ନଦୀରେ ମିଶୁଛି ଚିଙ୍ଗୁଡ଼ି ଘେରି ଆବର୍ଜନା, ଘେରି ଉଚ୍ଛେଦ ନାଁକୁ

Advertisment

ମାଫିଆଙ୍କୁ ସୁହାଉଛି ପ୍ରଶାସନିକ ଉଦାସୀନତା

ମାଫିଆଙ୍କୁ ସୁହାଉଛି ପ୍ରଶାସନିକ ଉଦାସୀନତା

ନଦୀରେ ମିଶୁଛି ଚିଙ୍ଗୁଡ଼ି ଘେରି ଆବର୍ଜନା, ଘେରି ଉଚ୍ଛେଦ ନାଁକୁ

Sambad

ମହାକାଳପଡା: ଉପକୂଳ ପରିବେଶ ପ୍ରତି ବିପଦ ଘନେଇବାରେ ଲାଗିଛି। ଦିନକୁ ଦିନ ଚିଙ୍ଗୁଡି ଘେରି ସଂଖ୍ୟା ବଢିବାରେ ଲାଗିଛି। ଏହିସବୁ ଘେରିରୁ ନିର୍ଗତ ବର୍ଜ୍ୟବସ୍ତୁ ସିଧାସଳଖ ନଦୀ ଭିତରେ ପଶୁଛି। ନଦୀ ପାଣି ବିଷାକ୍ତ ହେଉଥିବା ବେଳେ ଜଳଜୀବଙ୍କ ସ୍ଥିତି ସଙ୍କଟ‌ରେ ପଡ଼ିଛି। ଏଥିପ୍ରତି ପ୍ରଶାସନର କିନ୍ତୁ ନିଘା ନାହିଁ। ଏଭଳି ସମସ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ମହାକାଳପଡା ବ୍ଲକ୍‌ ଉପକୂଳ ଇଲାକା ଜମ୍ବୁ, ଖରିନାସୀ, ରାମନଗର ଓ ବତିଘର ଆଦି ପଂଚାୟତରେ ଶହଶହ ବେଆଇନ ଚିଙ୍ଗୁଡି ଘେରି ଗଢି ଉଠିଛି। ଏହିସବୁ ଚିଙ୍ଗୁଡ଼ି ଘେରି ସଂପୃକ୍ତ ଅଂଚଳର ଜଳବାୟୁକୁ ପ୍ରଦୂଷିତ କରୁଛି। ଜମ୍ବୁ ପଂଚାୟତ ଭାଟେଣୀଠାରେ ଏପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଭାଟେଣୀର କଳସୀପେଟାଠାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ କରିଛନ୍ତି। ସେଠାରେ ତାଙ୍କର ୩ଟି ପୋଖରୀ ରହିଛି। ଯାହାର ଆୟତନ ପ୍ରାୟ ୧୦ ଏକର।

ଏହି ଘେରିଗୁଡିକ ଗୋବରୀ ନଦୀକୁ ଲାଗି ରହିଛି। ଉକ୍ତ ଘେରିରୁ ନିର୍ଗତ ବର୍ଜ୍ୟବସ୍ତୁ ସିଧାସଳଖ ଗୋବରୀକୁ ଛଡା ଯାଉଛି। ଫଳରେ ନଦୀ ଜଳ ଦୂଷିତ ହେବା ସହିତ ମତ୍ସ୍ୟ ସମ୍ପଦ ପ୍ରଭାବିତ ହେଉଛି। ଏହାଦ୍ବାରା ପାରମ୍ପରିକ ମତ୍ସ୍ୟଜୀବୀମାନେ ଜୀବନଜୀବିକା ଓ ସ୍ବାସ୍ଥ୍ୟକ୍ଷେତ୍ରରେ ପ୍ରଭାବିତ ହେଉଛନ୍ତି। ଏଥିସହିତ ପ୍ରାକୃତିକ ଜୈବ ବିବିଧତା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ଏପଟେ ରାଜସ୍ବ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଅନେକ ସମୟରେ ନାମକୁ ମାତ୍ର ଘେରି ଉଚ୍ଛେଦ କରି କର୍ତ୍ତବ୍ୟ ସାରି ଦେଉଛନ୍ତି। ପ୍ରଶାସନର ଉଦାସୀନତା ମନୋଭାବ ଚିଙ୍ଗୁଡି ମାଫିଆମାନଙ୍କୁ ସୁହାଉଛି। ସେମାନେ ଘେରି ଭଙ୍ଗାଯିବାର ଦିନ କେଇଟା ପରେ ପୁନଶ୍ଚ ବେଆଇନ ଚିଙ୍ଗୁଡି ଚାଷ ଜାରି ରଖୁଛନ୍ତି। ଜଙ୍ଗଲ ବିଭାଗ ଏଭଳି ବେଆଇନ କାର୍ଯ୍ୟକୁ ରୋକିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହେଉଛି। ତୁରନ୍ତ ସମସ୍ୟାର ପ୍ରତିକାର ପାଇଁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe