ଜଳିଗଲା ଚଳନ୍ତା କାର୍‌, ଚାଳକଙ୍କ ଉପସ୍ଥିତି ବୁଦ୍ଧି ‌ପାଇଁ ବର୍ତ୍ତିଗଲେ ୪

Advertisment
ଜଳିଗଲା ଚଳନ୍ତା କାର୍‌, ଚାଳକଙ୍କ ଉପସ୍ଥିତି ବୁଦ୍ଧି ‌ପାଇଁ ବର୍ତ୍ତିଗଲେ ୪

ବାଲିପାଟଣା: ମଙ୍ଗଳବାର ରାତିରେ ବାଲିପାଟଣା ଥାନା ନିଶ୍ଚିନ୍ତପୁରଠାରେ ଏକ ଚଳନ୍ତା କାର୍‌ ଜଳିଯାଇଛି। କାର୍‌ଟି ପୂରା ଜଳିଯାଇଥିଲେ ହେଁ ସୌଭାଗ୍ୟକୁ ସେଥିରେ ଥିବା ୪ ଯାତ୍ରୀ ବର୍ତ୍ତିଯାଇଛନ୍ତି। ବଡ଼ କଥା ହେଉଛି ଯାତ୍ରୀମାନଙ୍କ ଭିତରେ ୪ ବର୍ଷର ଶିଶୁଟିଏ ଥିଲା। କାର୍‌ ଚାଳକଙ୍କ ଉପସ୍ଥିତି ବୁଦ୍ଧି ‌ପାଇଁ ସମସ୍ତେ ଏକ ବଡ଼ଧରଣର ବିପଦରୁ ମୁକୁଳିଗଲେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ କାର୍‌ଟି ରାଜସରୁ ପୁବାଗଡ଼ ଯାଉଥିଲା। ନିଶ୍ଚିନ୍ତପୁରଠାରେ ହଠାତ୍ କାର୍‌ଟି ଜଳିଉଠିଲା। ପ୍ରଥମେ କାର୍‌ ଚାଳକ ଭୟଭୀତ ହୋଇପଡ଼ିବାରୁ ଭାରସାମ୍ୟ ହରାଇଥିଲେ ଏବଂ ଗାଡ଼ିଟି ରାସ୍ତାକଡ଼ ବିଲକୁ ଖସିଯାଇଥିଲା। କିନ୍ତୁ କାର୍‌ ଚାଳକ ଗାଡ଼ିକୁ ଓଲଟିବାକୁ ଦେଇନଥିଲେ। ବିଲ ଭିତରେ କାର୍‌ ଅଟକିବା ମାତ୍ରେ ଚାଳକ ବାହାରି ଆସି ସବୁ ଡୋର୍ ଖୋଲି ଦେଇଥିଲେ। ଫଳରେ ପୂରା କାର୍‌କୁ ନିଆଁ ବ୍ୟାପିବା ପୂର୍ବରୁ ସମ‌ସ୍ତ ଯାତ୍ରୀ ବାହାରକୁ ବାହାରି ଆସିଥିଲେ। ଖବର ପାଇ ବାଲିପାଟଣା ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁ ଲିଭାଇଥିଲା। କିନ୍ତୁ ସେତେବେଳକୁ କାର୍‌ଟି ପୂରା ଜଳିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe