ଆସିକା (ଗିରିଶ କୁମାର ତ୍ରିପାଠୀ): ଗଂଜାମ ଜିଲ୍ଲା ଆସିକା ଅଞ୍ଚଳର କୋଟିନଡ଼ା ଥାନା ଅନ୍ତର୍ଗତ ଆସିକା କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତାରେ ଡି ପଲ ସ୍କୁଲ ନିକଟରେ ଆଜି ସନ୍ଧ୍ୟାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ଫଳରେ ଦୁଇ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। କୋଦଳା ଥାନା ଅନ୍ତର୍ଗତ ନେଉଳି ଶ୍ରୀନିବାସ ପୁର ଶାସନ ଗ୍ରାମର ସାଗର ଦାଶଙ୍କ ବାଇକ ସହିତ କୋଟିନଡ଼ା ଥାନା ଅନ୍ତର୍ଗତ ପଢାଳ ଗ୍ରାମର ବାଦଲ ନାହାକଙ୍କ ବାଇକ୍ ଧକ୍କା ପରେ ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ଖବର ପାଇ କୋଟିନଡ଼ା ପୋଲିସ ଘଟଣା ସ୍ଥଳରୁ ବାଇକ ଦୁଇଟି ଜବତ କରିବା ସହିତ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। କିଛି ଦିନ ବ୍ୟବଧାନରେ ଏହି ସଡକର ଏହି ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜୀବନ ଯାଇଛି। ଏହି ସ୍ଥାନ ଏକ ଦୁର୍ଘଟଣା ପ୍ରବଣ ସ୍ଥାନ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇ ପାରିନାହିଁ। ବହୁ ଧନ ଜୀବନ ନଷ୍ଟ ହେଉଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତାରେ ଆଜି ପର୍ଯ୍ୟନ୍ତ ସୂଚନା ଫଳକ ଟିଏ ମଧ୍ୟ ଲାଗି ପାରିଲା ନାହିଁ। ଦୁର୍ଘଟଣା କୌଣସି ଭୋତିକ କାରଣରୁ ହେଉଥିବା ଅନୁଭବ କରି ଗତ କିଛି ମାସ ପୂର୍ବେ ସ୍ଥାନୀୟ ଲୋକଙ୍କ ପକ୍ଷ ରୁ ନିକଟସ୍ଥ ସିତଳାଇ ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ୧୦ରୁ ଅଧିକ ଲୋକଙ୍କ ଏହି ସ୍ଥାନରେ ଦୁର୍ଘଟଣା କାରଣରୁ ମୃତ୍ୟୁ ହୋଇଛି।
Follow Us