ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି, ଆଜି ବି ଲକ୍ଷାଧିକ ଲୋକ ପଟ୍ଟା ପାଇବାରୁ ବଞ୍ଚିତ

Advertisment
ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି, ଆଜି ବି ଲକ୍ଷାଧିକ ଲୋକ ପଟ୍ଟା ପାଇବାରୁ ବଞ୍ଚିତ

New Indian Express

ଶେରଗଡ଼: ଗ୍ରାମକଣ୍ଠକ ଘର ଏବଂ ଜମିକୁ ନିୟମ ମୁତାବକ କିଣିଥିବା ବ୍ୟକ୍ତିଙ୍କୁ ଜମି ଓ ଘରପଟ୍ଟା ପ୍ରଦାନ କରିବା ନେଇ ସରକାର ଘୋଷଣା କଲେ। କିନ୍ତୁ ଏହି ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ପରିବାର ପଟ୍ଟା ନପାଇ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।
୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ଗଞ୍ଜାମ ଜିଲ୍ଲାର ଯେଉଁ ବ୍ୟକ୍ତି ୨୦୦୬ ମସିହା ଫେବୃଆରି ୨୬ ତାରିଖ ପୂର୍ବରୁ ଜମି ଓ ଘର କ୍ରୟ କରିଥିବେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯିବ। କିନ୍ତୁ ଏହି ଘୋଷଣା ଦ୍ବାରା ଜିଲ୍ଲାର ପାଖାପାଖି ଏକ ଲକ୍ଷରୁ ଅଧିକ ପରିବାର ପଟ୍ଟା ପାଇ ପାରିନାହାନ୍ତି। ସରକାର କେଉଁ ପରିସ୍ଥିତିରେ ଏଭଳି ଏକ ତାରିଖ ଘୋଷଣା କଲେ ତାହା ସମସ୍ତଙ୍କୁ ଚକିତ କରିଛି। ଚାରି ବର୍ଷ ତଳୁ କିଣିଥିବା ଜମିଜମାର ପଟ୍ଟା ପ୍ରଦାନ କରାଯିବା ନେଇ ଘୋଷଣା କରି ଗଞ୍ଜାମ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ କରିବା ଫଳରେ ବହୁ ପରିବାର ପଟ୍ଟା ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରତିଦିନ ଲୋକେ ତହସିଲ ଓ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହୋଇ ଫେରୁଛନ୍ତି। ଘର ମାଲିକମାନଙ୍କ ନାମରେ ପଟ୍ଟା ନଥିବା ଯୋଗୁଁ ବହୁ ଗରିବ ପରିବାର ବିଜୁ ପକ୍କାଘର ଓ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏପରିକି ଝିଅ ବାହାଘର କିମ୍ବା ରୋଗ ହେଲେ ଆବଶ୍ୟକତା ସମୟରେ ଜମି କିମ୍ବା ଘର ବିକ୍ରି ଓ ବ୍ୟାଙ୍କରେ ବନ୍ଧକ ଦେଇ ଟଙ୍କା ଯୋଗାଡ଼ କରିପାରୁନାହାନ୍ତି। ଏହି ସମସ୍ୟା କେବଳ ଗଞ୍ଜାମ ଜିଲ୍ଲାରେ ଲାଗି ରହିଥିବା ବେଳେ ଏହାର ସମାଧାନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାନଯିବାକୁ ନେଇ ଅସନ୍ତୋଷ ଦେଖା ଦେଇଛି।

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଏନେଇ ଜିଲ୍ଲା ପ୍ରଶାସନ ସରକାରଙ୍କୁ ଅବଗତ କରିଛନ୍ତି। ସରକାର କ୍ରୟ ତାରିଖର ଅବଧିକୁ ବୃଦ୍ଧି କଲେ ବହୁ ପରିବାର ଉପକୃତ ହୋଇ ପାରିବେ। ସରକାର କେବଳ ଧାର୍ଯ୍ୟ ସମୟସୀମା ବୃଦ୍ଧି କରି ପଟ୍ଟା ବଣ୍ଟନ କରୁଥିବା ବେଳେ କ୍ରୟ ତାରିଖ ବୃଦ୍ଧି ନ କରିବା ଦ୍ବାରା ଜନସାଧାରଣ କୌଣସି ଯୋଜନାରୁ ଉପକୃତ ହୋଇପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲାର ଗାଁ ଗାଁରେ ଚାଲୁଥିବା ମୋ' ତହସିଲ କାର୍ଯ୍ୟକ୍ରମ କାହା ପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତବର୍ଷ ରାଜସ୍ବ ବିଭାଗ ପକ୍ଷରୁ ପ୍ରତି ଗାଁରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବହୁ ଲୋକ ଗ୍ରାମକଣ୍ଠକ ଜାଗା କିଣି ପଟ୍ଟା ପାଇଁ ଆବେଦନ କରିଥିଲେ ବି ଆଜି ସୁଦ୍ଧା ପାଇପାରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe