ନଦୀବନ୍ଧରେ ଭାରୀଯାନ ବନ୍ଦ କଲା ପ୍ରଶାସନ

ନଦୀବନ୍ଧରେ ଭାରୀଯାନ ବନ୍ଦ କଲା ପ୍ରଶାସନ

ପାଣିକୋଇଲି: ପାଣିକୋଇଲି ଥାନା ତଥା ବ୍ୟାସନଗର ତହସିଲ ଅନ୍ତର୍ଗତ ମୂଳାପାଳ ପଞ୍ଚାୟତର ନଦୀବନ୍ଧରେ ବାଲି ବୋଝେଇ ଭାରୀଯାନ ଚଳାଚଳକୁ ପ୍ରଶାସନ ବନ୍ଦ କରିଛି। ଭାରୀଯାନ ଚଳାଚଳ ଯୋଗୁଁ ସ୍ଥାନୀୟ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଥିଲା। ଏନେଇ ସ୍ଥାନୀୟ ଲୋକେ ଆଜି ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକଙ୍କୁ ଭେଟି ଅଭିଯୋଗ କରିଥିଲେ। ପରେ ନଦୀବନ୍ଧରେ ଭାରୀଯାନ ଚଳାଚଳ ବନ୍ଦ କରିବାକୁ ଅତିରିକ୍ତ ତହସିଲଦାର ଶ୍ରୀ ମଲ୍ଲିକ ପାଣିକୋଇଲି ପୁଲିସକୁ ନିର୍ଦେଶ ଦେଇଥିଲେ।

ପାଣିକୋଇଲି ପୁଲିସ ନଦୀବନ୍ଧରେ ବାଲିଗାଡ଼ି ଚଳାଚଳ ବନ୍ଦ କରିବାକୁ ଲିଜ୍‌ଧାରୀଙ୍କୁ ନିଦେର୍ଶ ଦେଇଛନ୍ତି। ପ୍ରକାଶ ଯେ, ୧୬ ନମ୍ବର ଜାତୀୟ ରାଜପଥର ବୈତରଣୀ ବ୍ରିଜ୍‌ ନିକଟରୁ ବୈତରଣୀରୋଡ ରେଳ ଫାଟକ ପର୍ଯ୍ୟନ୍ତ ଉକ୍ତ ନଦୀବନ୍ଧଟି ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହିବନ୍ଧ ଉପରେ ମୂଳାପାଳ, ଅମୃତିଆ, ବନ୍ଦାଳୋ, ବରୁଣ୍ତାଇ ଆଦି ପଞ୍ଚାୟତର ଲୋକମାନେ ନିର୍ଭର କରନ୍ତି। ବାଲିଗାଡ଼ି ଚଳାଚଳ ଯୋଗୁଁ ନଦୀବନ୍ଧ ଦୁର୍ବଳ ହେଉଛି। ଭାରୀଯାନ ଚଳାଚଳ ଯୋଗୁଁ ନଦୀବନ୍ଧରେ ପିଚୁ ମଧ୍ୟ ରହୁନାହିଁ। ବର୍ତ୍ତମାନ ବର୍ଷା ଆରମ୍ଭ ହେବାରୁ ରାସ୍ତାଟି ଖାଲଖମା ଓ ପାଣିକାଦୁଅରେ ଭର୍ତ୍ତି ହୋଇଯାଇଛି। ଏହି ବିପର୍ଯ୍ୟସ୍ତ ନଦୀବନ୍ଧ ରାସ୍ତାରେ ବାଲି ବୋଝେଇ ଭାରୀଯାନ ଚଳାଚଳ ଯୋଗୁଁ ସ୍ଥାନୀୟ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀ ମଧ୍ୟ ଏହି ରାସ୍ତାରେ ଯିବାକୁ ସୁରକ୍ଷିତ ମନେ କରୁନାହାନ୍ତି। ଏପରିକି ଆମ୍ବୁଲାନ୍ସ, ଜନନୀ ସୁରକ୍ଷା ଗାଡ଼ି ମଧ୍ୟ ବାଧାପ୍ରାପ୍ତ ହେଉଛି। ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ବାଲି ଚାଲାଣ ବନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe