ଟ୍ରାଫିକ୍ ପୋଷ୍ଟ ରହିଛି, ନାହାନ୍ତି ପୁଲିସ: କେମିତି ‌ହେବ ଜୟପୁର ଟ୍ରାଫିକ ନିୟନ୍ତ୍ରଣ?

ଟ୍ରାଫିକ୍ ପୋଷ୍ଟ ରହିଛି, ନାହାନ୍ତି ପୁଲିସ: କେମିତି ‌ହେବ ଜୟପୁର ଟ୍ରାଫିକ ନିୟନ୍ତ୍ରଣ?

ଜୟପୁର: ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ସହର ବଢ଼ି ଚାଲିଛି। ସେହି ଅନୁପାତରେ ଦିନକୁ ଦିନ ଗାଡି ମୋଟର ସଂଖ୍ୟା ବି ବଢ଼ିବାରେ ଲାଗିଛି। ‌ଲୋକେ ଗୋଟିଏ ଗାଡି ବଦଳରେ ଦୁଇ ତି‌ନୋଟି ଗାଡି ରଖୁଛନ୍ତି। ଏଥିସହ ବାଇକ ସହ ଲୋକେ କାର୍ ରଖିବାକୁ ମଧ୍ୟ ପସନ୍ଦ କରୁଛନ୍ତି। ଫଳରେ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଉଛି। ଟ୍ରାଫିକ ସମସ୍ୟା ଦୂରିଭୂତ ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ପ‌ଦକ୍ଷେପ ନିଆଯାଉଛି କିନ୍ତୁ ତାହା ଫଳପ୍ରଦ ହୋଇପାରୁ ନାହିଁ। ସହରର ମୁଖ୍ୟ ୩ଟି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ ରହିଥିବା ବ‌େଳେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ କର୍ମଚାରୀଙ୍କ ଦେଖିବାକୁ ମିଳୁନି। ଲୋକେ ମନଇଚ୍ଛା ଗାଡି ଚଲାଉଛନ୍ତି ଛୋଟବଡ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ଜୟପୁରରେ ସହରରେ ଟ୍ରାଫିକ୍ ବ୍ୟବସ୍ଥା ସଜାଡିବାରେ ପୁଲିସ ସଫଳ ହୋଇପାରୁ ନାହିଁ। ସ୍ଥାନୀୟ ଗାନ୍ଧୀଛକ, ପାରାବେଡା ଓ ଶ୍ରମ କାର୍ୟ୍ୟାଳୟ ଛକରେ ଟ୍ରାଫିକ ପୋଷ୍ଟ ଥାଇ ବି ପୁଲିସ ନଥିବାର ଦୃ୍ଶ୍ୟ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି।

ଜୟପୁର ସହର ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ବ୍ୟବସାୟିକ ପ୍ରାଣକେନ୍ଦ୍ର ହୋଇଥିବାରୁ ପ୍ରତ୍ୟେକ ଦିନ ସହରକୁ ହଜାର ହଜାର ସଂଖ୍ୟାରେ ଯାନବାହାନ ଆସୁଛି। ଯାହାଫଳରେ ସହରରେ ପ୍ରତ୍ୟେକ ଦିନ ପ୍ରମୁଖ ରାସ୍ତାଗୁଡିକରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ‌ରେ ସର୍ବାଧିକ ସମୟରେ ଟ୍ରାଫିକ ଲାଗି ରହୁଥିବା ବ‌େଳେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କନେଷ୍ଟବଳମାନେ ଦିନ ୮ରୁ ୧ଟା ଓ ଅପରାହ୍‌ଣ ୪ଟାରୁ ୯ଟା ପର୍ୟ୍ୟନ୍ତ ରହୁଛିନ୍ତି। କିନ୍ତୁ ଗୋଟାଏ ପରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଫେରୁଥିବା ବେଳେ ବିଭିନ୍ନ ସରକାରୀ ଓ ବେସରକାରୀ କର୍ମଚାରୀ ମଧ୍ୟ ଫେରୁଛନ୍ତି କିନ୍ତୁ ସେହି ସମୟରେ ଟ୍ରାଫିକ ପୁଲିସ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ପାରାବେଡା ଛକରେ ୪ଟି ଦିଗରୁ ଗାଡି ଆସୁଛି। ସେଠାରେ ଥିବା ଟ୍ରାଫିକ ପୋଷ୍ଟରେ ପୂର୍ବରୁ ଜଣେ ଟ୍ରାଫିକ୍ ପୁଲିସ ରହୁଥିଲେ କିନ୍ତୁ ବର୍ତ୍ତମାନ ସେଠାରେ କାହାକୁ ଦେଖିବାକୁ ମିଳୁନାହୁଁ, ସେହି ପୋଷ୍ଟଟି ଖାଲି ପଡିଛି। ସେଠାରେ ଦିନବେଳା ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହେଉଥିବା ବେଳେ ସନ୍ଧ୍ୟାରେ ନାଇଟ୍ ଏକ୍ସପ୍ରେସ୍ ବସ୍ ସେହି ଛକ ନିକଟରେ ରହୁଥିବାରୁ ଯାତାୟାତ କଷ୍ଟକର ହୋଇପଡୁଛି।

publive-image

ସେହିପରି ସ୍ଥାନୀୟ ଶ୍ରମ କାର୍ୟ୍ୟାଳୟ ଛକ ଟ୍ରାଫିକ ପୋଷ୍ଟକୁ ୫ଟି ଦିଗରୁ ଗାଡି ଆସୁଛି। କିନ୍ତୁ ସେହି ଟ୍ରାଫିକ୍ ପୋଷ୍ଟ ନିର୍ମାଣ ହେବା ପରଠାରୁ ସେଠାରେ କୌଣସି କର୍ମଚାରୀ କାମ କରିଥିବା ଦେଖିବାକୁ ହିଁ ମିଳିନାହିଁ। ସେଠାରେ ଗାଈଗୋରୁ ଡ୍ୟୁଟି କରୁଥିବାର ଦେଖିବାକୁ ମିଳୁଛି। ଜାତୀୟ ରାଜପଥରେ ଦ୍ରୁତଗତିରେ ଯାନବାହାନ ଯାଉଥିବା ବ‌େଳେ ପାର୍ଶ୍ବରୁ ଆସୁଥିବା ଗାଡି ବହୁ ସମୟରେ ଧକ୍କା ହେଉଛି। ସବୁଠାରୁ ଅଧିକା ଟ୍ରାଫିକ ସମସ୍ୟା ଗାନ୍ଧୀଛକ ଠାରେ ଦେଖିବାକୁ ମିଳିଛି। ସେହି ଛକକୁ ୫ଟି ଦିଗରୁ ଗାଡି ଆସୁଛି। ଦୁଇଟି ବାଇପାସ୍ ରାସ୍ତା ସଂଯୋଗ ରହିଥିବା ବେଳେ ଏମ୍‌ଜିରୋଡ୍ ମଧ୍ୟ ସେହି ରାସ୍ତାକୁ ସଂଯୋଗ ହୋଇଛି। ସେଠାରେ ଟ୍ରାଫିକ ପୋଷ୍ଟ ଥାଇ ମଧ୍ୟ ପୁଲିସ ନିୟୋଜିତ କରୁନାହିଁ, ବଡ ଦୁର୍ଘଟଣାକୁ ଅପେକ୍ଷା କରିଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆସିଥିବା ଦୁଇଟି ପିସିଆର୍ ବାଇକ୍ ମଧ୍ୟ ମରାମତି ହୋଇନପାରି ଟାଉନଥାନାରେ ପଡି ରହିଛି।

ଜୟପୁର ଏସ୍‌ଡିପିଓ ଅରୁପ ଅଭିଶେଖ ବେହେରାଙ୍କ କହିବାନୁଯାୟୀ, ଜୟପୁରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫ ଜଣ କନେଷ୍ଟବଳ ଓ ୨ଜଣ ହାବିଲଦାର ରହିଛନ୍ତି। ସେଥିରୁ ଜଣେ କନେଷ୍ଟବଳ ଓ ଜଣେ ହାବିଦାରଙ୍କ ବଦଳି ହୋଇଯାଇଛି। ମୁଖ୍ୟ ଟ୍ରାଫିକ ଛକରେ ୬ ଜଣ କର୍ମଚାରୀ ରୋଟେସନ୍ ଭାବ‌େ ଡ୍ୟୁଟି କରୁଛନ୍ତି। ଏଥିସହ ୱେଲକମ୍ ଛକ ଓ ଦୈନିକ ବଜାର ଛକ ଠାରେ ୨ଟି ମହିଳା ହୋମଗାର୍ଡ ମଧ୍ୟ ନି‌ୟୋଜିତ ରହୁଛନ୍ତି। ସହରରେ ୨୬ ଜଣ ଏସ୍‌ଟିଭି (ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର୍) ରହିଛନ୍ତି ସେମାନେ ସକାଳୁ ୯ରୁ ଦିନ ୧୨ଟା ଓ ସନ୍ଧ୍ୟା ୫ରୁ ରାତି ୮ ଟା ପର୍ୟ୍ୟନ୍ତ ଘଣ୍ଟାଏ ଲେଖାଏଁ ଡ୍ୟୁଟି କରୁଛନ୍ତି। ପୁଲିସ କର୍ମଚାରୀ କମ୍ ଥିବାରୁ ଟ୍ରାଫକ୍ ପୋଷ୍ଟରେ ନିୟୋଜିତ କରାଯାଇପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe