ପ୍ରେମ ପାଗଳର ଉନ୍ମତ୍ତ କାଣ୍ଡ : ଘର ସହ ଯୁବତୀଙ୍କୁ ଜିଅନ୍ତା ଜାଳିଦେବାକୁ ଉଦ୍ୟମ

Advertisment

ଝିଅ ସହ ମା’ ବି ଗୁରୁତର

ଝିଅ ସହ ମା’ ବି ଗୁରୁତର

ପ୍ରେମ ପାଗଳର ଉନ୍ମତ୍ତ କାଣ୍ଡ : ଘର ସହ ଯୁବତୀଙ୍କୁ ଜିଅନ୍ତା ଜାଳିଦେବାକୁ ଉଦ୍ୟମ

ବ୍ରହ୍ମପୁର/ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା କେନ୍ଦୁବାଡ଼ି ଗ୍ରାମରେ ଜଣେ ପ୍ରେମ ପାଗଳ ଯୁବକ ଘଟାଇଛି ଅଭାବନୀୟ କାଣ୍ଡ। ପ୍ରେମରେ ବିଫଳ ହେବା ପରେ ମାଧବ ଗୌଡ଼ ନାମକ ଏହି ଯୁବକ ଜଣେ ଯୁବତୀଙ୍କ ଘରେ ଅତର୍କିତ ଭାବେ ପଶି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ଯୁବତୀ ସୁନେଲି ଭୂୟାଁ(୧୮) ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଝିଅକୁ ବଞ୍ଚାଇବାକୁ ଯାଇ ମା’ ଆମୁଲି ଭୂୟାଁ ମଧ୍ୟ ପୋଡ଼ି ହୋଇ ଯାଇଛନ୍ତି। ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବତୀ ଜଣକ ଶତକଡ଼ା ୯୦ ପ୍ରତିଶତ ଜଳି ଯାଇଥିବା ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଅଭିଯୁକ୍ତ ମାଧବ ଫେରାର ହୋଇଯାଇଛି।

ପୋଲସରା କଲେଜରେ ପାଠ ପଢ଼ୁଥିବା ସୁନେଲି କଲେଜ ଯିବାଆସିବା ସମୟରେ ତାଙ୍କ ନିଜ ଗାଁର ମାଧବ ରାସ୍ତାରେ ବାରମ୍ବାର କମେଣ୍ଟ କରି ହଇରାଣ କରୁଥିଲା ବୋଲି ଯୁବତୀଙ୍କ ମାମୁ ବିଷ୍ଣୁ ସ୍ୱାଇଁ କହିଛନ୍ତି। ସୁନେଲି ଓ ଅନ୍ୟ ଝିଅମାନେ ମାଧବର ଏ ହରକତକୁ ଅଣାଦେଖା କରି ନିଜ ରାସ୍ତାରେ ଚାଲି ଯାଉଥିଲେ। ଗତକାଲି ବିଷ୍ଣୁଙ୍କ ସାନ ଭାଇ ମାଧବକୁ ବୁଝାସୁଝା କରି ଗାଁର ଝିଅମାନଙ୍କୁ ହଇରାଣ ନକରିବା ପାଇଁ ତାଗିଦ୍‌ କରିଥିଲେ। ଏଥିରେ ମାଧବ ରାଗିଯାଇ ପାଲଟା ଧମକ୍‌ ଦେଇଥିଲା। ଆଜି ମଧ୍ୟାହ୍ନରେ ସୁନେଲି ଘରେ ଏକୁଟିଆ ଥିଲେ। ଏ ସମୟରେ ମାଧବ ହଠାତ୍‌ ଘର ଭିତରେ ପଶିଯାଇ ଘରେ ଓ ସୁନେଲିଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ସୁନେଲି ନିଆଁରେ ଜଳୁଥିବା ବେଳେ ଚିତ୍କାର କରିଥିଲେ। ଝିଅର ପାଟି ଶୁଣି ମା’ ଆମୁଲି ଘରକୁ ଦୌଡ଼ି ଆସି ସୁନେଲିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଦେଖୁ ଦେଖୁ ନିଆଁ ଅନ୍ୟ ଦୁଇଟି ବଖରାକୁ ବ୍ୟାପି ଯାଇଥିଲା। ଏହା ଦେଖି ସାହି ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା’-ଝିଅଙ୍କୁ ଉଦ୍ଧାର କରିଥିଲେ। ସେପଟେ ଏଭଳି କାଣ୍ଡ ଘଟାଇ ମାଧବ ଗାଁରୁ କୁଆଡ଼େ ଚମ୍ପଟ୍‌ ମାରିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମା’-ଝିଅଙ୍କୁ ପ୍ରଥମେ ଆସିକା ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe