ବାପା-ମା’ଙ୍କୁ ହରାଇ ଏବେ ବେସାହାରା: ଭାଇ, ଭଉଣୀଙ୍କୁ ସହାୟତା ପାଇଁ ଅଣ୍ଟା ଭିଡ଼ିଲେ ପୁରାତନ ଛାତ୍ର

Advertisment
ବାପା-ମା’ଙ୍କୁ ହରାଇ ଏବେ ବେସାହାରା: ଭାଇ, ଭଉଣୀଙ୍କୁ ସହାୟତା ପାଇଁ ଅଣ୍ଟା ଭିଡ଼ିଲେ ପୁରାତନ ଛାତ୍ର

Sambad

ଜଗତସିଂହପୁର ଟାଉନ୍: ସୋନାଲି ଓ ଜ୍ଞାନଙ୍କ ବାପା ସ୍ବର୍ଗତ ଚିତ୍ତରଞ୍ଜନ ପ୍ରଧାନ। ଘର ଗାଲୁପଡ଼ାରେ। ୨୦୦୭ରେ ଏସଭିଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଲେଡିଜ୍ ହଷ୍ଟେଲ ଗେଟ୍ କାମ ଚାଲିଥିବା ବେଳେ ଏକ ଦୁର୍ଘଟଣାରେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୁଏ। ସେଇ ଘଟଣାର ୧୫ ଦିନ ପରେ ଏସଭିଏମ୍ କଲେଜ ପରିଚାଳନା ସମିତିର ନିଷ୍ପତ୍ତି ଅନୁଯାୟୀ ଚିତ୍ତରଞ୍ଜନଙ୍କ ପତ୍ନୀ କଲ୍ୟାଣୀଙ୍କୁ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ ମାସିକ ୨ ହଜାର ଟଙ୍କା ଦରମାରେ ଚାକିରି ଦିଆ ଯାଇଥିଲା। ୭ ବର୍ଷର ଝିଅ ସୋନାଲି ଓ ୩ ବର୍ଷର ପୁଅ ଜ୍ଞାନର ଦାୟିତ୍ବ ତୁଲାଇ ଚାଲିଥିବା କଲ୍ୟାଣୀ ୨୦୧୮ରେ ଜାଣିଲେ ପୁଅ ଜ୍ଞାନ ଦୁରାରୋଗ କର୍କଟରେ ପୀଡ଼ିତ। ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା। ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରଶାନ୍ତ ବେହେରା ‘କଲ୍ୟାଣୀ-ଜୀବନ ସଂଗ୍ରାମରେ ସଂଘର୍ଷରତ ନାରୀର ନାମ’ ଶୀର୍ଷକ ଏକ ଲେଖା ଫେସବୁକ୍‌ରେ ପୋଷ୍ଟ କରିଥିଲେ। ସେଇ ଲେଖାରେ କଲ୍ୟାଣୀର ଦୁଃଖଭରା କାହାଣୀ ପଢ଼ି ସହୃଦୟ ବ୍ୟକ୍ତିମାନେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ।

ସେମାଙ୍କର ଆଶୀର୍ବାଦରୁ ଜ୍ଞାନ ସୁସ୍ଥ ହୋଇ ଆସୁଥିଲେ, କିନ୍ତୁ ମଧୁମେହ ରୋଗ ପୁଣି ଥରେ ଦୁଃଖ ବଢ଼ାଇଛି। ବର୍ତ୍ତମାନ ଏସଭିଏମ୍‌ କଲେଜରେ ପ୍ରାଣୀ ବିଜ୍ଞାନ ସମ୍ମାନ ଶ୍ରେଣୀରେ ସେ ଦ୍ବିତୀୟ ବର୍ଷ ଛାତ୍ର। ଭଉଣୀ ସୋନାଲି ନୂଆପଡ଼ା ଜିଲ୍ଲା ଖରିଆର୍ ରୋଡ୍ ସ୍ବୟଂଶାସିତ ମହାବିଦ୍ୟାଳୟରେ ସେଲଫ୍ ଫାଇନାନ୍ସିଂ ପାଠ୍ୟକ୍ରମରେ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଦ୍ବିତୀୟ ବର୍ଷର ଛାତ୍ରୀ। ଏହି ସଂଘର୍ଷମୟ ଜୀବନରେ ଦୁଃଖ ପୁଣି ବଢ଼ିଲା। ଭାଇଭଉଣୀଙ୍କ ଯତ୍ନ ନେଇ ଆସିଥିବା କଲ୍ୟାଣୀ ଅସୁସ୍ଥ ହୋଇ ଗତ ମାସ ୮ ତାରିଖରେ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ସେଠାରେ ବେଡ୍ ନ ମିଳିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଗତ ୧୦ ତାରିଖରେ କଲ୍ୟାଣୀ ଆଖି ବୁଜିଛନ୍ତି। ସୋନାଲି ଓ ଜ୍ଞାନଙ୍କ ଉପରେ ସତେ ଯେମିତି ଛିଣ୍ଡି ପଡ଼ିଥିଲା ଆକାଶ। ସବୁଦିନ ପାଇଁ ଭାଇ ଭଉଣୀ ଅନାଥ ହୋଇଗଲେ। ଏଭଳି ସ୍ଥିତିରେ ଜ୍ଞାନଙ୍କ କଲେଜ ସାଥୀମାନେ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସିଛନ୍ତି। ସେମାନେ ଭଉଣୀ ସୋନାଲିଙ୍କୁ ଏସ୍‌ଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟରେ ଚାକିରି ଓ ଜ୍ଞାନର ଆଗାମୀ ଦିନର ରି-ଆଡମିସନ୍‌, ପରୀକ୍ଷା ଫି ଛାଡ଼ କରାଯିବାକୁ ଦାବି କରିଛନ୍ତି। ପୂର୍ବତନ ଛାତ୍ର ସଂସଦ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ କଲେଜ ଅଧ୍ୟକ୍ଷ ଡ. ନିରଞ୍ଜନ ବିଶ୍ବାଳଙ୍କୁ ଭେଟି ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe