ସହିଦ ଯବାନଙ୍କୁ ଏ କି ସମ୍ମାନ !

Advertisment

୨୦ ବର୍ଷ ଧାଇଁବା ପରେ ବି ବୃଦ୍ଧ ବାପାମାଙ୍କୁ ମିଳିନି ଜମି 

୨୦ ବର୍ଷ ଧାଇଁବା ପରେ ବି ବୃଦ୍ଧ ବାପାମାଙ୍କୁ ମିଳିନି ଜମି 

ସହିଦ ଯବାନଙ୍କୁ ଏ କି ସମ୍ମାନ !

ସୁନ୍ଦରଗଡ଼: ଗାଁ ଛକରେ ସ୍ଥାପିତ ହୋଇଛି ସହିଦ ଯବାନଙ୍କ ପ୍ରତିମୂର୍ତ୍ତି। ପ୍ରତି ବର୍ଷ ସହିଦ ଦିବସରେ ଗାଁ ଲୋକେ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମାଟିର ବୀର ସନ୍ତାନଙ୍କୁ ଗର୍ବର ସହ ମନେ ପକାନ୍ତି। କିନ୍ତୁ ଦେଶ ମାତୃକା ପାଇଁ ଜୀବନ ଦେଇଥିବା ସହିଦ ଯବାନଙ୍କ ପରିବାରକୁ ଭୁଲି ଯାଇଛନ୍ତି ସରକାର ଓ ପ୍ରଶାସନ। ୨୦ ବର୍ଷ ଧରି ସହିଦଙ୍କ ବାପା ମା' ମଞ୍ଜୁର ହୋଇଥିବା ଜମି ଖଣ୍ଡିକ ପାଇଁ ଏ ଅଫିସରୁ ସେ ଅଫିସ ଧାଉଁଛନ୍ତି। ଧାଇଁ ଧାଇଁ ଏବେ ଥକି ପଡ଼ିଲେଣି।

ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ମୁଣ୍ଡାଗାଁର ସହିଦ ଯବାନ ଅଶୋକ ମାଝୀଙ୍କ ପରିବାରର କଥା। ୧୯୭୩ ମାର୍ଚ୍ଚ ୨୧ରେ ମୁଣ୍ଡାଗାଁର ଏକ ଗରିବ ପରିବାରରେ ଜନ୍ମ ନେଇଥିଲେ ଅଶୋକ। ବାପା ଧନୁ ମାଝୀ ଓ ମା' ବାସନ୍ତୀଙ୍କ ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ଉପରେ ହିଁ ସେମାନଙ୍କ ଭରସା ଥିଲା। ଅଭାବ ସତ୍ତ୍ବେ ଅଶୋକ ଯୁକ୍ତ ଦୁଇ ଯାଏ ପଢ଼ିଥିଲେ। ପରିବାରର ଅନାଟନ ଯୋଗୁଁ ‌ସେ ଆଉ ଅଧିକ ପଢ଼ି ପାରି ନଥିଲେ। ୧୯୯୨ ଫେବ୍ରୁଆରିରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ୭୩ ବାଟାଲିଅନରେ ନିଯୁକ୍ତି ପାଇ ମଣିପୁର ଇମ୍ଫାଲରେ ଯୋଗ ଦେଇଥିଲେ।

୧୯୯୫ ଜାନୁଆରି ୩୦ରେ ଏହି ବୀର ଯବାନ ଆତଙ୍କବାଦୀଙ୍କ ସହ ଲଢ଼େଇ କରୁ କରୁ ସେ ସହିଦ ହୋଇଯାଇଥିଲେ। ଏହା ପରେ ସିଆରପିଏଫ ଅଧିକାରୀମାନେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଅସ୍ଥି କଳସକୁ ଗାଁକୁ ଆଣି ବାପା ମାଙ୍କ ହସ୍ତରେ ଅର୍ପଣ କରିଥିଲେ। ସେତେବେଳେ ସହିଦଙ୍କ ପରିବାର ପାଇଁ ମିଳିବାକୁ ଥିବା ସମସ୍ତ ପ୍ରକାର ସହାୟତା ତୁରନ୍ତ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏକମାତ୍ର ପୁଅକୁ ହରାଇ ଭାଙ୍ଗି ପଡ଼ିଥିବା ବାପା ମା' ସେତେବେଳେ ପୁଅକୁ ମିଳିବାକୁ ଥିବା ୫ ଏକର ଜମି ପାଇଁ ଲେଫ୍ରିପଡ଼ା ତହସିଲ ଅଫିସରେ ଆବେଦନ କରିଥିଲେ। ଏପରିକି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ରାଜସ୍ବ ବିଭାଗ ମଧ୍ୟ ୧୯୯୭ ମଇ ୬ ତାରିଖରେ ତହସିଲଦାରଙ୍କୁ ଚିଠି ଲେଖି ତୁରନ୍ତ ଜମି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉପରୁ ଆସିଥିବା ନିର୍ଦ୍ଦେଶ ପରେ ମଧ୍ୟ ତହସିଲଦାରଙ୍କ ଠାରୁ ରାଜସ୍ବ ନିରୀକ୍ଷକ ଓ କିରାଣୀ ଯାଏ ସମସ୍ତେ ଦିନ ଗଡ଼ାଇ ଚାଲିଲେ।

publive-image

ଏହା ପରେ ଗାଁ ଲୋକେ ସିଆରପିଏଫ ବାଟାଲିଅନକୁ ଏ ସମ୍ପର୍କରେ ଜଣାଇବା ପରେ ବାଟାଲିଅନ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ୨୦୦୮ ଅଗଷ୍ଟ ୧୩ରେ ଅଶୋକଙ୍କ ଉତ୍ତରାଧିକାରୀ ଧନୁ ମାଝୀଙ୍କୁ ଜମି ଯୋଗାଇ ଦେବାକୁ ଚିଠି ଲେଖିଥିଲେ। କିନ୍ତୁ ସେ ଚିଠି ଗାଏବ ହୋଇଯାଇଥିବା କହି ତହସିଲ କର୍ତ୍ତୃପକ୍ଷ ଆଜିଯାଏ ଜମି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି, ଲେଫ୍ରିପଡ଼ା ତହସିଲ ବିଭାଜନ ହୋଇ ଟାଙ୍ଗରପାଲି ଏକ ନୂଆ ତହସିଲ ଘୋଷିତ ହେବା ପରେ ଲେଫ୍ରିପଡ଼ାରୁ ହସ୍ତାନ୍ତର ହୋଇଥିବା ରେକର୍ଡପତ୍ରରେ ସହିତ ଅଶୋକ ମାଝୀଙ୍କ ‌ଜମି ସଂକ୍ରାନ୍ତିୟ ଫାଇଲଟି ନଥିବା କହୁଛନ୍ତି ସଂପୃକ୍ତ ଅଧିକାରୀମାନେ। ଫାଇଲ ନଥିବାରୁ ଜମି ପ୍ରଦାନ କରାଯାଇ ପାରୁ ନଥିବା ବର୍ତ୍ତମାନ ବାହାନା କରା ଯାଉଛି।

ପ୍ରକାଶଯୋଗ୍ୟ, ଲେଫ୍ରିପଡ଼ା ତହସିଲ ଅଫିସରେ ଏନଟିପିସି ଜମି ଜାଲିଆ‌ତି ପରି ଶହ ଶହ ଏକର ସରକାରୀ ଜମି ଦୁର୍ନୀତି ମାମଲା ଏବେ ଚର୍ଚ୍ଚାରେ ରହିଛି। ଅନେକ ଦୁର୍ନୀତିରେ ସରକାରୀ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଅଛନ୍ତି ବୋଲି ଦୃଢ଼ ସନ୍ଦେହ କରା ଯାଉଛି। କିଛି ମାମଲା କୋର୍ଟରେ ମଧ୍ୟ ବିଚରାଧୀନ ରହିଛି। ଏସ୍ଥିତିରେ ସହିଦଙ୍କ ପରିବାରକୁ ମାତ୍ର ୫ ଏକର ଜମି ଦେବା ବେ‌ଳକୁ ତହସିଲ କର୍ତ୍ତୃପକ୍ଷ ଏପରି ନାଟକ କରିବା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି। ଛାତିକୁ ପଥର କରି ପୁଅକୁ ସୀମାରେ ଲଢ଼ିବାକୁ ପଠାଉଥିବା ବାପା ମାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅଣଦେଖା କରି କି ବାର୍ତ୍ତା ଦେବାକୁ ଚାହୁଛନ୍ତି ବୋଲି ସହିଦଙ୍କ ଗାଁ ଲୋକେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe