ଚରମ ଅବ୍ୟବସ୍ଥାରେ ପଳାଶୋଳ ସ୍ବାସ୍ଥ୍ୟକେନ୍ଦ୍ର

Advertisment
ଚରମ ଅବ୍ୟବସ୍ଥାରେ ପଳାଶୋଳ ସ୍ବାସ୍ଥ୍ୟକେନ୍ଦ୍ର

Sambad

ଜଗତସିଂହପୁର ଟାଉନ୍: ଜଗତସିଂହପୁର ଜିଲ୍ଲା ସଦର ମହକୁମା ଠାରୁ ମାତ୍ର୫/୬ କିଳୋମିଟର ଦୂରରେ ୧୦ ପୂର୍ବେ ସ୍ଥାପନ କରାଯାଇଥିବା ପଳାଶୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତି ପ୍ରଶାସନର ଚରମ ଅବହେଳା ଜିଲ୍ଲାର ସ୍ବାସ୍ଥ୍ୟସେବାଅବ୍ୟବସ୍ଥାକୁ ପଦାରେ ପକାଉଛି। ଜଣେ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରର ତାଲା ଖୋଲୁନାହିଁ। ମାସକୁ ଗୋଟିଏ ଦିନ ଟିକାଦାନ ପାଇଁ ଓ ଅନ୍ୟ ଦିନଟି ମେଡିସିନ୍‌, ଓଆର୍‌ଏସ୍‌ ବାଣ୍ଟିବା ପାଇଁ ଖୋଲାଯାଏ। ଚାରିଆଡ଼େ ବଣ ମାଡ଼ିଗଲାଣି। ସେହି କୋଠାଟି ଅପରାଧୀଙ୍କ ଆଡ଼ାସ୍ଥଳ ପାଲଟିଛି। ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ନଥିବାରୁ ଅବହେଳିତ ଅବସ୍ଥାରେ ପଡ଼ିଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ର କେବେ ଲୋକଙ୍କ କାମରେ ଲାଗିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ପଳାଶୋଳ ପଞ୍ଚାୟତର ଜନସଂଖ୍ୟା ପ୍ରାୟ ୭ ହଜାରରୁ ଅଧିକ ହେବ।

ଲୋକଙ୍କ ଦ୍ବାରଦେଶରେ ସ୍ବାସ୍ଥ୍ୟସେବା ପହଞ୍ଚାଇବାକୁ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିଥିଲା। କେବଳ କୋଠା ଘର ନିର୍ମାଣ ହୋଇଛି। ଏଠାରେ ନା ଫାର୍ମାସିଷ୍ଟ ନିଯୁକ୍ତ ହୋଇଛନ୍ତି ନା କୌଣସି କର୍ମଚାରୀ। ଏପରିକି ବିଦ୍ୟୁତ ସଂଯୋଗ ମଧ୍ୟ ନାହିଁ। ଫଳରେ ସାମାନ୍ୟ ଥଣ୍ଡା, ଜ୍ବର, ଝାଡ଼ାରେ ଆକ୍ରାନ୍ତ ସ୍ଥାନୀୟ ଲୋକଙ୍କୁ ଜଗତସିଂହପୁର ସଦର ଡାକ୍ତରଖାନା ଯିବାକୁ ପଡ଼ୁଛି। ସ୍ବାସ୍ଥ୍ୟକେନ୍ଦ୍ର କୋଠାର ଏକାଧିକ ଝରକା ତାଡ଼ି ନିଆଯାଇଛି। ଦୁର୍ବୃତ୍ତମାନେ ସ୍ବାସ୍ଥ୍ୟକେନ୍ଦ୍ରର ୪ଟି ସିଲିଂ ଫ୍ୟାନ୍ ଚୋରି କରି ନେଇଛନ୍ତି। ପାଣି ପାଇପ୍ , ନଳକୂପ ତାଡ଼ି ନେଇଛନ୍ତି। ପ୍ରାୟ ଦେଢ଼ ବର୍ଷ ତଳେ ଏହି ଚୋରି ସଂକ୍ରାନ୍ତରେ ସିଡିଏମଓଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରାଯାଇଥିଲା। କିନ୍ତୁ ସେଦିଗରେ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସେହିପରି ହସ୍ପିଟାଲର ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ପ୍ରସ୍ତୁତ ସ୍ଥାନ ପୂରା ଜଙ୍ଗଲ ପାଲଟି ଯାଇଛି। କୋଠା ଚାରିପଟେ ମଦ ବୋତଲ ଗଡ଼ୁଛି। ଏହା ଜନବସତି ଠାରୁ ଦୂର ଓ ନିକାଞ୍ଛନ ସ୍ଥାନରେ ହୋଇଥିବାରୁ ଅସାମାଜିକଙ୍କ ଆଡ଼ା ଜମୁଛି। ନିକଟରେ ଅନୁଷ୍ଠିତ ପ୍ରଥମ ପଞ୍ଚାୟତ ସମିତି ବୈଠକରେ ପଳାଶୋଳ ସମିତିସଭ୍ୟ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ ଏହି ପ୍ରସଙ୍ଗ ଉଠାଇଥିଲେ। ତୁରନ୍ତ ଏହି ସ୍ବାସ୍ଥ୍ୟକେନ୍ଦ୍ର ଚାଲୁ କରାନଗଲେ ଆନ୍ଦୋଳନ କରାଯିବ ବୋଲ ବୋଲି ଚେତାବନୀ ଦିଆଯାଇଛି। ଜଗତସିଂହପୁର ସିଡିଏମ୍ଓ କ୍ଷେତ୍ରବାସୀ ଦାଶ କହିଛନ୍ତି, ସ୍ବାସ୍ଥ୍ୟକେନ୍ଦ୍ର ଚାଲୁ କରିବା ପାଇଁ ପଦକ୍ଷେପ ନିଆଯାଉଛି। ନିକାଞ୍ଚନ ସ୍ଥାନରେ କାହିଁକି ? ପଳସୁଧା ଗ୍ରାମର ଜନବସତି ଠାରୁ ଦୂରରେ ରହିଛି ସ୍ବାସ୍ଥ୍ୟକେନ୍ଦ୍ର କୋଠା। ସେହି ସ୍ଥାନକୁ ସଂଯୋଗ କରୁଥିବା କଂକ୍ରିଟ୍ ରାସ୍ତା ଅଧାରୁ ସରିଯାଇଛି। ଏହା ପରେ ନାଲିଗୋଡ଼ି ରାସ୍ତା ରହିଛି। ଯୋଗାଯୋଗ ସୁଗମ ନଥିବାରୁ ନିକାଞ୍ଚନ ସ୍ଥାନ ଅସାମାଜିକଙ୍କୁ ସୁହାଉଛି। ତେଣୁ ଏପରି ନିକାଞ୍ଚନ ସ୍ଥାନ କାହିଁକି ଓ କିପରି ଚୟନ କରାଗଲା ତାହା ବୁଝା ପଡ଼ୁନାହିଁ।

ମତାମତ

ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳର ଲୋକ ପ୍ରାଥମିକ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତର ନିଯୁକ୍ତି ସତ୍ତ୍ବେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିପାରୁନି। ଦୋଷ କାହାକୁ ଦେବା ପ୍ରଶାସନକୁ ନା ଆଉ କାହାକୁ ? ସ୍ବାସ୍ଥ୍ୟକେନ୍ଦ୍ର ନିୟମିତ ଖୋଲିଲେ ସାଧାରଣ ଲୋକ ଉପକୃତ ହୋଇପାରିବେ।
ମେନକା ଦାସ, ସରପଞ୍ଚ,
ପଳାଶୋଳ ଗ୍ରାମ ପଞ୍ଚାୟତ
ପ୍ରାଥମିକ ସ୍ବାସ୍ଥ୍ୟ ସେବା ପାଇଁ ଲୋକ ହଇରାଣ ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର କୋଠା ଥାଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହାକୁ ତୁରନ୍ତ ଚାଲୁ କରାଗଲେ ଲୋକ ସୁବିଧା ପାଇପାରିବେ।
ଦିଲିପ କୁମାର ଭୋଇ, ପଳସୁଧା ଗ୍ରାମ
ସ୍ବାସ୍ଥ୍ୟକେନ୍ଦ୍ରର ପାରିପାର୍ଶ୍ବିକ ଅବ୍ୟବସ୍ଥା ରହିଛି। ଡାକ୍ତର ନିଯୁକ୍ତ ହୋଇଥିବା ବେଳେ ଫାର୍ମାସିଷ୍ଟ, ସ୍ବାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, ସଫେଇ କର୍ମଚାରୀ ନିଯୁକ୍ତ ହେଲେ ସ୍ବାସ୍ଥ୍ୟକେନ୍ଦ୍ର ଠିକ୍ ଭାବେ ଚାଲିପାରନ୍ତା।
ଜ୍ଞାନ ରଞ୍ଜନ ନନ୍ଦ, ଯୁବ ସଂଗଠକ,
ପଳାଶୋଳ ଗ୍ରାମ ପଞ୍ଚାୟତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe