ହାଇସ୍କୁଲ୍‌ କେତେ ସ୍ମାର୍ଟ? ଖେଳ ଓ ହିନ୍ଦୀ ଶିକ୍ଷକଙ୍କ ଅଭାବ, ଯାଞ୍ଚ ଚାଲିଛି, ଡିସେମ୍ବର ସୁଦ୍ଧା ସମସ୍ତ ପଦବି ପୂରଣ: ଜିଲ୍ଲା ଶିକ୍ଷା ଅଧିକାରୀ

Advertisment
ହାଇସ୍କୁଲ୍‌ କେତେ ସ୍ମାର୍ଟ? ଖେଳ ଓ ହିନ୍ଦୀ ଶିକ୍ଷକଙ୍କ ଅଭାବ, ଯାଞ୍ଚ ଚାଲିଛି, ଡିସେମ୍ବର ସୁଦ୍ଧା ସମସ୍ତ ପଦବି ପୂରଣ: ଜିଲ୍ଲା ଶିକ୍ଷା ଅଧିକାରୀ

Sambad

ଜଗତସିଂହପୁର: ୫-ଟି ରୂପାନ୍ତରିତ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାରେ ୧୪ଟି ହାଇସ୍କୁଲକୁ ସ୍ମାର୍ଟ କରାଯାଇଛି। ଘରୋଇ ସ୍କୁଲ ଗୁଡ଼ିକ ଢାଞ୍ଚାରେ ଏହି ସରକାରୀ ସ୍କୁଲଗୁଡ଼ିକୁ ରୂପାନ୍ତରିତ କରାଯାଇଛି। ସ୍କୁଲ ପରିସରଠାରୁ ଆରମ୍ଭ କରି ଶ୍ରେଣୀଗୃହ, ଲାଇବ୍ରେରି, ଖେଳପଡ଼ିଆ ପର୍ଯ୍ୟନ୍ତ ସବୁକିଛି ବେଶ୍ ଆକର୍ଷଣୀୟ ଢ଼ଙ୍ଗରେ ନିର୍ମାଣ କରାଯାଇଛି। ବିଡ଼ମ୍ବନା ହେଲା ଏହି ସ୍ମାର୍ଟ ସ୍କୁଲ ଗୁଡ଼ିକର ଅବସ୍ଥା ସାଂଘାତିକ। ବର୍ଷବର୍ଷ ହେଲା ସ୍କୁଲ ଗୁଡ଼ିକରେ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ଅଭାବ ଲାଗି ରହିଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଗଲା ନାହିଁ। ଏଣୁ ଏମିତି ଅବସ୍ଥାରେ ସ୍କୁଲଗୁଡ଼ିକୁ ସ୍ମାର୍ଟ କରିଦେଲେ, ଛାତ୍ରଛାତ୍ରୀମାନେ ଯେ ସ୍ମାର୍ଟ ହୋଇଯିବେ ତାହା ସମ୍ଭବ ନୁହେଁ ବୋଲି ଜଳଜଳ ଦିଶୁଛି। ଗୁରୁତ୍ବପୂର୍ଣ୍ଣ ହେଲା ଏହି ୧୪ ସ୍କୁଲ ମଧ୍ୟରୁ କୌଣସି ଗୋଟିକରେ ବି ଶତ ପ୍ରତିଶତ ଶିକ୍ଷକ ନାହାନ୍ତି। ନାଉଗାଁ ବ୍ଲକ୍ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋଟ୍ ପଦବି ସଂଖ୍ୟା ୨୧ ରହିଥିବା ବେଳେ ସେଠାରେ ଏହାର ଅଧା ଅର୍ଥାତ ମାତ୍ର ୧୧ ଜଣ ରହିଛନ୍ତି। ସ୍କୁଲ ଗୁଡ଼ିକରେ ଖାଲି ପଡ଼ିଥିବା ପଦବିକୁ ପୂରଣ ନ କରି ସ୍କୁଲଗୁଡ଼ିକୁ ସ୍ମାର୍ଟ କରି ରାଜ୍ୟ ସରକାର କି ପ୍ରକାର ବାର୍ତ୍ତା ଦେବାକୁ ପ୍ରୟ‌ାସ କରିଛନ୍ତି, ତାହା ବୁଝି ହେଉ ନାହିଁ।

ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ବାଲିକୁଦା ବ୍ଲକ୍‌ର ବୋରିକିନା ସରକାରୀ ଉଚ୍ଚ ବିଦ୍ୟାଳୟ, ନାଉଗାଁ ବ୍ଲକର ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ, ତିର୍ତ୍ତୋଲ ବ୍ଲକର ମଣିଚରଣ ଶାରଳା ଏକାଡେମି ଓ ସରକାରୀ ଉଚ୍ଚବିଦ୍ୟାଳୟ ଜଗନ୍ନାଥପୁର ତିରଣ ଏବଂ ଏରସମା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଗଡ଼କୁଜଙ୍ଗ ସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି। ଅନ୍ୟ ସ୍କୁଲର ପ୍ରଧାନଶିକ୍ଷକ ଏହାର ଦାୟିତ୍ବରେ ରହିଛନ୍ତି। ବର୍ତ୍ତମାନ ଏହି ସ୍ମାର୍ଟ ସ୍କୁଲ ଗୁଡ଼ିକରେ ଯଦି ମୁଖିଆ ନ ରହିବେ, ତେବେ ବ୍ୟବସ୍ଥାକୁ କେମିତି ଆଗେଇବ ଓ କିଏ ଏହାର ନେତୃତ୍ବ ନେବେ ବୋଲି ସବୁଠି ଚର୍ଚ୍ଚା। ସେହିପରି ଉଚ୍ଛେଦ ହୋଇଗଲା ଭଳି ଅଧିକାଂଶ ସ୍କୁଲରେ ଶତ ପ୍ରତିଶତ ପିଅନ ମଧ୍ୟ ନାହାନ୍ତି। ଏହି ୧୪ଟି ସ୍କୁଲରେ ମୋଟ୍ ୩୯ ଜଣ ପିଅନ ପଦବି ମଂଜୁର କରାଯାଇଥିବା ବେଳେ ମାତ୍ର ୨୩ ଜଣ ଅଛନ୍ତି। ଏଥିପ୍ରତି ଜିଲ୍ଲା ଶିକ୍ଷା ବିଭାଗ ହୁଅନ୍ତୁ ଅବା ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ। ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା କୁହନ୍ତି ଯେ, ବର୍ତ୍ତମାନ ରାଜ୍ୟ ସରକାର ଏହାକୁ ବେଶ୍ ଗୁରୁତ୍ବର ସହ ନେଇଛନ୍ତି। ଏଣୁ କାଗଜପତ୍ର ପ୍ରକ୍ରିୟା ଚାଲୁ ରହିଛନ୍ତି। ଯଥା ଶୀଘ୍ର ଏମିତିକି ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ‌ଶେଷ କରାଯାଇ ଖାଲି ପଡ଼ିଥିବା ପଦବି ଗୁଡ଼ିକୁ ପୂରଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe