Advertisment

ପ୍ରିନ୍‌ସପାଲ୍‌, ଏସ୍‌ଡିପିଓଙ୍କ ନିର୍ବାଚନୀ ସଭା: ସଭାରେ ସରକାରୀ ଶିକ୍ଷକ ବି ସାମିଲ

Advertisment

ଭିଡିଓ ଭାଇରାଲ୍‌; ଡିଇଓଙ୍କ ତଦନ୍ତ ନିର୍ଦ୍ଦେଶ

ଭିଡିଓ ଭାଇରାଲ୍‌; ଡିଇଓଙ୍କ ତଦନ୍ତ ନିର୍ଦ୍ଦେଶ

ପ୍ରିନ୍‌ସପାଲ୍‌, ଏସ୍‌ଡିପିଓଙ୍କ ନିର୍ବାଚନୀ ସଭା: ସଭାରେ ସରକାରୀ ଶିକ୍ଷକ ବି ସାମିଲ

Sambad

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ୍ ବଉଦସ୍ଥିତ ଯୁକ୍ତଦୁଇ ତାରିଣୀ ସରକାରୀ ମହାବିଦ୍ୟାଳୟରେ ନିର୍ବାଚନୀ ସଭା ଆୟୋଜନ କରି ପ୍ରିନ୍‌ସପାଲ୍‌ ବିକାଶ ଦାସ ଓ ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝୀ ଚାକିରିରୁ ନିଲମ୍ବିତ ହେବା ଘଟଣାକୁ ନେଇ ଚର୍ଚ୍ଚା ଥମିନି। ଆଜି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ସରକାରୀ ଶିକ୍ଷକ ବି ସେହି ନିର୍ବାଚନୀ ସଭାରେ ସାମିଲ୍‌ ଥିବା ଦେଖିବାକୁ ମିଳିଛି। ସଭାସ୍ଥଳର ଦ୍ବିତୀୟ ଧାଡ଼ିରେ ୟୁନିଫର୍ମ ପିନ୍ଧି ବସିଥିବା ଏହି ଶିକ୍ଷକଜଣକ ହେଉଛନ୍ତି ଗଡ଼ରୋମିତ ଗ୍ରାମ‌ରେ ଥିବା ଚମ୍ପକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସୁରେଶ ଚନ୍ଦ୍ର ସ୍ବାଇଁ। ତାଙ୍କ ଭିଡିଓ ଭାଇରାଲ୍‌ ହେବା ପରେ କେବଳ ଚର୍ଚ୍ଚା ଜୋର୍‌ ଧରିନି; ବରଂ ପ୍ରିନ୍‌ସପାଲ୍‌ ଓ ଏସ୍‌ଡିପିଓଙ୍କ ପରି ନିୟମ ଭଂଗ କରିଥିବା ଏହି ସରକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ତେଣେ ଜିଲ୍ଲା ଶିକ୍ଷା ବିଭାଗ ବି ଘଟଣାକୁ ନେଇ ତନାଘନା ଆରମ୍ଭ କରିଛି। ମହାକାଳପଡ଼ା ବ୍ଳକ୍ ଶିକ୍ଷାଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦିଆଯିବା ସହିତ ସଂପୃକ୍ତ ଶିକ୍ଷକଙ୍କୁ କୈଫିୟତ୍ ମଗାଯାଇଥିବା ଜିଲ୍ଲା ଶିକ୍ଷାଧିକାର ସଂଜୀବ ସିଂହ ସୂଚନା ଦେଇଛନ୍ତି।
ଗଡ଼ରୋମିତ ପଂଚାୟତର ଆଶାୟୀ ସରପଂଚ ପ୍ରାର୍ଥୀ ପ୍ରିୟଙ୍କା ସାମଲଙ୍କ ପାଇଁ ଆୟୋଜନ ହୋଇଥିଲା ଏହି ନିର୍ବାଚନୀ ସଭା। ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ସରକାରୀ ଶିକ୍ଷାନୁଷ୍ଠାନରେ ପ୍ରିନ୍‌ସପାଲ୍‌ ଶ୍ରୀ ଦାସ ଓ ବରିଷ୍ଠ ପୁଲିସ ଅଧିକାରୀ ଶ୍ରୀ ମାଝୀ ଗତ ରବିବାର ଅୟୋଜନ କରିଥିବା ଏହି ରାଜନୈତିକ ସଭାରେ ବର୍ତ୍ତମାନର ସରପଂଚ ଉତ୍ତରା ତରାଇ, ପୂର୍ବତନ ସରପଂଚ ଦୁଷ୍ମନ୍ତ ସେଠୀଙ୍କ ସମେତ ୨ଶହରୁ ଅଧିକ ଲୋକ ବିନା ମାସ୍କ୍‌ରେ ଏକାଠି ହୋଇଥିଲେ। ନିର୍ବାଚନ ଆଚରଣବିଧି ଓ କୋଭିଡ୍ ନିୟମକୁ ଉଲ୍ଲଂଘନ କରି ଏସ୍‌ଡିପିଓ ଓ ପ୍ରିନ୍‌ସପାଲ୍ କେବଳ ନିର୍ବାଚନୀ ସଭା କରି ନଥିଲେ, ବରଂ ଆଶାୟୀ ସରପଂଚ ପ୍ରାର୍ଥୀ ଶ୍ରୀମତୀ ସାମଲଙ୍କ ସପକ୍ଷରେ ଭୋଟ୍‌ ଦେବାକୁ ନେତାଙ୍କ ପରି ଭାଷଣ ଦେଇଥିଲେ।

ସୋମବାର ‘ସମ୍ବାଦ’ରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ସାରା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା। ରାଜ୍ୟ ନିର୍ବାଚନ କମିସନ୍ ମାମଲାକୁ ଗୁରୁତ୍ବର ସହିତ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ୍‌ ତଥା ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଂଜନ ପଣ୍ଡା ଏବଂ ମାର୍ଶାଘାଇ ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନ୍‌ଗୋ କଲେଜକୁ ଯାଇ ଘଟଣାର ତଦନ୍ତ କରିବା ସହିତ ଗଡ଼ରୋମିତସ୍ଥିତ ପ୍ରିନ୍‌ସପାଲ୍, ଏସ୍‌ଡିପିଓ ଏବଂ ଆଶାୟୀ ସରପଂଚ ପ୍ରାର୍ଥୀ ଶ୍ରୀମତୀ ସାମଲଙ୍କ ଘରକୁ ପଚରାଉଚରା କରିବାକୁ ଯାଇଥିଲେ ା ମାତ୍ର କାହାରିକୁ ନ ପାଇବାରୁ ଫେରି ଆସି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ତଦନ୍ତ ଅଧିକାରୀ ା ଜିଲ୍ଲାପାଳ ଏ ସଂକ୍ରାନ୍ତରେ ରିପୋର୍ଟ ଦେବା ପରେ ରାଜ୍ୟ ନିର୍ବାଚନ କମିସନଙ୍କ ସୁପାରିସ କ୍ରମେ ମଂଗଳବାର ପ୍ରିନ୍‌ସପାଲ୍‌ ଓ ଏସ୍‌ଡିପିଓଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ହେଲେ ଆଜି ଖେଳ ଶିକ୍ଷକ ଶ୍ରୀ ସ୍ବାଇଁ ଉକ୍ତ ସଭାରେ ଉପସ୍ଥିତ ଥିବାର ଭିଡିଓ ସାମ୍ନାକୁ ଆସିଛି। ସେ ସ୍କୁଲ ୟୁନିଫର୍ମ ଏବଂ ଏକ କଳା ରଂଗର ଜ୍ୟାକେଟ୍‌ ପିନ୍ଧି ଦ୍ବିତୀୟ ଧାଡ଼ି ବେଞ୍ଚ୍‌ରେ ବସିଥିବା ଭିଡିଓରେ ଦେଖିବାକୁ ମିଳୁଛି। ଅନ୍ୟପକ୍ଷ‌ରେ ଶିକ୍ଷାଧିକାରୀ ଶ୍ରୀ ସିଂହ କହିଛନ୍ତି ଯେ ନିର୍ବାଚନୀ ସଭାରେ ଶିକ୍ଷକ ସାମିଲ୍‌ ହେବା ବେଆଇନ। ମହାକାଳପଡ଼ା ବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛି। ତାଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe