ଲାଲଗଡରେ ୧୫ କିଲୋମିଟର ପାହାଡ ଚଢ଼ି ଦୁର୍ଗମ ତୁଳସୀ ପାହାଡରେ ପହଞ୍ଚିଲେ ସ୍ବାସ୍ଥ୍ୟ ଟିମ

Advertisment
ଲାଲଗଡରେ ୧୫ କିଲୋମିଟର ପାହାଡ ଚଢ଼ି ଦୁର୍ଗମ ତୁଳସୀ ପାହାଡରେ ପହଞ୍ଚିଲେ ସ୍ବାସ୍ଥ୍ୟ ଟିମ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ସୀମାକୁ ଲାଗି ରହିଛି ତୁଳସୀ ପାହାଡ। ତୁଳସୀ ପାହାଡ ଅଞ୍ଚଳ ହେଉଛି ସଂପୂର୍ଣ୍ଣ ମାଓ ପ୍ରବଣ। ପାଦେପାଦେ ଏଠାରେ ବିପଦ। ଲୋକେ ନକ୍ସଲଙ୍କ ନିୟମ କାନୁନକୁ ମାନି ଏଠାରେ ଚଳନ୍ତି। କୌଣସି ସରକାରୀ ବାବୁଙ୍କ ପାଦ ଏହି ଅଂଚଳରେ ପଡି ନାହିଁ। ବିକାଶ କହିଲେ ଏଠାରେ ସାତସପନ।

ତେବେ ମାଥିଲି ସବଡିଭିଜନ ମେଡିକାଲର ଡାକ୍ତର ଅମୀୟ ସ୍ବାଇଁଙ୍କ ନେତୃତ୍ବରେ ଏକ ସ୍ବାସ୍ଥ୍ୟ ଟିମ ତୁଳସୀ ପାହାଟସ୍ଥିତ ଗ୍ରାମଗୁଡିକରେ ପହଞ୍ଚି ଲୋକଙ୍କୁ ସେବା ଯୋଗାଇବାରେ ସଫଳ ହୋଇଛି। ଏକ ୧୫ ଜଣିଆ ସ୍ବାସ୍ଥ୍ୟ ଟିମ ଯେତେବେଳେ ପାହାଡ ଚଢ଼ି ପୁଣି ପାହାଡ ଓହ୍ଲାଉଥିଲେ ମନରେ ଭୟ ଲାଗି ରହିଥିଲା। କୌଣସି ମୁହୂର୍ତ୍ତରେ ନକ୍ସଲଙ୍କ ସହ ସାମ୍ନା ହୋଇ ନଯାଉ। ସମସ୍ତ ଟିମ ଆତଙ୍କରେ ଥିଲେ ମଧ୍ୟ ସେବା ଯୋଗାଇବା ପ୍ରାଥମିକତା ବୋଲି ଭାବି ଆଗେଇ ଚାଲିଥିଲେ।

publive-image

ତୁଳସୀ ପାହାଡର ଗ୍ରାମଗୁଡିକ ପ୍ରାୟତଃ ଅନୁନ୍ନତ ଏବଂ ମ୍ୟାଲେରିଆ ପ୍ରବଣ ଅଞ୍ଚଳ। ତେଣୁ ଏହି ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ନିହାତି ଜରୁରୀ ଅଟେ। ତେଣୁ ଡାକ୍ତର  ସ୍ବାଇଁଙ୍କ ନେତୃତ୍ବରେ ଏହି ଟିମ ସେଠାରେ ପହଞ୍ଚି ଗ୍ରାମଗୁଡିକର ଲୋକଙ୍କୁ ଏକତ୍ରିତ କରି ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥିଲେ। ଲୋକେ ଅତି ନିକଟରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ପାଇ ନିଜର ଖୁସିକୁ ବୟାନ କରିଥିଲେ। ଲାଲଗଡରେ ଥିବା ଲୋକେ କେବେ ମଧ୍ୟ ନିଜ ପାଖରେ ସରକାରୀ ବାବୁଙ୍କୁ ପାଇବେ ଭାବି ନଥିବା କହିଥିଲେ।

ସେମାନେ ଆସି ସେବା କରିଥିବାରୁ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ଅତିଥି ସତ୍କାର ମଧ୍ୟ କରିଥିଲେ। ତୁଳସୀ ଏକ ଅପହଞ୍ଚ ଇଲାକା ହୋଇଥିବାରୁ ଏଠାରେ ସ୍ବାସ୍ଥ୍ୟ କ୍ୟାମ୍ପ କରିବା ନିହାତି ଜରୁରୀ ବୋଲି ଡାକ୍ତର ସ୍ବାଇଁ କହିଛନ୍ତି। ନକ୍ସଲଙ୍କ ଭୟ ଯୋଗୁଁ କୌଣସି ସରକାରୀ ବାବୁ ଏହି ଅଂଚଳକୁ ଆସନ୍ତି ନାହିଁ ବୋଲି ଲୋକେ କହିଥିଲେ।

ଏଠାରେ କେବଳ ନକ୍ସଲଙ୍କ ଦାଦାଗିରି ଚାଲେ। ସେମାନଙ୍କର ହୁକମରେ ପତ୍ରଟିଏ ବି ହଲେ ନାହିଁ। ତେଣୁ ଜୀବନକୁ ବାଜି ଲଗାଇ କୌଣସି ସରକାରୀ ବାବୁ ଏହି ଅଂଚଳକୁ ଗସ୍ତ କରନ୍ତି ନାହିଁ। ତେଣୁ ଏହି ଅଂଚଳ ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଅପହଞ୍ଚ ହୋଇ ରହିଛି।

publive-image

ଏଠାରେ ଲୋକେ କୌଣସି ସରକାରୀ ଯୋଜନା ସଂପର୍କରେ ଜାଣନ୍ତି ନାହିଁ। ସ୍ବାସ୍ଥ୍ୟ ବିଭାଗ ଭଳି ଅନ୍ୟାନ୍ୟ ଯୋଜନା ଯଦି ଏଠାରେ ପହଞ୍ଚି ପାରନ୍ତା ତେବେ ଲୋକେ ଉପକୃତ ହୋଇପାରନ୍ତେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ତେବେ ଏହି ସ୍ବାସ୍ଥ୍ୟ ଟିମ ପ୍ରାୟ ୧୫ ରୁ ୧୭ କିଲୋମିଟର ପାଦରେ ଚାଲି ଚାଲି ବିଭିନ୍ନ ଗ୍ରାମରେ ପହଞ୍ଚି ସ୍ବାସ୍ଥ୍ୟ ସେବା ଯୋଗାଇ ଥିବାରୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe