ବର୍ଷା ଯୋଗୁ ପାଣିରେ ବୁଡିଲା ଫସଲ, ଜଳ ନିଷ୍କାସନ ଚିନ୍ତାରେ ଚାଷୀ

Advertisment
ବର୍ଷା ଯୋଗୁ ପାଣିରେ ବୁଡିଲା ଫସଲ, ଜଳ ନିଷ୍କାସନ ଚିନ୍ତାରେ ଚାଷୀ

Sambad

ଭଞ୍ଜନଗର: ବାତ୍ୟା ଜୱାଦର ପ୍ରଭାବରେ ବହୁ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଗତିପଥ ବଦଳିବା ଫଳରେ ବାତ୍ୟା ବିପତ୍ତି ଟଳି ଯାଇଥିଲେ ସୁଦ୍ଧା ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ଚାଷ କ୍ଷେତ୍ରରେ ବହୁ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଗଂଜାମ ଜିଲ୍ଳା ଭଞ୍ଜନଗର ‌ଉପଖଣ୍ଡର ହେକ୍ଟର ହେକ୍ଟର ଚାଷ ଜମିରେ ବର୍ଷା ଜଳ ଲହଡି ମାରୁଛି। ବଡ ବର୍ଷା ହୋଇନଥିଲେ ମଧ୍ୟ ଗତକାଲି ଠାରୁ କିଛି ସମୟ ବ୍ୟବଧାନରେ ମୁଶଳ ଧାରାରେ ବର୍ଷା ଜାରି ରହିଥିବାରୁ ଜମିରେ ପାଣି ଜମି ରହିଛି। ନଦୀ ନାଳରେ ପାଣି ଭର୍ତ୍ତି ହୋଇ ରହିଥିବାରୁ ଜମିରୁ ପାଣି ନିଷ୍କାସନ ‌ହୋଇ ନପାରି ଜମିରେ ଜମା ହୋଇ ରହିଛି। ଯାହା ଫଳରେ ଆଉ କିଛିଦିନ ଗଲେ ଅମଳ ହେବାକୁ ଥିବା ଧାନ ଫସଲ ପାଣି ଭିତରେ ବୁଡ଼ି ରହିଛି। ଗଲା ଲଗାଣ ବର୍ଷାରେ କିଛି ସ୍ଥାନରେ ଧାନ ଗଛ ପାଣି ବୁଡ଼ି ଗଜା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନର ବର୍ଷା ଚାଷୀ ମାନଙ୍କ ଦୁଃଖକୁ ଦୁଇଗୁଣା କରି ପକାଇଛି। ହାଡ ଭଙ୍ଗା ପରିଶ୍ରମ କରି ଠିଆ କରିଥିବା ଫସଲ ଆଖି ସାମ୍ନାରେ ପାଣି‌ ଭିତରେ ବୁଡ଼ି ଯାଉଥିବା ଦେଖି ମଧ୍ୟ ଚାଷୀ ନିରୂପାୟ ହୋଇପଡିଛି। ଜମିରେ କିଛି ଦିନ ତଳେ ହଳଦିଆ ସୁନାର ଫସଲ ଲହଡି ମାରୁଥିଲା।

publive-image Sambad

ଆଜି ପାଣିରେ ବୁଡ଼ି ନଷ୍ଟ ହେବାକୁ ବସିଛି। ପ୍ରାକୃତିକ ଦୃଦ୍ଦଶାରେ ଚାଷୀକୂଳ ହତାଶ ହୋଇ ପଡିଛି। ପୂର୍ବରୁ ମାତ୍ର ୧୫ ରୁ ୨୦ ପ୍ରତିଶତ ଜମିରୁ ଧାନ କଟାଯାଇ ଥିବା ବେଳେ ଅମଳ ଧାନକୁ ମଧ୍ୟ ଚାଷୀ ସୁରକ୍ଷିତ ରଖିବାକୁ ଦିନରାତି ସଂର୍ଘଷ ଜାରି ରଖିଥିବା ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ଘୋଡା ଯାଇଥିବା ଜରିପାଲ ଦେଇ ପାଣି ପଶୁଥିବା ବେଳେ ବର୍ଷାରେ ମଧ୍ୟ ପଲିଥିନ ଘ‌ୋଡାଇ ଅମଳ ଫସଲକୁ ସୁରକ୍ଷା ଦେଉଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ଧାନ ଫସଲ ସମେତ ଅଣଧାନ ଓ ପରିବା ଚାଷ ମଧ୍ୟ ବିଶେ‌ଷ ମାତ୍ରାରେ ପ୍ରଭାବିତ ହୋଇଛି। ବିନ୍‌, ଫୁଲକ‌ୋବି, ମୂଳା, ପୋଟଳ, ଲଙ୍କାମରିଚ, ବାଇଗଣ ଭଳି ପରିବା କିଆରିରେ ମଧ୍ୟ ପାଣି ଭରି ହୋଇ ରହିଛି, ଯାହାଫଳରେ ଆଗାମୀ ଦିନରେ ପନିପରିବା ଦର ଆହୁରି ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଭଞ୍ଜନଗର ବ୍ଳକ ଗୁଣ୍ଡୁରିବାଡି ଇଲାକାରେ ଗତକାଲି ଠାରୁ ବହୁ ଚ‌ାଷ ଜମିରେ ପାଣି ଜମି ରହିଥିବା ‌ବେଳେ ଠାଏ ଠାଏ ଧାନ ଗଛ ପଡି ନଷ୍ଟ ହୋଇଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ଜମିରୁ ପାଣିର ପରିମାଣ କମିବାକୁ ବାରମ୍ବାର ଜମି ପାଖକୁ ଆସି ଫେରୁଥିବା ବେଳେ ପାଣି ପଡିଥିବା ଜମିରୁ ଧାନ ଗଛକୁ ସୁରକ୍ଷିତ କିଭଳି କରିବେ ସେ ନେଇ ଚିନ୍ତାରେ ରହିଥିବା ଚାଷୀ ପ୍ରଦୀପ ପ୍ରଧାନ, ଅଶୋକ ପ୍ରଧାନ, କିଶୋର ପ୍ରଧାନ ଏବଂ ଶିବରାମ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe