ଆଜୋଲା ଘାଷ ଚାଷ କରି ପଦ୍ମାଳୟା ‌‌ସ୍ବାବଲମ୍ବୀ, ୧୦ ମହିଳାଙ୍କୁ ଦେଖାଇଛନ୍ତି ରୋଜଗାରର ବାଟ

ଆଜୋଲା ଘାଷ ଚାଷ କରି ପଦ୍ମାଳୟା ‌‌ସ୍ବାବଲମ୍ବୀ, ୧୦ ମହିଳାଙ୍କୁ ଦେଖାଇଛନ୍ତି ରୋଜଗାରର ବାଟ

ବେଗୁନିଆ: ପଙ୍ଗାରସିଂହ ପଞ୍ଚାୟତ ଲେଖନପୁର ଗ୍ରାମର ପଦ୍ମାଳୟା ସ୍ୱାଇଁ। ସ୍ୱାମୀଙ୍କ ରୋଜଗାରରେ ପରିବାର ଚଳୁଥିଲା ବେଳେ ନିଜେ ବଳକା ସମୟକୁ ଅଯଥାରେ ଅପଚୟ କରୁଥିଲେ। ହେଲେ ସ୍ୱାମୀଙ୍କ ରୋଜଗାର ସହିତ ନିଜେ କିଛି ରୋଜଗାର କରିବାର ଦୃଢ଼ ଇଚ୍ଛାଶକ୍ତି ପାଇଁ ପ୍ରଥମେ ୫୦ ହଜାର ଟଙ୍କା ବିନିଯୋଗ କରି ଜର୍ସିଗାଈ ରଖିଥିଲେ। ହେଲେ ଗାଈଙ୍କ ଦାନା ବ୍ୟୟ ବହୁଳ ହେତୁ କ୍ଷୀର ବିକ୍ରି ଆୟବ୍ୟୟ ପ୍ରାୟ ସମାନ ହେଲା। ଫଳରେ କମ ଖର୍ଚ୍ଚରେ ଗାଈଙ୍କ ଖାଦ୍ୟ ଯୋଗାଡ଼ ପାଇଁ ପ୍ରଚେଷ୍ଟା କରି ବେଗୁନିଆ ପ୍ରାଣୀ ବିଭାଗର ପ୍ରୋତ୍ସାହନରେ ଆଜୋଲା ଘାଷ ଚାଷ ଆରମ୍ଭ କରିଥିଲେ। ଏବେ ସେ ଏହି ପୁଷ୍ଟିକର ପଶୁଖାଦ୍ୟ ଚାଷ କରି ସ୍ବାବଲମ୍ବୀ ହେବା ସହ ପାଖାପାଖି ୧୦ଜଣ ମହିଳାମାନଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି।

ସଂପ୍ରତି ସେ ନିଜ ବାଡ଼ିରେ ଏହି ନିଆରା ଘାଷ ଚାଷ କରିଛନ୍ତି। ଚାଷ ପାଇଁ ୨ମିଟରରେ ୨ମିଟର ଆକାରର ପଟାଳି କରି ଏହାର ଚାଷ କରୁଛନ୍ତି। ସମତଳ ଜାଗାକୁ ଅଳ୍ପ ଗଭୀର କରି ପ୍ରତି ବର୍ଗମିଟରରେ ଦୁଇଶହ ଗ୍ରାମ ସଜ ଆଜୋଲା ପକାଉଛନ୍ତି। ଏହାର ୩ ସପ୍ତାହ ପରେ ପ୍ରତି ବର୍ଗମିଟର କ୍ଷେତ୍ରରୁ ୬ରୁ ୮କିଲୋଗ୍ରାମ ଆଜୋଲା ଅମଳ କରୁଛନ୍ତି, ଯାହା ଗୋପାଳନ ପାଇଁ ଖାଦ୍ୟ ଭାବେ ଉପଯୋଗ ହେଉଛି। ଏହି ଆଜୋଲା ପଟାଳିରୁ ମିଳୁଥିବା ଆଜୋଲାକୁ କୁକୁଡା, ଛେଳି ଏବଂ ଗୋରୁ ମାନଙ୍କ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି। ଏହାଛଡ଼ା ପାଣି ଜମୁଥିବା ସ୍ଥାନରେ ଆଜୋଲା ଛାଡ଼ିଲେ ସେଠାରେ ମଶା ବଂଶ ବିସ୍ତାର କରିପାରନ୍ତି ନାହିଁ। ଏଣୁ ପରୋକ୍ଷରେ ପ୍ରଦୂଷଣ ରୋକି ପଦ୍ମାଳୟା ସମାଜ ପାଇଁ ନିଜ କର୍ତ୍ତବ୍ୟ ପୂରଣ କରୁଛନ୍ତି। ନିଜେ ନିଜର ପାଳିତ ଗାଈଙ୍କୁ ଦାନା ବଦଳରେ ଆଜୋଲା ଘାଷ ଖାଇବାକୁ ଦେଇ ପ୍ରତି ମାସରେ ୧୦ହଜାର ଟଙ୍କା ରୋଜଗାର କରି ପାରିଥିଲେ।

ପରେ ମା’ ଅନ୍ନପୂର୍ଣ୍ଣା ମହିଳା ସମିତି ସଦସ୍ୟା ରହି ୨୦୨୧-୨୨ବର୍ଷରେ ପ୍ରାଣୀସମ୍ପଦ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ସରକାରୀ ସହାୟତା ପାଇ ପ୍ରଥମେ ଛେଳି ଚାଷ ଓ ପରେ ୨୦୨୨-୨୩ ବର୍ଷରେ ପ୍ରାଣୀସମ୍ପଦ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ସରକାରୀ ସହାୟତାରେ ପାଇ କୁକୁଡ଼ା ଚାଷ ଆରମ୍ଭ କରିଥିଲେ। ସଂପ୍ରତି ସେ ନିଜେ ସକ୍ଷମ ହେବା ସହ ଅନ୍ୟ କେତେକ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି। ସମସ୍ତ ଖର୍ଚ୍ଚ ପରେ ମା’ ଅନ୍ନପୂର୍ଣ୍ଣା ଗୋଷ୍ଠୀର ମହିଳାମାନେ ମାସକୁ ୫ହଜାର ଟଙ୍କା ରୋଜଗାର କରୁଛନ୍ତି। ସମସ୍ତେ ମିଳିତ ଭାବେ ଗାଈ ରଖିବା ସହ ଛେଳି, କୁକୁଡ଼ା ଆଦି ଚାଷ କରୁଛନ୍ତି। କ୍ଷୀର ଭଳି କୁକୁଡ଼ାର ଉଚିତ ମୂଲ୍ୟ ଓ ମାର୍କେଟିଂ ବ୍ୟବସ୍ଥା କରାଗଲେ ଅଧିକ ଲାଭବାନ ହେବା ସହିତ ମହିଳାମାନେ ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି ପଦ୍ମାଳୟା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe