ବଣ୍ଡାଘାଟିର ପହଞ୍ଚି ପାରୁନି ଯୋଜନା! ବିପର୍ଯ୍ୟସ୍ତ ଗମନାଗମନ ବ୍ୟବସ୍ଥା ଯୋଗୁଁ ଭାରରେ ବୁହା ହେଲେ ରୋଗୀ

Advertisment
ବଣ୍ଡାଘାଟିର ପହଞ୍ଚି ପାରୁନି ଯୋଜନା! ବିପର୍ଯ୍ୟସ୍ତ ଗମନାଗମନ ବ୍ୟବସ୍ଥା ଯୋଗୁଁ ଭାରରେ ବୁହା ହେଲେ ରୋଗୀ

ମାଲକାନଗିରି: ଦୁର୍ଗମ ଅଂଚଳରେ ଆଜି ବି ସ୍ବାଧୀନତାର ୭୪ ବର୍ଷ ପରେ ଲୋକେ ପାଦରେ ଚାଲି ଚାଲି ହିଁ ପଞ୍ଚାୟତ ସଦର ମହକୁମା, ମେଡିକାଲ ଏବଂ ବ୍ଲକ  ସଦର ମହକୁମାକୁ ଯାଉଛନ୍ତି। ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଅଂଚଳ ଭାବେ ଆଜି ବି ଖଇରପୁଟ ବ୍ଲକର ବଣ୍ଡାଘାଟିକୁ ହିଁ ବୁଝାଉଛି। ବଣ୍ଡାଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା। କିନ୍ତୁ ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତର ୩୨ଟି ଗ୍ରାମକୁ ଆଜି ବି ପକ୍କା ସଡକ ନାହିଁ।ଲୋକେ ପାଦରେ ଚାଲି ଚାଲି ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯାଉଛନ୍ତି।ବଣ୍ଡାଙ୍କ ଉନ୍ନତି ପାଇଁ ବଣ୍ଡା ଉନ୍ନୟନ ସଂସ୍ଥା ମଧ୍ୟ ତିଆରି ହୋଇଛି।ଏହି ସଂସ୍ଥା ତରଫରୁ ରାସ୍ତା, ବଣ୍ଡାଙ୍କୁ ସ୍ବାବଲମ୍ବୀ କରାଇବା ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ କାମ କରିବା ନେଇ କୋଟି କୋଟି ଟଂକା ଖର୍ଚ୍ଚ କରାଯାଉଛି। ତେବେ କାହିଁକି ଆଜି ପର୍ଯ୍ୟନ୍ତ ଏହି ସଂପ୍ରଦାର ଉନ୍ନତି ହୋଇପାରୁନାହିଁ ତାହା ସହଜରେ ଅନୁମେୟ।

ପୁଣି ବଣ୍ଡାଘାଟିର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ବଣ୍ଡାଘାଟିର ଚେପଲୁପଡା ଗ୍ରାମରେ ଗୋବର୍ଦ୍ଧନ ଖିଲ ନାମକ ଯୁବକ ଗଛରେ ଚଢି କିଛି କାମ କରୁଥିବା ବେଳେ ହଠାତ ଗୋଡ ଖସିଯିବାରୁ ତଳେ ପଡି ଗୋଡ ଭାଙ୍ଗି ଯାଇଥିଲା। ଗ୍ରାମବାସୀ ତୁରନ୍ତ ଗୋବର୍ଦ୍ଧନକୁ ମେଡିକାଲ ନେବାକୁ ଚେଷ୍ଟା କରିଥିଲେ। ଆମ୍ବୁଲେନସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏଠାକୁ ଆମ୍ବୁଲେନସ ଯାଇପାରିବ ନାହିଁ ବୋଲି ସଫା ସଫା କୁହାଯାଇଥିଲା।  ଗ୍ରାମବାସୀ ଗୋବର୍ଦ୍ଧନକୁ ଭାର କରି ମେଡିକାଲକୁ ନେଇଥିଲେ। ପରେ ମାଥିଲି ମେଡିକାଲକୁ ନେଇ ଚିକିତ୍ସା କରାଯାଇଥିବା ଜଣାପଡିଛି।

publive-image

ତେବେ ଦେଶରେ ଏବେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳିତ ହେଉଥିବା ବେଳେ ବଣ୍ଡାଘାଟିର ଲୋକ ଆଜି ବି ସ୍ବାଧୀନତାର ସ୍ବାଦ ଚାଖିନଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ରାସ୍ତା ନଥିବାରୁ ସରକାରୀ ଯୋଜନା ଏଠାରେ ସାତ ସପନ ହୋଇରହିଯାଇଛି। ବ୍ଲକ ପ୍ରଶାସନ ତରଫରୁ ମଧ୍ୟ ଏଠାରେ ଲକ୍ଷାଧିକ ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ କରାଯାଉଥିବା କୁହାଯାଉଛି। କିନ୍ତୁ କାହିଁକି ଆଜି ବି ଲୋକେ ରୋଗୀ ଏବଂ ଗର୍ଭବତୀଙ୍କୁ ଭାରରେ ହିଁ ବୋହି ନେଉଛନ୍ତି। ଜିଲ୍ଲାର ବଣ୍ଡାଘାଟି ଏବଂ ସ୍ବାଭିମାନ ଅଂଚଳରେ ଲୋକେ ଅତି ଦୟନୀୟ ସ୍ଥିତିରେ ରହୁଛନ୍ତି। ସ୍ବାସ୍ଥ୍ୟବସ୍ଥା, ପାନୀୟ ଜଳ, ପକ୍କା ରାସ୍ତା ପାଇଁ ଲୋକେ ଆଜି ବି ଦାବି କରିଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦ୍ବାରା କୌଣସି ପଦକ୍ଷେପ ନିଆଯାଉନଥିବା ଦୁଃଖର ବିଷୟ ବୋଲି କୁହାଯାଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ବଣ୍ଡାଘାଟିର ଲୋକେ ଏଥର ରାଜନେତାଙ୍କୁ ରାସ୍ତା ନିର୍ମାଣ ନେଇ ଦାବି କରିବେ ବୋଲି କହିଥିଲେ। ସବୁଥର ନିର୍ବାଚନ ଆସିଲେ ରାଜନେତାମାନେ ବିକାଶର ପାହାଡ ଛିଡା କରିଦିଅନ୍ତି। କିନ୍ତୁ ଭୋଟ ସରିବା ପରେ କେହି ମଧ୍ୟ ସେହି ଅଂଚଳରେ ପାଦ ପକାଇନଥାନ୍ତି ବୋଲି ସ୍ଥାନୀୟ ଲୋକେ କହନ୍ତି। ତେବେ ଏଥର କିନ୍ତୁ ପ୍ରଥମେ ରାସ୍ତା ପରେ ଭୋଟ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe