ସବୁଜ ମହାନଦୀ ମିସନ୍‌ର ଅକାଳ ମୃତ୍ୟୁ: ନା ମହାନଦୀ ଉପତ୍ୟକା ସବୁଜ ହେଲା, ନା ମିସନ ହେଲା ସଫଳ

Advertisment
ସବୁଜ ମହାନଦୀ ମିସନ୍‌ର ଅକାଳ ମୃତ୍ୟୁ: ନା ମହାନଦୀ ଉପତ୍ୟକା ସବୁଜ ହେଲା, ନା ମିସନ ହେଲା ସଫଳ

ସମ୍ବଲପୁର, (ଜ୍ଞାନରଂଜନ ମିଶ୍ର) : ଓଡ଼ିଶାର ଜୀବନରେଖା ମହାନଦୀ। ଏହାର ଦୁଇ ପାର୍ଶ୍ବରେ ହୀରାକୁଦରୁ ପାରାଦୀପ ପର୍ଯ୍ୟନ୍ତ ସବୁଜ ବଳୟ ସୃଷ୍ଟି କରିବାକୁ ୨୦୧୮ରେ ରାଜ୍ୟ ସରକାର ‘ଗ୍ରିନ୍ ମହାନଦୀ ମିସନ୍ ହାତକୁ ନେଇଥିଲେ। ମହାନଦୀ ତଟବର୍ତ୍ତୀ ରାଜ୍ୟର ସମସ୍ତ ଜିଲ୍ଲାକୁ ନିଜନିଜ ଅଞ୍ଚଳରେ ମହାନଦୀ କୂଳେକୂଳେ ଉଭୟ ପାର୍ଶ୍ବରେ ୧ କିଲୋମିଟର୍ ପର୍ଯ୍ୟନ୍ତ ସବୁଜିମା ସୃଷ୍ଟି ପାଇଁ କହାଯାଇଥିଲା। ଏହି କ୍ରମରେ ସମ୍ବଲପୁର ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା। ସବୁଜ ମହାନଦୀ ମିସନ୍‌କୁ ଇତିମଧ୍ୟରେ ୪ ବର୍ଷ ପୂରି ସାରିଲାଣି। ହେଲେ ନା ମହାନଦୀ ଉପତ୍ୟକା ସବୁଜ ହୋଇଛି ନା ମିସନ ସଫଳ ହୋଇଛି। ଜିଲ୍ଲାର ପରିସୀମା ମଧ୍ୟରେ ମହାନଦୀ କୂଳେକୂଳେ ୫ ଲକ୍ଷ ଗଛ ଲଗାଇବାକୁ ବନ ବିଭାଗର ଉକ୍ତ ଅଭିଯାନ ଶୋଚନୀୟଭାବେ ଫେଲ ମାରିଛି। ବହୁ ଆଡ଼ମ୍ବରରେ ଲଘୁକ୍ରିୟା ଭଳି ଏହି ମେଗା ବୃକ୍ଷରୋପଣ ଅଭିଯାନରେ ଚାରା ରୋପଣ ବ୍ୟତୀତ ଆହୁରି ଅନେକ କିଛି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା। ହେଲେ ସବୁ ହେ‌ଲା, କେବଳ ଗଛ ବଞ୍ଚିଲା ନାହିଁ। ପ୍ରଥମ ବର୍ଷରେ ଯେତିକି ଚାରା ରୋପଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ଦାବି କରା ଯାଇଥିଲା, ସେହି ଲକ୍ଷ୍ୟ ପ୍ରଥମ ବର୍ଷ ତ ଦୂର ୪ ବର୍ଷରେ ବି ପୂରଣ ହୋଇପାରି ନାହିଁ। ଆଉ ଯେତିକି ଚାରା ଲଗାଯାଇଛି ତନ୍ମଧ୍ୟରୁ ୨୦% ଗଛ ବି ବଞ୍ଚାଯାଇ ପାରି ନାହିଁ। ଅର୍ଥାତ ସରକାରୀ ଅର୍ଥରେ ୫ ଲକ୍ଷ ଚାରା ଲଗାଇ ମହାନଦୀ ଦୁଇ କୂଳରେ ଜଙ୍ଗଲ ସୃଷ୍ଟି କରିବା ଦାୟିତ୍ବ ନେଇଥିବା ବନ ବିଭାଗ ୪ ବର୍ଷ ପରେ ୧ ଲକ୍ଷ ଚାରା ବି ବଞ୍ଚାଇ ରଖିବାରେ ବିଫଳ ହୋଇଛି।

publive-image commons.wikimedia.org

୨୦୧୮ ଜୁଲାଇ ୮ ତାରିଖରେ ସମ୍ବଲପୁରରେ ବହୁ ଆଡ଼ମ୍ବରରେ ସବୁଜ ମହାନଦୀ ମିସନ୍‌ର ଶୁଭାରମ୍ଭ କରା ଯାଇଥିଲା। ସମ୍ବଲପୁରର ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ତତ୍କାଳୀନ ଡିଏଫ୍‌ଓ ସଂଜିତ କୁମାରଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ସାଂସଦ, ବିଧାୟକ, ଅଧିକାରୀଙ୍କ ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି ଓ ନିର୍ଦ୍ଦେଶକମାନେ ଅତିଥିଭାବେ ଯୋଗ ଦେଇଥିଲେ। ରିଂ ରୋଡ୍‌ ଡିଭାଇଡର୍‌ରେ ସୋ ଗଛ (ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଚାରା) ଲଗାଇ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା। କଚେରି ଛକରୁ ମନ୍ଦଲିଆ ପର୍ଯ୍ୟନ୍ତ ମାନବ ଶୃଂଖଳ କରା ଯାଇଥିଲା। କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତଙ୍କୁ ଟି-ସାର୍ଟ ଓ ଟୋପି ପ୍ରଦାନ କରା ଯାଇଥିଲା। ପଥପ୍ରାନ୍ତ ନାଟକ, ପୁଚି ଖେଳ, ଚିତ୍ରାଙ୍କନ, ର˚ଗୋଲି, ଜୁଡୋ, ଝୋଟି, ସେଲ୍‌ଫି, ସା˚ସ୍କୃତିକ କାର୍ଯ୍ୟକ୍ରମ, ବାଦିପାଲା ଭଳି ନାନା କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ପ୍ରଥମ ଦିନରେ ୧୫୦୦ ଗଛ ଲଗା ଯାଇଥିଲାବେଳେ ସେଗୁଡ଼ିକୁ ଚିହ୍ନିବା ପାଇଁ ସୂତା (ସଂପର୍କର ସୂତ୍ର) ବନ୍ଧା ଯାଇଥିଲା। ଆଜିର ତାରିଖରେ ସେହି ଚାରା ଗୁଡ଼ିକର ଆଉ ସତ୍ତା ନାହିଁ। ଉକ୍ତ ସ୍ଥାନରେ ପ୍ରତି ବର୍ଷ ସ୍ବେଚ୍ଛାସେବୀ ମାନେ ନିଜ ଆଡ଼ୁ ପୁଣି ନୂଆ ଚାରା ଲଗାଉଛନ୍ତି। କିଛି ବଞ୍ଚୁଛି ଆଉ ଅଧିକାଂଶ ନଷ୍ଟ ହୋଇ ଯାଉଛି।

ସବୁଜ ମହାନଦୀ ଅଭିଯାନର ଚାକଚକ୍ୟ କେବଳ ଉଦ୍‌ଘାଟନୀ ଦିବସରେ ସୀମିତ ନଥିଲା। ପରବର୍ତ୍ତୀ ସମୟରେ ଏଥି ପାଇଁ ଗ୍ରିନ୍‌ ମହାନଦୀ ଫୁଟବଲ ଟୁର୍ନାମେଣ୍ଟ କରା ଯାଇଥିଲା। ମହାନଦୀ କୂଳ ବିଭିନ୍ନ ଗାଁ ଦଳ ଏଥିରେ ଭାଗ ନେଇଥିଲେ। ସଚେତନତା ସୃଷ୍ଟି ନାଁରେ ବନ ବିଭାଗ ଲକ୍ଷଲକ୍ଷ ଟଙ୍କା ‌ଖର୍ଚ୍ଚ କରିଥିଲା। କାର୍ଯ୍ୟକ୍ରମରେ ରେଙ୍ଗାଲି ଅଞ୍ଚଳରୁ ଆରମ୍ଭ କରି ଧନକଉଡ଼ା, ମାନେଶ୍ବର, ସମ୍ବଲପୁର ହୋଇ ଲରାସରା ପର୍ଯ୍ୟନ୍ତ ୧୬୦ଟି ଗାଁକୁ ଏହି ସବୁଜ ବଳୟ ମଧ୍ୟକୁ ଅଣାଯିବ ବୋଲି କହା ଯାଇଥିଲା।
ଇତିମଧ୍ୟରେ ମହାନଦୀରେ ଅନେକ ପାଣି ବୋହି ଗଲାଣି। ସେ ସମୟର ଜିଲ୍ଲାପାଳ, ଡିଏଫ୍‌ଓଙ୍କ ସମେତ କାର୍ଯ୍ୟକ୍ରମରେ ଅତିଥି ହୋଇଥିବା ସାଂସଦ, ବିଧାୟକ, କୁଳପତି ଓ ନିର୍ଦ୍ଦେଶକ ମାନେ ବଦଳି ଗଲେଣି। ବନ ବିଭାଗ ଏହି ମିସନ୍‌କୁ ସଂପୂର୍ଣ୍ଣ ଭୁଲି ସାରିଲାଣି। କେବଳ ସମ୍ବଲପୁର ନୁହେଁ ମହାନଦୀ କୂଳର ପ୍ରାୟ ସବୁ ଜିଲ୍ଲାରେ ସମାନ ଦଶା। କହିବାକୁ ଗଲେ ଗ୍ରିନ୍ ମହାନଦୀ ମିସନ୍‌ର ଅକାଳ ମୃତ୍ୟୁ ହୋଇ ସାରିଛି। ବନ ବିଭାଗ ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାର ମହାନଦୀ କୂଳରେ ପୁଣି ୧୦ ଲକ୍ଷ ଚାରା ରୋପଣ ଓ ୧ ଲକ୍ଷ ବିତରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ହେଲେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା ଆଗାମୀ ଦିନରେ ଜଣା ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe