ଓସ୍ତରହାଟ ହୋମିଓପ୍ୟାଥି ଚିକିତ୍ସାଳୟ, ଗୃହ ଜରାଜୀର୍ଣ୍ଣ: ଖାଲି ପଡ଼ିଛି ଡ଼ାକ୍ତର ପଦ

Advertisment
ଓସ୍ତରହାଟ ହୋମିଓପ୍ୟାଥି ଚିକିତ୍ସାଳୟ, ଗୃହ ଜରାଜୀର୍ଣ୍ଣ: ଖାଲି ପଡ଼ିଛି ଡ଼ାକ୍ତର ପଦ

Sambad

ମହାକାଳପଡା: ତେରଗାଁ ପଂଚାୟତ ଓସ୍ତରହାଟରେ ୧୯୮୦ ମସିହାରେ ପ୍ରତିଷ୍ଠିତ ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ ଏବେ ଜରାଜୀର୍ଣ୍ଣ। ଚିକିତ୍ସାଳୟର ଆଜବେଷ୍ଟସ ଭାଙ୍ଗି ଯିବା ସହିତ କାନ୍ଥ ଫାଟି ଆଁ କରିଛି। ଚାରିଆଡେ ଅନାବନା ଗଛ ମାଡିଗଲାଣି। ବର୍ଷା ହେଲେ ଘର ଭିତରେ ପାଣି ଭରି ଯାଉଛି। ଫଳରେ ଲୋକମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବ କ’ଣ ନିଜର ସ୍ବାସ୍ଥ୍ୟ ଚିନ୍ତାରେ ଚିକିତ୍ସାଳୟ ଘାରି ହେଉଛି। ଖାଲି ସେତିକି ନୂହେଁ। ସୂଚନା ଥାଉକି, ଯଦୁପୁର ଓ ତେରଗାଁ ପଂଚାୟତର ମଧ୍ୟବର୍ତ୍ତୀସ୍ଥଳରେ ଥିବା ଏହି ଚିକିତ୍ସାକେନ୍ଦ୍ର ପ୍ରଥମେ କୃଷିବିଭାଗର ଏକ ସରକାରୀ ଆଜବେଷ୍ଟସ ଗୃହରେ ଆରମ୍ଭ ହୋଇଥିଲା। ଏବେ ମଧ୍ୟ ସେହି ଗୃହରେ ଚିକିତ୍ସାଳୟ ଚାଲୁଛି। ପରବର୍ତ୍ତୀ ଅବସ୍ଥାରେ ସାଂସଦ ପ୍ରଭାତ ସାମନ୍ତରାୟଙ୍କ ଅନୁଦାନରେ ପ୍ରାୟ ୧୮ ବର୍ଷ ତଳେ ଏହି ଚିକିତ୍ସାଳୟର ନୂତନ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଯାହାକି ବର୍ତ୍ତମାନ ସୁଦ୍ଧା ପୂର୍ଣ୍ଣାଙ୍ଗ ହୋଇ ନ ପାରି ଅଧପନ୍ତରିଆ ଭାବେ ପଡିରହିଛି। ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ଡାକ୍ତର ଅବସରଗ୍ରହଣ କରି ସାରିଥିଲେ ମଧ୍ୟ ତାଙ୍କ ବଦଳରେ ଏ ପର୍ଯ୍ୟନ୍ତ ନୂତନ ଡାକ୍ତର ନିଯୁକ୍ତି ହୋଇନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଅବସରପ୍ରାପ୍ତ ଡାକ୍ତର ଜଣକ ନିଜ ଇଛାରେ ଚିକିତ୍ସା କେନ୍ଦ୍ରକୁ ଆସି ରୋଗୀମାନଙ୍କ ସମସ୍ୟା ବୁଝୁଛନ୍ତି। ହେଲେ ଏହି ହୋମିଓପ୍ୟାଥି ଚିକିତ୍ସାଳୟର ଭିତ୍ତିଭୂମିର ବିକାଶ ସାଙ୍ଗକୁ ଖାଲି ପଡିଥିବା ଡାକ୍ତର ପଦ କେମିତି ପୂରଣ ହେବ ସେ ନେଇ ସରକାରଙ୍କ ନିକଟରେ ତଥ୍ୟ ଅଛି କି ନା ତାହା ବୁଝା ପଡୁନାହିଁ। ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe