ସମ୍ବାଦ ପ୍ରଭାବ: ଚମ୍ପାର ଚକ୍ଷୁ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲା ସ୍ବାସ୍ଥ୍ୟ ବିଭାଗ

Advertisment
ସମ୍ବାଦ ପ୍ରଭାବ: ଚମ୍ପାର ଚକ୍ଷୁ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲା ସ୍ବାସ୍ଥ୍ୟ ବିଭାଗ

Sambad

ବୈପାରିଗୁଡା: ଚମ୍ପାର ଚକ୍ଷୁ ଚିକିତ୍ସା ପାଇଁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ତତ୍ପରତା ପ୍ରକାଶ ପାଇଛି। ଆଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ଅଧିରାଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆରବିଏସକେ ଶାଖାର ଡଃ. ପ୍ରତାପ ତ୍ରିପାଠୀ ଏବଂ ଡଃ. ଜାଗୃତି ପାଣିଗ୍ରାହୀ ଚମ୍ପା ନାୟକର କୁଶପାର ଗ୍ରାମରେ ପହଞ୍ଚି ଚମ୍ପାର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ଚିକିତ୍ସା ପାଇଁ ସାଥିରେ ନେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର କୁଶପାର ଗ୍ରାମରେ ବାସ କରୁଥିବା ସଦନ ନାୟକଙ୍କ ପାଠ ପଢୁଥିବା ଝିଅ ଚମ୍ପା ନାୟକର ଦୃଷ୍ଟିଶକ୍ତି ଧିରେଧିରେ କ୍ଷୀଣ ହେବା ସହ ବହି ପଢିବାରେ ଅସୁବିଧା ହେଉଥିବା ସଂପର୍କରେ ଖବର ଗତ ୩୦ ତାରିଖ ଦିନ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହି ଖବରକୁ ଭିତ୍ତି କରି ଆଜି ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିବା ସହ ଚିକିତ୍ସା ପାଇଁ ସାଥିରେ ନେଇଛନ୍ତି। ସ୍ମରଣଯୋଗ୍ୟ ଯେ ସଦନ ନାୟକଙ୍କ ଝିଅ ଚମ୍ପା ବର୍ତ୍ତମାନ ଗୁମ୍ମା ଆଦର୍ଶ ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ। ତେବେ ଗତ ଆଠ ବର୍ଷ ତଳେ ସଦନଙ୍କର ଗୋଡ଼ ଭାଙ୍ଗି ଯିବା ଫଳରେ ସେ ଏକ ପ୍ରକାର ଅକର୍ମଣ୍ୟ ହେବା ସହ ରୋଜଗାର କରିବା ଅବସ୍ଥାରେ ନଥିଲେ।

ତେବେ ଝିଅର ପାଠ ପଢା ପ୍ରତି ପ୍ରବଳ ଆଗ୍ରହ ରହିଥିବାରୁ କୋଟପାଡ଼ ବ୍ଲକର ଭୋନସୁଲିରେ ରହୁଥିବା ସଂପର୍କୀୟଙ୍କ ଘରେ ରହି ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରିଥିଲେ। ତେବେ ହାଇସ୍କୁଲରେ ପଢୁଥିବା ବେଳେ ଚମ୍ପାଙ୍କର ଦୃଷ୍ଟି ଶକ୍ତି ଧିରେଧିରେ କ୍ଷୀଣ ହେବା ସହ ବହିର ଅକ୍ଷର ଗୁଡିକ ଅସ୍ବଷ୍ଟ ଦେଖାଗଲା। ଯାହାଫଳରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପାଇଁ ଆଶା ବାନ୍ଧିଥିବା ଚମ୍ପାଙ୍କୁ ଦ୍ବିତୀୟ ଶ୍ରେଣୀରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ପରେ ସେ ଘରକୁ ଫେରି ଆସି ଗୁମ୍ମା ଆଦର୍ଶ ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପାଇଁ ନାମ ଲେଖାଇଥିଲେ। ତେବେ କ୍ଷୀଣ ଦୃଷ୍ଟିଶକ୍ତି ପାଠ ପଢ଼ାରେ ବାଧକ ସାଜିଥିବା ବେଳେ ଅକର୍ମଣ୍ୟ ବାପାଙ୍କର ଆର୍ଥିକ ଅନଟନ ତାଙ୍କର ଚିକିତ୍ସା ପାଇଁ ଅନ୍ତରାୟ ସୃଷ୍ଟି କରିଥିଲା। ଏସଂପର୍କରେ ଖବର ସମ୍ବାଦରେ ପ୍ରକାଶ ପାଇବା ପରେ ବର୍ତ୍ତମାନ ଚକ୍ଷୁ ଚିକିତ୍ସା ପାଇଁ ସ୍ଵାସ୍ଥ୍ୟ ବିଭାଗ ସହାୟତାର ହାତ ବଢେ଼ଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe