ନୟାଗଡ଼: ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ପରିସ୍ରା ନଳୀ କାଟିଦେଲେ ଡାକ୍ତର

ଅବହେଳା ନେଇ ପରିବାର ପକ୍ଷରୁ ଜାତୀୟ ରାଜପଥ ଅବରୋଧ

India Today

ଦଶପଲ୍ଲା: ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଡାକ୍ତର ମହିଳାଙ୍କ ପରିସ୍ରା ନଳୀ କାଟିଦେଇଛନ୍ତି। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ମହିଳା ଜଣଙ୍କ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏନେଇ ପରିବାର ପକ୍ଷରୁ ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର ହେଉଥିଲା। ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ତଥା ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ନବ କିଶୋର ସାହୁ ଏହି ଅସ୍ତ୍ରୋପଚାର କରୁଥିଲେ। ଏହି ସମୟରେ ଦଶପଲ୍ଲା ଏନ୍‌ଏସି ଅଧିନସ୍ଥ ୧୬ ନମ୍ବର ୱାର୍ଡ ଖଣ୍ଡପଡା ଗ୍ରାମର ରାମଚନ୍ଦ୍ର ବରାଡ (ବୁଲୁ)ଙ୍କ ପତ୍ନୀ କାଳିଆ ବରାଡଙ୍କ ଅସ୍ତ୍ରୋପଚାର ଚାଲିଥିବା ବେଳେ ତାଙ୍କ ପରିସ୍ରା ନଳୀ କଟିଯାଇଥିଲା। ଅସ୍ତ୍ରୋପଚାର ବିଳମ୍ବ ହେବାରୁ ପରିବାର ଲୋକ ପଚାରିବାରୁ ତାଙ୍କର ପେଟରେ ଟ୍ୟୁମର ହୋଇଥିବା କହି ଡାକ୍ତର ଲୁଚାଇଥିଲେ। ମାତ୍ର ଅସ୍ତ୍ରୋପଚାର ପରେ ତାଙ୍କ ପରିସ୍ରା ଦ୍ୱାରରେ ୟୁରୋଟ୍ୟାବ୍‌ ଲାଗିଥିବା ଦେଖି ଆଶା ଦିଦି ଏବଂ ପରିବାର ଲୋକ ବହୁ ପଚରା ଉଚରା ପରେ ପରିସ୍ରା ନଳୀ କଟିଯାଇଥିବା ଡାକ୍ତର କହିଥିଲେ।

publive-image

୧୦/୨୦ ଦିନ ଚିକିତ୍ସା ପରେ ଭଲ ହୋଇଯିବା ନେଇ ଡାକ୍ତର କହିବା ସହ ସମସ୍ତ ଖର୍ଚ୍ଚ ନିଜେ କରିବା ପାଇଁ କହିଥିଲେ। ଏହାପରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଚିକିତ୍ସାରେ ଅବହେଳା କରିଥିବା ନେଇ ପରିବାର ପକ୍ଷରୁ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ମାତ୍ର ପୁଲିସ ମଧ୍ୟ ଅଭିଯୋଗ ପାଇବା ପରେ ଘଟଣାର କୌଣସି ତଦନ୍ତ ନକରି ପରିବାର ଲୋକଙ୍କୁ ବିଭ୍ରାନ୍ତିକର କଥା କହିଥିଲା।

ସଂଧ୍ୟା ସମୟରେ ମହିଳା ଜଣଙ୍କ ଅଧିକ ଗୁରୁତର ହେବାରୁ ପରିବାର ଲୋକ ଉତ୍ୟକ୍ତ ହୋଇ ଡାକ୍ତରଙ୍କୁ ଘେରିଥିଲେ ଏହାରି ମଧ୍ୟରେ ଡାକ୍ତର କଟକ ନେଇ ଚିକିତ୍ସା କରିବା ପାଇଁ ପ୍ରତିଶୃତି ମିଳିବା ପରେ ଡାକ୍ତର ନବକିଶୋର ସାହୁ ନିଜ ବାଇକ ଧରି ଖସି ପଳାଇ ଯାଇଥିବା ବେଳେ ପରିବାର ଲୋକ ଉତ୍ୟକ୍ତ ହୋଇ ଦଶପଲ୍ଲା ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହାପରେ ଡାକ୍ତର ଶ୍ରୀ ସାହୁ କିଛି ସମୟ ପରେ ଥାନାକୁ ଆସିବା ପରେ ପୁଲିସ ଉପସ୍ଥିତିରେ କଟକ ନେଇ ଚିକିତ୍ସା କରିବା ପାଇଁ ସମାଧାନ ହୋଇଥିଲା। ପରେ ୧୦୮ ଯୋଗେ ମହିଳା ଜଣଙ୍କୁ ନୟାଗଡ ସ୍ଥାନାନ୍ତର କରାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ୱରେ ଚିକିତ୍ସା କାର୍ଯ୍ୟ ଆରମ୍ଭ ହୋଇଥିଲା।

publive-image

ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ ହେବା ସହ ବିଭିନ୍ନ ଯାନବାହନ ଅବରୋଧ ହୋଇ ରହିଥିଲା। ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଡାକ୍ତର ନବ କିଶୋର ସାହୁ କହିଛନ୍ତି, ମହିଳାଙ୍କ ପ୍ରରିସ୍ରା ନଳୀ କଟିଯିବା ପରେ ଏହାର ଅସ୍ତ୍ରୋପଚାର କରାଯାଇଛି। ସେଭଳି କୈାଣସି ଗୁରୁତର ନଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe