ବ୍ରହ୍ମପୁର: ପାରିବାରିକ କଳହକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କ. ନୂଆଗାଁ ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଦାମୋଦରପୁର ଗାଁରେ ଘଟିଥିବା ଏହି ଘଟଣାରେ ଜଣେ ସଂପର୍କୀୟ ମାମୁଙ୍କ ଗୁଳିର ଶିକାର ହୋଇଛନ୍ତି ଭଣଜା। ଗୁଳିକାଣ୍ଡ ପରେ ଭଣଜାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରିପୋର୍ଟ ଅନୁସାରେ ସନାତନ ଶୁକ୍ରବାର ବିଳମ୍ବିତ ରାତିରେ ନିଜ ଘର ସାମ୍ନାରେ ରହୁଥିବା ସଂପର୍କୀୟ ଅଜାଙ୍କ ଘରକୁ ଯାଇଥିଲେ। ସନାତନଙ୍କ ଅଜା ଏବଂ ମାମୁଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଫଳରେ ଅଜା ଏବଂ ମାମୁ ଉତ୍ତେଜିତ ହୋଇ ସନାତନକୁ ଗୁଳି କରିଥିଲେ।
ବହୁ ସମୟ ଧରି ସନାତନ ଘରକୁ ନ ଫେରିବାରୁ ପରିବାର ଲୋକେ ଏଣେ ତେଣେ ଖୋଜଖୋଜି କରିଥିଲେ। ଶେଷରେ ସେମାନେ ସାମ୍ନା ଘର ଭିତରୁ ଗୁଳିକାଣ୍ଡର ଶିକାର ହୋଇଥିବା ସନାତନକୁ ପାଇଥିଲେ। ସନାତନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ଅଜା ଏବଂ ମାମୁ ଫେରାର ଥିବା ବେଳେ ପୁଲିସ ଅଭିଯୁକ୍ତମାନଙ୍କୁ ଗରିଫ କରିବା ପାଇଁ ତଦନ୍ତ କରୁଛି।
Follow Us