଇ ସିଧାସଳଖରେ ପୌରପାଳିକାରେ ୫ଟି ପଂଚାୟତକୁ ମିଶ୍ରଣ କରାଯାଇ ୱାର୍ଡ ଏବଂ ସଂରକ୍ଷଣ ତାଲିକା ପ୍ରକାଶ କରାଯାଇଥିବା ପ୍ରସଙ୍ଗକୁ ଆନ୍ଦୋଳନକାରୀ ତଥା ପଂଚାୟତବାସୀ ସରକାରଙ୍କ ମନମୁଖୀ ନୀତିକୁ ତୀବ୍ର ବିରୋଧ କରିଛନ୍ତି। ଏଣୁ ଛତ୍ରପୁର ପୌରପାଳିକା ତାଲିକାରୁ ଏହି ପଂଚାୟତ ଗୁଡିକୁ ତୁରନ୍ତ ବାଦ୍ ଦିଆଯାଉ।
ପୌରପାଳିକା ଗଠନ ପ୍ରକ୍ରିୟାକୁ ସ୍ୱଚ୍ଛତା ସହ କରି ପ୍ରତି ପଂଚାୟତରେ ପଲ୍ଲୀସଭା ମାଧ୍ୟମରେ ଜନସାଧାରଣଙ୍କ ସହମତିକୁ ପ୍ରାଧାନ୍ୟ ଦେଇ ପୌରପାଳିକାରେ ସ୍ଥାନିତ କରାଯାଉ। ଅଯଥାରେ ଚଂଚକତା ମଧ୍ୟରେ ତରବରିଆ ଭାବେ ପୌରପାଳିକାରେ ୫ଟି ପଂଚାୟତକୁ ମିଶ୍ରଣ କରାଯିବା ହୀନ ଚକ୍ରାନ୍ତ ବୋଲି ଶହ ଶହ ମହିଳା ଓ ପୁରୁଷ ପଂଚାୟତବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର କାର୍ଯ୍ୟ ସମାଲୋଚନା କରିଥିଲେ। ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧଶେଇ ପସିଯାଉଥିବା ବେଳେ ପୁଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ପରେ ଛତ୍ରପୁର ଉପଜିଲ୍ଲାପାଳ ଶୁବାଶିଷ ବରାଳ ଆନ୍ଦୋଳନ ସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ଏକା ଜିଦ୍ରେ ଅଟଳ ରହିଥିଲେ। ଶେଷରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ଦାବିକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ଓହରିଥିଲେ।
ଏହି ଆନ୍ଦୋଳନରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରନ୍ କୁମାରୀ ଦାସ,ଶ୍ରମିକ ନେତା ଏସ୍.ଚକ୍ରପାଣି ରେଡ୍ଡୀ, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଭାଗିରଥି ବେହେରା, ନୀଳକଣ୍ଠ ଦାଶ, ଡି.ଆଦିନାରାୟଣ ରେଡ୍ଡୀ, ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ପୂର୍ବତନ ସରପଂଚ ଡି.ରାମସ୍ୱାମୀ ରେଡ୍ଡୀ ଓ ଟି.କ୍ରିଷ୍ଣା ରେଡ୍ଡୀ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଉତ୍କଳ ମହିଳା ସମିତିର ରାଜ୍ୟ ନେତ୍ରୀ ଏନ୍.ଭାନୁମତି ରେଡ୍ଡୀ, ଓ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟିର ସଂପାଦକ ଏମ୍.ଦିଲ୍ଲୀପ, ସରପଂଚ ତ୍ରିଲୋଚନ ବେହେରା, କଣମଣା ସରପଂଚ ବି.ଦମୟନ୍ତୀ, ପୂର୍ବତନ ସମିତିସଭ୍ୟ ବି.ଭୀମସେନ, ଆର୍.ଗୋବିନ୍ଦ. ଟିକିନା ଗୌଡ,ଙ୍କ ସମେତ ପଂଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ।
ଆହୁରି ପଢନ୍ତୁ - Modi Discuss with AI Ceo: ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲରେ ନିର୍ଣ୍ଣାୟକ ଭୂମିକା ନେବ ଏଆଇ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/02/20/chhatrapur-municipality-merger-protest-2026-02-20-17-51-36.jpeg)