ରେଶମ ସହରରେ ଲୋପ ପାଉଛି ଭଡ଼ା ସାଇକେଲ୍‌ ପରମ୍ପରା; ବିଶ୍ବାସ ଓ ଭରସାରେ ଚାଲିଥିଲା ବେପାର

Advertisment
ରେଶମ ସହରରେ ଲୋପ ପାଉଛି ଭଡ଼ା ସାଇକେଲ୍‌ ପରମ୍ପରା; ବିଶ୍ବାସ ଓ ଭରସାରେ ଚାଲିଥିଲା ବେପାର

ବ୍ରହ୍ମପୁର: ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରୁଥିଲେ। ଶାରିରୀକ ବ୍ୟାୟାମ ସହିତ ଶରୀର ସୁସ୍ଥ ରହୁଥିଲା। ଏହାର ମାଧ୍ୟମ ରହିଥିଲା ସାଇକେଲ।  ଆଧୁନିତକାର ସ୍ପର୍ଶରେ ଲୋକେ ସୁବିଧା ଆଡ଼କୁ ଗତି କରୁଛନ୍ତି। ସ୍ବଳ୍ପ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବା ପାଇଁ ମୋଟରଗାଡ଼ିର ବ୍ୟବହାର କରିବାରେ ଲାଗିଛନ୍ତି। ଆଜି ସେହି ସାଇକେଲ ଘରର କେଉଁ କୋଣରେ ପଡ଼ିରହିଛି, ତା' ଉପରେ ମାଡ଼ି ଯାଇଛି ଧୂଳି। କେଉଁଟା ବ୍ୟବହାର ଉପଯୋଗୀ ତ ଆଉ କେଉଁଟା ଭାଙ୍ଗିପଡ଼ିଛି। ମରାମତି ହୋଇପାରୁନାହିଁ କି ସେହି ବ୍ୟବସାୟ ପ୍ରତି ମଧ୍ୟ ଆଗ୍ରହ ନାହିଁ ଲୋକଙ୍କ ମନରେ। ରୋଜଗାର ଚିନ୍ତାରେ ଲୋକେ ପେସା ବଦଳାଉଛନ୍ତି। ରେଶମ ସହର ବ୍ରହ୍ମପୁରଠାରେ ସାଇକେଲ ଭଡ଼ା ଦେଇ ରୋଜଗାର କରୁଥିବା ପରମ୍ପରା ଦିନକୁ ଦିନ ଲୋପ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ସାଇକେଲ୍ ଭଡ଼ା ଦେବା ବ୍ୟବସାୟକୁ ଛାଡି କିଏ ରାସନ୍ ଦୋକାନ କରିଛି ତ ଆଉ କିଏ ଅଲଗା ପନ୍ଥା ବାଛି ନେଇଥିବା ଦେଖିବାକୁ ମିଳିଛି।

ବ୍ରହ୍ମପୁର ସହରରେ ପୂର୍ବରୁ ୬୦ରୁ ଅଧିକା ଭଡ଼ା ସାଇକେଲ ଦୋକାନ ରହିଥିଲା। ସହରର ପ୍ରମୁଖ ସ୍ଥାନ ଗେଟ୍‌ବଜାର, ଫାଷ୍ଟଗେଟ୍‌, ହରଡ଼ାଖଣ୍ଡିଛକ, ବିଜିପୁର, ଗ‌ୋସାଇଁନୂଆଗାଁ, କମାପଲ୍ଲୀ, ମେଡ଼ିକାଲ ଛକ ଓ ରେଳଷ୍ଟେସନଠାରେ ଏହି ଦୋକାନ ଖୋଲିଥିଲା। ବସ୍ ଯୋଗ‌େ କିମ୍ବା ଟ୍ରେନରେ ଲୋକେ ଆସି ସେଠାରୁ ସାଇକେଲ୍‌ ନେଇ କାମକୁ ଯାଉଥିଲେ। କିଏ ନିଜର ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ ତ ଆଉ କିଏ ସାହିକୁ ସାହି ବୁଲି ବ୍ୟବସାୟ କରୁଥିଲେ। କେହି କେହି ଗାଁକୁ ରାତିରେ ସାଇକେଲ ନେଇ ଯାଉଥି‌ଲେ, ପୁଣି ସକାଳୁ ଫେରାଇ ସହରରେ ରିକ୍ସା ଟାଣୁଥିଲେ। ବ୍ୟବସାୟକୁ ଦେଖି ବେପାରୀମାନ‌େ ସାଇକେଲକୁ ମରାମତି କରି ଚକାଚକ୍ ରଖୁଥିବା ବେଳେ ନୂଆ ସାଇକେଲକୁ ମଧ୍ୟ ସାମିଲ କରୁଥିଲେ। ପ୍ରତି ଦୋକାନୀ ନିଜ ସାଇକେଲ ପଛରେ ନମ୍ବର କିମ୍ବା କୋଡ୍ ଲେଖୁଥିଲେ। ସାଇକେଲ୍‌ ଫେରାଇବା ସମୟରେ ଲୋକ‌େ ଘଣ୍ଟା ହିସାବରେ ଟଙ୍କା ପୈଠ କରୁଥିଲେ।

ବିଶ୍ବାସରେ ଚାଲୁଥିଲା ଏହି ବ୍ୟବସାୟ। ‌ଚିହ୍ନା ଓ ଅଚିହ୍ନା ଲୋକଙ୍କୁ ମଧ୍ୟ ଦୋକାନୀ ସାଇକେଲ୍‌ ଭଡ଼ାରେ ଦେଉଥିଲେ। ଏହି ବ୍ୟବସାୟ ଉପରେ ନିର୍ଭର କରି ବେପାରୀ ଗୁଜୁରାଣ ମେଣ୍ଟାଉଥିଲେ। ବାଇକ୍ ଓ କାର୍ ଆସିଯିବା ଫଳରେ ଲୋକଙ୍କ ଭଡ଼ା ସାଇକେଲ୍‌ ପ୍ରତି ଆଗ୍ରହ କମିଛି। ଦିନଥିଲା ସାଇକେଲ୍‌ ନେବା ପାଇଁ ଲୋକେ ଜଗି ରହୁଥିଲେ, କିନ୍ତୁ‌ ଦିନ ବଦଳିଗଲା। ସାଇ‌କେଲ୍ ସେମିତି ପଡ଼ି ରହିଛି, ଲୋକେ ଆଉ ଆସୁନାହାନ୍ତି। ଯାହା ଫଳରେ ଭଡ଼ା ସାଇକେଲ୍‌ ଦୋକାନ ସଂଖ୍ୟା କମି ସହରରେ ଏବେ ୧୦ରୁ ୧୫ଟି ରହିଥିବା ବ୍ୟବସାୟୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe