ରାସ୍ତା କଡ଼ରୁ ତିନି ଦିନର ଭୋକିଲା ଉଦ୍ଧାର; ମୁଣ୍ଡ ଓ ଗୋଡ଼ରେ ଥିଲା ଗଭୀର କ୍ଷତ

Advertisment
ରାସ୍ତା କଡ଼ରୁ ତିନି ଦିନର ଭୋକିଲା ଉଦ୍ଧାର; ମୁଣ୍ଡ ଓ ଗୋଡ଼ରେ ଥିଲା ଗଭୀର କ୍ଷତ

ସୁନ୍ଦରଗଡ଼: ପେଟରେ ଭୋକ, ମୁଣ୍ଡ ଓ ଗୋଡ଼ କ୍ଷତରେ ଭର୍ତ୍ତି । ତିନି ଦିନ ହେଲା କୋତରାଲଗା ହୋଇ ପଡ଼ି ରହିଥିଲେ ଜଣେ ଅସହାୟ ବ୍ୟକ୍ତି ସ୍ଥାନୀୟ ରଙ୍ଗାଢିପା ଡେଲି ମାର୍କେଟ କଡ଼ରେ। ଡେଲିମାର୍କେଟକୁ ଆସୁଥିବା ଓ ସେ ରାସ୍ତା ଦେଇ ଯାଉଥିବା ଲୋକଙ୍କ ନଜର ପଡ଼ୁ ନଥିଲା ତାହା ନୁହେଁ, କିନ୍ତୁ କାହା ଛାତି ତରଳୁ ନଥିଲା। ଯେ’ଯା ସ୍ବାର୍ଥରେ ବ୍ୟସ୍ତ ମଣିଷ ପାଖରେ ଭୋକିଲା ମୁହଁରେ ଅନ୍ନ ମୁଠେ ଦେବା ବା କ’ଣ ହୋଇଛି ବୋଲି ପଚାରିବାକୁ ବି ସମୟ ନଥିଲା।

ସମସ୍ତେ ଦେଖି ନଦେଖିଲା ଭଳି ବାଟ କାଟି ଚାଲି ଯାଉଥିଲେ। ରବିବାର ସକାଳୁ ବ୍ୟକ୍ତି ଜଣକ ବଡ଼ କଷ୍ଟରେ ଘୋଷାରି ହୋଇ ରାସ୍ତା କଡ଼କୁ ଆସୁଥିବା ଦେଖି ଜଣେ କେହି ଯୁବ ସମାଜସେବୀ ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କୁ ସୂଚନା ଦେଇଥିଲେ। ଡ. ଷଡ଼ଙ୍ଗୀ ତୁରନ୍ତ ସେ ଅସହାୟଙ୍କ ପାଖରେ ପହଞ୍ଚିଥିଲେ। ଭୋକିଲା ଥିବାରୁ କିଛି କହିପାରି ନଥିଲେ, ଠାରରେ ପେଟ ଓ କ୍ଷତକୁ ଦେଖାଇ ସାହା ହେବାକୁ ହାତ ଯୋଡ଼ିଥିଲେ।

ତାଙ୍କୁ କିଛି ଖାଇବାକୁ ଦେଇ ଡ. ଷଡ଼ଙ୍ଗୀ ସିଡିଏମଓ ସରୋଜ କୁମାର ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଯୁବକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ପରେ ଜଣାପଡ଼ିଥିଲା, ବ୍ୟକ୍ତି ଜଣକ ସୁନ୍ଦରଗଡ଼ ପୌରାଞ୍ଚଳ ୭ ନମ୍ବର ୱାର୍ଡର, ନାମ ବାବଲୁ। ଏକା ଏକା ମାଗିଯାଚି ଖାଇ ଅସହାୟ ଜୀବନ ଜିଉଁଥିବା ବ୍ୟକ୍ତି ଜଣକ କୌଣସି କାରଣରୁ ଆହତ ହେବା ପରେ ୩ ଦିନ ଧରି ରଙ୍ଗାଢିପା ମାର୍କେଟ କଡ଼ରେ ପଡ଼ି ରହିଥିଲେ।

ଏହା ପୂର୍ବରୁ ନୂଆ ସିନେମା ହଲ ପାଖରେ ମଧ୍ୟ ଗୋଡ଼ ଭଙ୍ଗା ଅବସ୍ଥାରେ ଦୁଇ ଦିନ ଧରି ପଡ଼ି ରହିଥିବା ଜଣେ ଅସହାୟ ବ୍ୟକ୍ତିଙ୍କୁ ଡ. ଷଡ଼ଙ୍ଗୀ ସ୍ଥାନୀୟ ଯୁବକମାନଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ଏସ୍ଥିତିରେ ଉଙ୍କି ମାରିଛି ଅନେକ ପ୍ରଶ୍ନ, ସହରରେ ଏମିତି ଭୋକିଲା, ଅସହାୟ ହୋଇ ବୁଲୁଥିବା ବୃଦ୍ଧବୃଦ୍ଧାଙ୍କୁ ଅନେକ ସମୟରେ ସମାଜ ସମ୍ବେଦନଶୂନ୍ୟ ଭାବେ ମୁହଁ ମୋଡ଼ୁଥିବା ବେଳେ ସହାୟକ ହେବ କିଏ। ଅସହାୟଙ୍କ ଥଇଥାନ, ସେବା ପାଇଁ ଥିବା ସଂସ୍ଥା ଓ ସରକାରୀ ଯୋଜନା କାହା ପାଇଁ। ପ୍ରଶାସନ ଏପରି ଅସହାୟମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe