ବଲାଙ୍ଗୀର: ଲଘୁଚାପ ପ୍ରବାହରେ ପାଞ୍ଚଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଫଳରେ ଡ୍ରେନ ସୁବିଧା ନଥିବା ତଳିଆ ଅଞ୍ଚଳରେ ପାଣି ଜମି ରହୁଛି। ଲୋକଙ୍କ ଘରକୁ ବି ପଶିଯାଉଛି। ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସହରର ଶାସ୍ତ୍ରୀନଗର ପଡ଼ା ଶୈଳେଶ୍ରୀ ପ୍ୟାଲେସ ନିକଟରେ ଜଳବନ୍ଦୀରେ ଜୀବନ କାଟୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ନିକଟରେ ଏକ ନୂଆ ରାସ୍ତା କାମ ହୋଇଯାଇଛି। ହେଲେ ଡ୍ରେନ ତିଆରି ହୋଇନଥିବାରୁ ରାସ୍ତା ଉପରେ ତିନି ଫୁଟ ପାଣି ଜମି ରହୁଛି।
ଲୋକମାନେ ଯିବା ଆସିବାରେ ବହୁତ ଅସୁବିଧା ଭୋଗୁଛନ୍ତି। ପଡ଼ାରେ ଘରେ ଘରେ ପାଣି ପଶିଯାଉଛି। ରାସ୍ତା ପୂରା ବୁଡ଼ି ଯାଇଥିବାରୁ ଲୋକେ ରାସ୍ତା ଜାଣି ନପାରି ଭାରସାମ୍ୟ ହରାଇ ପାଣିରେ ପଡ଼ିଯାଉଛନ୍ତି। ଅତ୍ୟଧିକ ବର୍ଷା ହେଲେ ଲୋକେ ଘରୁ ବାହାରି ପାରୁନାହାନ୍ତି। କାରଣ ରାସ୍ତା ଉପରେ ଅଣ୍ଟାଏ ପାଣି ଯାଉଛି। ସେହି ରସ୍ତା ଦେଇ ଯିବାକୁ ଲୋକମାନେ ଭୟ କରୁଛନ୍ତି।
ଲୋକଙ୍କ ଜୀବନ ଜୀବିକାରେ ବାଧା ସୃଷ୍ଟି କରୁଛି। ଆଗରୁ ମଧ୍ୟ ପଡ଼ାବାସୀ ମିଶି ଜିଲ୍ଲାପାଳ କାର୍ଯ୍ୟାଳୟରେ ଯାଇ ଅସୁବିଧା ଜଣାଇଥିଲେ। ହେଲେ କାମ ହୋଇଯିବ ବୋଲି କହିଥିଲେ ବି ଏଯାଏ ସେହି ପଡ଼ାର ସମସ୍ୟା ସମାଧାନ ହୋଇନି। ଠିକ ସେହିପରି ଗାନ୍ଧୀନଗରପଡ଼ା ଜୁନାଡିହି ଅଂଚଳରେ ପାଣି ଜମି ରହୁଛି। ଚିମିନିଭାଟି ଆମପଡ଼ାରେ ବି ପାଣି ପାଇଁ ଅନେକ ସମସ୍ୟା। ଏସବୁ ଦିଗରେ ପୌରପାଳିକା କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହେଉଛି।
Follow Us