timesof india
କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମାଝୀପଡ଼ା ଗ୍ରାମରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ବରଗୋଛା ପଂଚାୟତ ମାଝିପଡ଼ା ଗ୍ରାମର ଅଯୋଧ୍ୟା ମାଝୀ ତା’ ସ୍ତ୍ରୀ ହସ୍ତିନୀ ମାଝୀ(୩୮)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଅଯୋଧ୍ୟା ବଲାଙ୍ଗୀର ଜିଲ୍ଲା ସଇନ୍ତଲା ଥାନା ଖାରିବାହାଲ ଗାଁର ହସ୍ତିନୀ ମାଝୀଙ୍କୁ ବିବାହ କରିଥିଲେ। ବୁଧବାର ସନ୍ଧ୍ୟାରେ ଅଯୋଧ୍ୟା ବରଗୋଛା ମଣ୍ଡିରେ ତାଙ୍କ ଧାନ ବିକ୍ରି କରି ଘରକୁ ଫେରିଥିଲେ। ଘରେ ସ୍ତ୍ରୀ ହସ୍ତିନୀଙ୍କ ସହିତ ଚରିତ୍ରକୁ ନେଇ ଅଯୋଧ୍ୟାଙ୍କ ଗଣ୍ଡଗୋଳ ହୋଇଥିଲା। ଘରେ ସମସ୍ତେ ଖାଇପିଇ ଶୋଇବା ପରେ ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା।
ଉତ୍ତ୍ୟକ୍ତ ହୋଇ ଅଯୋଧ୍ୟା ଏକ ଟାଙ୍ଗିଆରେ ସ୍ତ୍ରୀକୁ ହାଣି ପକାଇଥିଲା। ଏହା ପରେ ଗ୍ରାମବାସୀ ଅଯୋଧ୍ୟାକୁ ବାନ୍ଧି ଗୋଟିଏ ଘର ଭିତରେ ବନ୍ଦ କରି ମନମୁଣ୍ଡା ଥାନାକୁ ଖବର ଦେଇଥିଲେ। ମନମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନ ଓ ଶଗଡ଼ା ଫାଣ୍ଡି ଅଧିକାରୀ ଅରୁଣ ସିଂ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଅଯୋଧ୍ୟାକୁ ଗିରଫ କରିଥିଲେ।
ଖବର ପାଇ ଗୁରୁବାର ମୃତ ହସ୍ତିନୀଙ୍କ ବଡ଼ ଭାଇ ବୈକୁଣ୍ଠ ମାଝୀ ଆସି ମନମୁଣ୍ଡା ଥାନାରେ ଏତଲା ଦେଇଛନ୍ତି। ମନମୁଣ୍ଡା ପୁଲିସ ଘଟଣାର ସରଜମିନ ତଦନ୍ତ କରିଛି। ମନମୁଣ୍ଡା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଶୁକ୍ରବାର ଅଯୋଧ୍ୟାକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି।
Follow Us