Photo by : newstracklive.com
ବେଲଗୁଣ୍ଠା : ନିର୍ଭୟା କାଣ୍ଡ ଭଳି ଲଜ୍ଜାଜନକ ଘଟଣାର ପୁନରାବୃତ୍ତି ଘଟିଛି ଗଞ୍ଜାମରେ। ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଛକ ପାର୍ଶ୍ୱ ବୁଢାକେନ୍ଦୁ ଠାକୁରାଣୀ ମନ୍ଦିର ପାଖ ଜଙ୍ଗଲରେ ନିଜ ଭାବି ସ୍ୱାମୀଙ୍କ ସହ ବୁଲିବାକୁ ଯାଇଥିବା ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଦୁର୍ବୃତ୍ତ ମାନେ ତାଙ୍କ ଭାବିସ୍ୱାମୀଙ୍କୁ ମାଡ଼ ମାରି ମୋବାଇଲ୍ ଲୁଟି ନେଇ ଯାଇଛନ୍ତି। ଗାଙ୍ଗପୁର ଥାନାରେ ଏନେଇ ଆଜି ବିଳମ୍ବିତ ସନ୍ଧ୍ୟାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମିଳିଥିବା ସୂଚନାନୁସାରେ, ଯୁବତୀ ଜଣକ ହେଉଛନ୍ତି ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ। ମା’ଛେଉଣ୍ଡ ହୋଇଥିବାରୁ ଭଂଜନଗରରେ ନିଜ ବଡ଼ ଭଉଣୀଙ୍କ ଘରେ ରହୁଥିଲେ। ଏହା ମଧ୍ୟରେ ତାଙ୍କର ବାହାଘର ବୁଗୁଡ଼ା ଥାନା ମାଣିତରା ଗ୍ରାମର ଜଣେ ଯୁବକଙ୍କ ସହ ଠିକ୍ ହୋଇଛି ଓ ନିର୍ବନ୍ଧ ସରିଥିଲା। ଯୁବକ ଜଣକ ଏଲ୍ଆଇସି ଏଜେଣ୍ଟ ଭାବେ କାମ କରୁଛନ୍ତି। ଆସନ୍ତା ବର୍ଷ ଜାନୁଆରି ମାସରେ ବିବାହ ପାଇଁ ଦିନ ଧାର୍ଯ୍ୟ ମଧ୍ୟ ହୋଇସାରିଛି। ସବୁଦିନ ଭଳି ଆଜି ମଧ୍ୟ ଛାତ୍ରୀ ଜଣକ କଲେଜକୁ ଆସିଥିଲେ। ଅପରାହ୍ନ ପ୍ରାୟ ସାଢେ ୨ଟା ବେଳେ ତାଙ୍କ ଭାବିସ୍ୱାମୀ କଲେଜରେ ପହଞ୍ଚିଥିଲେ। ତାଙ୍କୁ ବାଇକ୍ରେ ବୁଢାକେନ୍ଦୁ ଠାକୁରାଣୀ ମନ୍ଦିରକୁ ବୁଲାଇ ନେବାକୁ ଡାକି ଥିଲେ।
ମନ୍ଦିର ନିକଟରେ ଉଭୟ ପହଞ୍ଚିବାର କିଛି ସମୟ ପରେ ୫ରୁ ୬ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ଛାତ୍ରୀଙ୍କ ଭାବି ସ୍ୱାମୀଙ୍କୁ ଗାଳିଗୁଲଜ କରିବା ସହ ଛାତ୍ରୀଙ୍କ ମୋବାଇଲକୁ ଛଡ଼ାଇ ନେଇ ଯାଇଥିଲେ। ମୋବାଇଲ୍ ଫେରାଇ ଦେବାକୁ ଉଭୟ ଅଧଘଣ୍ଟା ଧରି କାକୁତିମିନତି ହୋଇଥିଲେ ସେମାନେ ଏହା ଶୁଣି ନଥିଲେ। କିଛି ସମୟ ପରେ ଦୁର୍ବୃତ୍ତ ମାନେ ଯୁବକ ଜଣଙ୍କୁ ପ୍ରବଳ ମାଡ଼ ମାରିବା ସହ ଛାତ୍ରୀଜଣଙ୍କୁ ଜଙ୍ଗଲ ଭିତରକୁ ନେଇ ଯାଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ, ତାଙ୍କ ଭାବି ସ୍ୱାମୀଙ୍କ ପରିବାର ଲୋକେ ଏନେଇ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ଗାଙ୍ଗପୁର ଥାନା ଅଧିକାରୀ ଚିତ୍ତରଂଜନ ବେହେରା ଓ ସେକେଣ୍ଡ ଅଫିସର ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି।
Follow Us