ଚଣ୍ଡିଖୋଲ: ଧାନମଣ୍ଡଳ ଆକାଶରେ ଚକ୍କର କାଟିଲେଣି ଅତିଥି ପକ୍ଷୀ ଗେଣ୍ଡାଳିଆ। ବର୍ଷାଦିନ ଆସିଲେ ଏହି ପକ୍ଷୀ ଯୋଜନ ଯୋଜନ ଦୂରରୁ ଏଠାକୁ ଉଡ଼ି ଆସିଥାନ୍ତି। ଶୀତ ଦିନ ପର୍ଯ୍ୟନ୍ତ ଏଠାକାର ବଡ଼ ବଡ଼ ଗଛରେ ବସା ବାନ୍ଧି ରହନ୍ତି। ୫/୬ ମାସ ପର୍ଯ୍ୟନ୍ତ ଏହି ପକ୍ଷୀ ଏଠାରେ ରହି ପୁଣି କୁଆଡ଼େ ଉଭାନ ହୋଇଯାନ୍ତି। କେଉଁ କାଳରୁ ଏମାନେ ଏହି ଧାନମଣ୍ଡଳ ଅଞ୍ଚଳକୁ ଆସି ଏଠାରେ ବଂଶବିସ୍ତାର କରିଥାନ୍ତି। ପରେ ପକ୍ଷୀ ଶାବକଙ୍କୁ ଉଡ଼ାଣ ଶିଖାଇ ସାଥିରେ ଧରି ପୁଣି ଫେରିଯାନ୍ତି। କୁହାଯାଏ ଧାନମଣ୍ଡଳ ହେଉଛି ଏହି ଅତିଥି ପକ୍ଷୀଙ୍କ ଅନ୍ତୁଡ଼ିଶାଳ। ହଜାରହଜାର ସଂଖ୍ୟାର ଏହି ପକ୍ଷୀ ଏଠାରେ ରହିବା ସମୟରେ କିଚିରିମିଚିରି ଶବ୍ଦ କରି ଧାନମଣ୍ଡଳ ଅଞ୍ଚଳରେ ଗୋଟେ ଭିନ୍ନ ପରିବେଶ ସୃଷ୍ଟି କରିଥାନ୍ତି।
ଏହି ପକ୍ଷୀଗୁଡ଼ିକ ଧାନମଣ୍ଡଳ ବଜାର ନିକଟରେ ଥିବା ବଡ଼ବଡ଼ ବର ଗଛରେ ବସା ବାନ୍ଧି ରହିଥାନ୍ତି। ମାଈ ପକ୍ଷୀ ନିକଟ ଅଞ୍ଚଳରୁ କାଠିକୁଟା ସଂଗ୍ରହ କରି ଗଛ ଉପର ଝଙ୍କାଳିଆ ସ୍ଥାନରେ ବସା ତିଆରି କରନ୍ତି। ଅଣ୍ଡିରା ପକ୍ଷୀ ଦୂର ସ୍ଥାନକୁ ଯାଇ ଖାଦ୍ୟ ସଂଗ୍ରହ କରି ଆଣିଥାନ୍ତି। ଏଠାରେ କିଛି ଦିନ ରହିବା ପରେ ମାଈ ପକ୍ଷୀ ଅଣ୍ଡା ଦେଇଥାନ୍ତି। ଅଣ୍ଡା ଫୁଟାଇ ଛୁଆ ବାହାରିବା ପରେ ଧୀରେଧୀରେ ସେହି ଛୁଆଙ୍କୁ ଉଡ଼ାଣ ଶିଖାଇଥାନ୍ତି ବୋଲି ପ୍ରତିବର୍ଷ ଏମାନଙ୍କୁ ସୁରକ୍ଷା ଦେଇ ଆସୁଥିବା ସ୍ବେଚ୍ଛାସେବୀ ଅନିଲ ଦାସ ସୂଚନା ଦେଇଛନ୍ତି। ଶାବକପକ୍ଷୀ ଉଡ଼ାଣ ଶିଖିବା ପରେ ପୁଣି ଫେରିଯାଇଥାନ୍ତି ବର୍ଷାଦିନ ଆସିବା ପର୍ଯ୍ୟନ୍ତ। ଧାନମଣ୍ଡଳ ଅଞ୍ଚଳବାସୀ ଏହି ପକ୍ଷୀଙ୍କ ଆଗମନକୁ ପ୍ରତିବର୍ଷ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି। ଅବଶ୍ୟ ଏଗୁଡ଼ିକୁ ମାରି ଖାଇବା ପାଇଁ ଶିକାରୀମାନେ ଉଦ୍ୟମ କରିବାରୁ ଗତ କିଛି ବର୍ଷ ହେବ ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାସେବୀ, ପକ୍ଷୀପ୍ରେମୀ ଯୁବକ ଓ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଫଳରେ ପକ୍ଷୀକୁଳ ସୁରକ୍ଷିତ ଭାବେ ରହି ଆସୁଛନ୍ତି। ଏବେ ଏମାନଙ୍କ ପାଇଁ ଏଠାରେ ଅନ୍ୟଏକ ସମସ୍ୟା ମୁଣ୍ଡ ଟେକିଛି। ଧାନମଣ୍ଡଳ ବଜାର ଅଞ୍ଚଳରେ ଥିବା ବଡ଼ ଗଛ ସବୁ କାଟି ଦିଆଯାଇଥିବାରୁ ବସା ବାନ୍ଧିବାକୁ ଜାଗାର ଅଭାବ ହେଲାଣି। ଏହି ସମସ୍ୟା ପ୍ରତି ବନ ବିଭାଗ ଆବଶ୍ୟକ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ପରିବେଶବିତ୍ କାମିନୀ ନାୟକ ଦାବି କରିଛନ୍ତି।
Follow Us