ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ରିପୋର୍ଟ ଯାଞ୍ଚ

Advertisment
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ରିପୋର୍ଟ ଯାଞ୍ଚ

Sambad

ଖୋର୍ଦ୍ଧା: ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ରବିବାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ରିପୋର୍ଟ ଯାଞ୍ଚ କରାଯାଇଛି। ପୂର୍ବାହ୍ନ  ପ୍ରାୟ୧୦ଟାରେ ବିଧାୟକ ଶ୍ରୀଜଗଦେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତ୍ତବନ୍ଧୁ ନାୟକଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ୭ ଜଣିଆ ବିଶେଷଜ୍ଞ ଓ ଡିଏମ୍ଓଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ମେଡିକାଲ୍ ଟିମ୍‌ ୨ ଘଣ୍ଟା ଯାଞ୍ଚ କରିଥିଲେ। ଏହି ଯାଞ୍ଚରେ ଶ୍ରୀ ଜଗଦେବ କେଉଁ ରୋଗରେ ଆକ୍ରାନ୍ତ ଅଛନ୍ତି, ଏହା ସାମୟିକ ନା ଦୀର୍ଘକାଳୀନ, କେଉଁ କେଉଁ ଚିକିତ୍ସାଳୟରେ କେଉଁ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଚିକିତ୍ସିତ ହୋଇଛନ୍ତି,  କେଉଁ ଔଷଧ ଖାଉଛନ୍ତି, ତାଙ୍କର ଶରୀରରେ ଅନ୍ୟ କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଛି କି ଏନେଇ ତନ୍ନ ତନ୍ନ କରି ଦେଖିଥିଲେ। ଏନେଇ ସିଡିଏମ୍ଓ ଡଃ. ନାୟକ କହିଛନ୍ତି ଯେ ସ୍ୱତନ୍ତ୍ର ମେଡିକାଲ୍ ଟିମ୍‌ ବିଧାୟକଙ୍କ ସମସ୍ତ ସ୍ୱାସ୍ଥ୍ୟ ରିପୋର୍ଟ ଯାଞ୍ଚ କରିଛି। ଯାଞ୍ଚ ବେଳେ ଚକ୍ଷୁ, ନାସା ଗଳା ଓ କର୍ଣ୍ଣ, ଅସ୍ଥିଶଲ୍ୟ, ଭେଷଜ ଆଦି ବିଭାଗର ବିଶେଷଜ୍ଞଙ୍କ ସହ ଡିଏମ୍ଓ ଓ ସେ ନିଜେ ଉପସ୍ଥିତ ଥିଲେ।

ତାଙ୍କର କେଉଁ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ଓ କେଉଁ ଡାକ୍ତର ଓ ହସ୍ପିଟାଲ୍ ଅଧୀନରେ ଚିକିତ୍ସିତ ହେଉଥିଲେ ଓ ହେଉଛନ୍ତି ଆଦି ନେଇ ମଧ୍ୟ ଯାଞ୍ଚ କରାଯାଇଥିଲା। ଏହି ରିପୋର୍ଟ ହାଇକୋର୍ଟଙ୍କୁ ପ୍ରଦାନ କରାଯିବ। ଏଣୁ ଏନେଇ ସେ ଅଧିକ କିଛି କହିପାରିବେ ନାହିଁ। ସୂଚନାଯୋଗ୍ୟ, ବାଣପୁରରେ ଗାଡ଼ିଚପାଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାରିଦେବାକୁ ଉଦ୍ୟମ କରିବା ମାମଲାରେ ସ୍ୱାସ୍ଥ୍ୟଗତ କାରଣରୁ ଉଚ୍ଚ ନ୍ୟାୟାଳୟ ପ୍ରଥମେ ୭ ଦିନ ଜାମିନ ଦେଇଥିଲେ। ଏହା ଶେଷ ହେବା ପରେ ପୁଣି ୭ ଦିନକୁ ବୃଦ୍ଧି କରିଥିଲେ। ଏହି ଜାମିନ ମିଆଦ ଆସନ୍ତା ୧୧ ତାରିଖରେ ଶେଷ ହେଉଛି। ଏହାପୂର୍ବରୁ ଶ୍ରୀ ଜଗଦେବଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଦାଖଲ କରିବାକୁ ଉଚ୍ଚ ନ୍ୟାୟାଳୟ ବାଣପୁର ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାଣପୁର ଆଇଆଇସି ଜିଲ୍ଲା ମେଡିକାଲ୍ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe