ଗୁରୁଜଙ୍ଗ ଧବଳେଶ୍ୱର ପୀଠରେ ପଞ୍ଚୁକ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼

Advertisment
ଆଜି କାର୍ତ୍ତିକ ତୃତୀୟ ସୋମବାର: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ଗୁରୁଜଙ୍ଗ ଠାରେ ଥିବା ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକର ବଡ଼ଓଷା ପାଳନ କରିବା ପାଇଁ ଆଜି ଭୋରରୁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି। ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ପୀଠରେ କେବଳ ସୀମିତ ସେବକଙ୍କ ଉପସ୍ଥିତିରେ ନୀତିକାନ୍ତି କରାଯାଇଥିଲା। ଚଳିତବର୍ଷ କଟକଣା ହଟିଛି, ଏହାସହ କଟକ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ସମାଗମ ଉପରେ କଟକଣା ରହିଥିବାରୁ ଧବଳେଶ୍ୱର ପୀଠରେ ଭକ୍ତଙ୍କ ସଂଖ୍ୟା ବହୁଗୁଣରେ ବଢ଼ିଯାଇଛି। ଖୋର୍ଦ୍ଧାର ପରିଚିତ ଶୈବପୀଠ ଧବଳେଶ୍ୱର ଠାରେ ବଡ଼ଓଷା ପର୍ବ ବହୁ ପୁରାତନ। ମନ୍ଦିର ପ୍ରତିଷ୍ଠା ଦିନରୁ ଏହା ପାଳିତ ହୋଇଆସୁଛି।

ଆସନ୍ତା ୯ ତାରିଖ ଯାଏଁ ପଞ୍ଚୁକ ପାଳିତ ହେଉଥିବା ବେଳେ ଆଜି ବଡ଼ଓଷା ପାଳିତ ହୋଇଛି। ଏହି ଅବସରରେ ପ୍ରଭୂ ଧବଳେଶ୍ୱରଙ୍କ ହାବୁକା ବେଶ ହୋଇଥାଏ। ଧବଳେଶ୍ୱରଙ୍କ ଏହି ବେଶ ଦେଖିବା ସହ ଅଟକାଳି ଭୋଗ ଓ ଦୀପ ଜାଳିଲେ ଭକ୍ତଙ୍କ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହି ତିନିଦିନ ଭୋର ୩ଟାରୁ ଆବାଳବୃଦ୍ଧବନିତା ମନ୍ଦିରରେ ଧାଡ଼ି ବାନ୍ଧି ଜମା ହୋଇଥାନ୍ତି।

publive-image Sambad

ଏହି ଅବସରରେ ମନ୍ଦିର ପରିସରରେ ଗହଳିଚହଳି ହୋଇଯାଏ। ଭଜନକୀର୍ତ୍ତନ ସହ ବୃନ୍ଦାବତୀ ପୂଜା ମନ୍ଦିର ପରିବେଶକୁ ଆହୁରି ଚମକ୍ରୃତ କରିଥାଏ। ହାବୁକା ଦର୍ଶନ ମନ୍ଦିରର ଏକ ସ୍ୱତନ୍ତ୍ର ବିଧି। ଧବଳେଶ୍ୱରଙ୍କ ପୂଜା ବେଳେ ଶକ୍ତି ଦର୍ଶନ କଲାବେଳେ ପାଦୁକ ଭିତରୁ ହାବୁକା ଉଠିଥାଏ। ଏହାକୁ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥାଏ। ଦିନରେ ଭକ୍ତଙ୍କ ଦ୍ୱାରା ଅଟକାଳି ଭୋଗ ହେଉଥିବା ବେଳେ ରାତିରେ ଗଜଭୋଗ ହୋଇଥାଏ। ଏଭଳି ପରମ୍ପରା ଅନ୍ୟ କୌଣସି ଶୈବ ପୀଠରେ ଦେଖିବାକୁ ମିଳେନାହିଁ ବୋଲି ପୂଜକ ବିଜୟକୃଷ୍ଣ ସାମନ୍ତରାୟ କହିଛନ୍ତି। ଚଳିତବର୍ଷ ୮ ତାରିଖ କାର୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ଭୋର ୫ଟା ପୂର୍ବରୁ ସମସ୍ତ ନୀତିକାନ୍ତି ଶେଷ ହେବ ଓ ରାତି ୭ଟା ପରେ ମାର୍ଜନ ଆଦି ପରେ ପୁଣି ନୀତିକାନ୍ତି କରାଯିବ। ୯ ତାରିଖରେ ଏହି ପଞ୍ଚୁକ ବ୍ରତ ଶେଷ ହେବ ବୋଲି ପୂଜକ ଶ୍ରୀ ସାମନ୍ତରାୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe