ମାଟି ତଳୁ ଅଧାପୋତା ନବଜାତ ଶିଶୁ ଉଦ୍ଧାର, ତଦନ୍ତ ଜାରି

ମାଟି ତଳୁ ଅଧାପୋତା ନବଜାତ ଶିଶୁ ଉଦ୍ଧାର, ତଦନ୍ତ ଜାରି

The News Minute

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ୱାର୍ଡ ନଂ. ୧୧ ସପ୍ତାହିକ ବଜାର କୃଷି ଫାର୍ମ ନିକଟରୁ ସୋମବାର ସକାଳେ ମାଟିରେ ଅଧାପୋତା ଅବସ୍ଥାରେ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ କେହି କପଡ଼ାରେ ଗୁଡ଼ାଇ ମାଟିରେ ମୁହଁ ଦିଶୁଥିବା ଅବସ୍ଥାରେ ପୋତି ଦେଇଥିଲା। ଏପରିକି ଶିଶୁର ନାଭି ମଧ୍ୟ କଟା ଯାଇନାହିଁ। ତେବେ ସ୍ଥାନୀୟ କିଛି ଲୋକ ​ଶୌଚ ପାଇଁ କୃଷି ଫାର୍ମ ଆଡ଼କୁ ଯିବା ବେଳେ ଶିଶୁର କାନ୍ଦ ଶୁଣିଥିଲେ। ଖୋଜି ଖୋଜି ଘଟଣା ସ୍ଥଳରେ ପହଞ୍ଚି ମାଟି ଖୋଳି ଶିଶୁଟିକୁ ଉଦ୍ଧାର କରିବା ପରେ ପଡ଼ାକୁ ଆଣି ବିପିନ ପୋଢ଼ ଓ ପତ୍ନୀ ରୁପାଲି ପୋଢ଼ଙ୍କୁ ଦେଇଥିଲେ। ପୋଢ଼ ପରିବାର ଶିଶୁଟିର ଆବଶ୍ରକ ଯତ୍ନ କରିଥିଲେ। ତେବେ ଏହି ଖବର ପଡ଼ାରେ ପ୍ରଚାର ହେବା ପରେ ବହୁ ସଂଖ୍ୟକ ଲୋକ ଶିଶୁକୁ ଦେଖିବାକୁ ଆସିଥିଲେ।

ଏହି ସମୟରେ ଅନ୍ୟ ଏକ ପରିବାର ଶିଶୁକୁ ପୋଷ୍ୟ ପୁତ୍ର ଭାବେ ରଖିବାକୁ କହି ରୁପାଲିଙ୍କ ପାଖରୁ ନେଇ ଯାଇଥିଲେ। ଫଳରେ ଉଭୟ ପରିବାର ମଧ୍ୟରେ କଳହ ହୋଇଥିଲା। ଯଦ୍ବାରା ଘଟଣା ଖଡ଼ିଆଳ ଥାନାକୁ ଯାଇଥିଲା। ପୁଲିସ୍‌ ପଡ଼ାରେ ପହଞ୍ଚି ପ୍ରଥମେ ଶିଶୁକୁ ଖଡ଼ିଆଳ ଡାକ୍ତରଖାନାକୁ ନେଇଥିଲା। ଚିକିତ୍ସା ପରେ ତାର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ମାତ୍ର ଶିଶୁଟି କାହାର ଜଣା ପଡ଼ି ନଥିବାରୁ ପୁଲିସ ନୂଆପଡା ଜିଲ୍ଲା ଶିଶୁ ସୁରକ୍ଷା ସମିତିଙ୍କୁ ହସ୍ତାନ୍ତର କରିଛି। ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧକ୍ଷ ଡ. ଫଣୀନ୍ଦମ ସିଂହଦେଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏ.ବି.ସିଂହ ଆନ୍ତର୍ଯ୍ୟାମୀ, ସୁରକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଦାସ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧକ୍ଷ ଡ. ସିଂହଦେଓଙ୍କୁ ପଚାରିବାରେ, ଯେହେତୁ ଉଦ୍ଧାର ହୋଇଥିବା ଶିଶୁଟି କାହାର ଜଣା ପଡ଼ିନାହିଁ। ତେଣୁ ଘଟଣାକୁ ଗୁରୁତ୍ବର ସହ ନେଇ ସିଡବ୍ଲୁସିକୁ ଜଣାଇ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe