ଆସିକାରେ ରାଜନୈତିକ ପାଣିପାଗ ବେଶ୍ ସରଗରମ: ନିର୍ବାଚନ ମଇଦାନରେ ଭାଇ, ଭାଉଜ, ଭଉଣୀ

ଆସିକା ବ୍ଲକ୍ ଅଧ୍ୟକ୍ଷଙ୍କ ପରିବାରରୁ ୪ ଜଣ ଲଢ଼ିବେ

ଉପନିର୍ବାଚନ ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର: ଅଳକାଙ୍କ ପାଇଁ ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

The New Indian Express

ଆସିକା : ପଞ୍ଚାୟତ ନିର୍ବାଚନକୁ ନେଇ ଗଞ୍ଜାମ ଜିଲ୍ଲା ଆସିକାରେ ରାଜନୈତିକ ପାଣିପାଗ ବେଶ୍ ସରଗରମ ‌ରହିଛି। ଏଭଳି ପରିସ୍ଥିତିରେ ବ୍ଲକ୍ ଅଧ୍ୟକ୍ଷଙ୍କ ପରିବାରରୁ ଏକାଥରକେ ଚାରିଜଣ ନିର୍ବାଚନ ମୈଦାନ୍‌କୁ ଓହ୍ଲାଇବା ଓ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବା ରାଜନୈତିକ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି।

ଚଳିତ ନିର୍ବାଚନରେ ବ୍ଲକ୍ ଅଧ୍ୟକ୍ଷ ହରେକୃଷ୍ଣ ମଳିକ ବେଣାପାଟ ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ହରେକୃଷ୍ଣଙ୍କ ବଡ଼ଭାଇ ଭବାନୀ ଶଙ୍କର ମଳିକ କେନ୍ଦୁପଦରରୁ ସରପଞ୍ଚ ପ୍ରାର୍ଥୀ ଓ ଭାଉଜ ଶିଖା ମଳିକ ବାଙ୍ଗରଡ଼ାରୁ ସମିତିସଭ୍ୟ ପ୍ରାର୍ଥିନୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ଭଉଣୀ ବାସନ୍ତୀ ପ୍ରଧାନ କେନ୍ଦୁପଦରରୁ ସମିତିସଭ୍ୟ ପ୍ରାର୍ଥିନୀ ଭା‌ବେ ଭାଗ୍ୟ ପରୀକ୍ଷା କରିବେ।

ତେବେ ମଳିକ ପରିବାର ରାଜନୀତିରେ ସକ୍ରିୟ ରହିବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ହରେକୃଷ୍ଣଙ୍କ ମା ସ‌ରୋଜିନୀ ମଳିକ ୨୦୧୨ରେ କେନ୍ଦୁପଦରରୁ ସରପଞ୍ଚ ପ୍ରାର୍ଥିନୀ ଭାବେ ବିଜୟୀ ହୋଇଥିଲେ। ୨୦୧୭ରେ ହରେକୃଷ୍ଣ ପାଣ୍ଡିଆପଥରରୁ ସମିତିସଭ୍ୟ ଓ ମାସରୋଜିନୀ ନିମିନାରୁ ସମିତିସଭ୍ୟ ପଦରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥି‌ଲେ। ଆଉ ହରେକୃଷ୍ଣ ଗଞ୍ଜାମ ଜିଲ୍ଲାର ସର୍ବକନିଷ୍ଠ ବ୍ଲକ୍ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

ଚଳିତ ନିର୍ବାଚନରେ ହରେକୃଷ୍ଣଙ୍କ ସହ ତାଙ୍କ ବଡ଼ଭାଇ, ଭାଉଜ ଓ ଭଉଣୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେ ନିଜ ପଞ୍ଚାୟତ କେନ୍ଦୁପଦର ବଦଳରେ ଏଥର ପଡ଼ୋଶୀ ପଞ୍ଚାୟତ ବେଣାପାଟରୁ ସମିତିସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ ପରିବାରର ଅନ୍ୟ ସଦସ୍ୟମାନେ କେନ୍ଦୁପଦର ଏବଂ ବାଙ୍ଗରଡ଼ାରୁ ସେମା‌ନଙ୍କ ଭାଗ୍ୟ ପରୀକ୍ଷା କରିବେ। ତେବେ ହରେକୃଷ୍ଣଙ୍କ ଭାଇ, ଭାଉଜ ଓ ଭଉଣୀ ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିବାରୁ ଏହା ଉପରେ ବର୍ତ୍ତମାନ ସମନ୍ତଙ୍କ ନଜର ରହିଛି। ବିଜୟଧାରା ବଜାୟ ରଖିବାକୁ ‌ହରେକୃଷ୍ଣ ରଣକୌଶଳ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe